25.1 C
Bhubaneswar
Friday, November 8, 2024
Homeଦେଶ ବିଦେଶ୨୦୨୪ ହେବ ସବୁଠୁ ଉତ୍ତପ୍ତ ବର୍ଷ: ରିପୋର୍ଟ

୨୦୨୪ ହେବ ସବୁଠୁ ଉତ୍ତପ୍ତ ବର୍ଷ: ରିପୋର୍ଟ

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଲାଣି । ଏହାଯୋଗୁ ମରୁଭୂମିରେ ତୁଷାରପାତ, ଅଦିନିଆ ବୃଷ୍ଟିପାତ, ଅଚାନକ ବନ୍ୟା ଓ ମରୁଡ଼ି ଭଳି ଘଟଣା ଘଟୁଛି । ଏହି କ୍ରମରେ ୨୦୨୪ ଏ ପର୍ଯ୍ୟନ୍ତ ସବୁଠୁ ଉତ୍ତପ୍ତ ବର୍ଷ ହେବାକୁ ଯାଉଛି । ପୃଥିବୀ ପୃଷ୍ଠର ହାରାହାରି ତାପମାତ୍ରା ୨୦୨୩ ତୁଳନାରେ ବି ଅଧିକ ହେବ । ଗୁରୁବାର ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ଏହି ପୂର୍ବାନୁମାନ କରିଛି।

ରିପୋର୍ଟ ମୁତାବକ, ପ୍ୟାରିସ ଜଳବାୟୁ ଚୁକ୍ତିରେ ହାରାହାରି ତାପମାତ୍ରାକୁ ଯେଉଁ ମାନଦଣ୍ଡ (୧.୫ ଡିଗ୍ରୀ ସେଲସିୟସ୍‌) ରଖାଯାଇଥିଲା, ବର୍ଷ ୨୦୨୪ ତାହାକୁ ଅତିକ୍ରମ କରିଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ରେକର୍ଡରେ ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ସାଜିଥିଲା । ଏହି ସମୟରେ ହାରାହାରି ବିଶ୍ୱ ତାପମାତ୍ରା ୧.୪୫ ଡିଗ୍ରୀ ସେଲସିୟସ ରହିଥିଲା । ଚଳିତବର୍ଷ ଜାନୁଆରୀରୁ ସେପ୍େଟମ୍ବର ପର୍ଯ୍ୟନ୍ତ ହୋଇଥିବା ବିଶ୍ଳେଷଣକୁ ଆଧାର କରି ଡବ୍ଲ୍ୟୁଏମ୍‌ଓ ଏହି ଅନୁମାନ ଲଗାଇଛି । ଏଥିରେ ୬ଟି ଅନ୍ତର୍ଜାତୀୟ ତଥ୍ୟକୁ ଅବଲୋକନ କରାଯାଇଥିଲା ।

ସଂସ୍ଥା ଏହି ଆକଳନ କରିବା ପରେ ଏ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଅବଗତ କରାଇଛି । ଆଗକୁ ଆଜରବୈଜାନର ବାକୁଠାରେ ହେବାକୁ ଥିବା ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (ସିଓପି୨୯) ପୂର୍ବରୁ ଡବ୍ଲ୍ୟୁଏମ୍‌ଓର ଏହି ଆକଳନ ବେଶ୍ ଗୁରୁତ୍ୱ ବହନ କରୁଛି । ଚଳିତମାସ ୧୧ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ବିଶ୍ୱ ତାପନ ପ୍ରମୁଖ ପ୍ରସଙ୍ଗ ପାଲଟିବା ନେଇ ଆଶା କରାଯାଉଛି । ସେପଟେ ୟୁରୋପୀୟ ଜଳବାୟୁ ପରିବର୍ତ୍ତନ ଏଜେନ୍ସି କୋପରନିକସ୍ ମଧ୍ୟ ସମାନ ପୂର୍ବାନୁମାନ କରିଛି । ଏହା ମୁତାବକ, ପ୍ରଥମ ଥର ପାଇଁ ହାରାହାରି ତାପମାତ୍ରା ପ୍ରାକ୍ ଶିଳ୍ପାୟନ ସ୍ତର ୧.୫ ଡିଗ୍ରୀ ସେଲ୍‌ସିୟସଠାରୁ ଅଧିକ ହୋଇଯିବ । ଏଜେନ୍ସି ମୁତାବକ, ୨୦୨୩ ପରେ ୨୦୨୪ ଅକ୍ଟୋବର ବୈଶ୍ୱିକ ସ୍ତରରେ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ମାସ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking