ଭୁବନେଶ୍ୱର : ବାତ୍ୟା ‘ଦାନା’ ପାଇଁ ଆକ୍ସନ ମୋଡରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସ୍ୱତନ୍ତ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଯିବେ ବରିଷ୍ଠ ଆଇଏସ ଅଧିକାରୀ ା ବାତ୍ୟା କେଉଁ ବାଟ ଦେଇ ଯିବ , ବାତ୍ୟାର ଗତିପଥ ଉପରେ କଣ୍ଟ୍ରୋଲରୁମ ତୀକ୍ଷ୍ଣ ନଜର ରଖିଛି । କେଉଁ ଜିଲ୍ଲାକୁ କେତେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ଯିବେ ସେନେଇ ଯୋଜନା ଚାଲିଛି । ଉପକୂଳ ଓଡିଶା ଯଥା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ ମାତ୍ରାରେ ଏନଡିଆରଏଫ , ଓଡ୍ରାଫ ଓ ଅଗ୍ନିଶମ ଟିମ ମୁତୟନ ହେବେ । ସୋମବାର ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ଟିମ । ଜିଲ୍ଲାପାଳମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇଦେବେ । ମଧ୍ୟାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।