21.1 C
Bhubaneswar
Monday, February 2, 2026
Homeଓଡିଶା୨୦୨୪ ସବୁଠାରୁ ଉତପ୍ତ ବର୍ଷ, ବଢ଼ିବ ରୌଦ୍ରତାପର ପ୍ରଭାବ : ବିଶେଷଜ୍ଞ

୨୦୨୪ ସବୁଠାରୁ ଉତପ୍ତ ବର୍ଷ, ବଢ଼ିବ ରୌଦ୍ରତାପର ପ୍ରଭାବ : ବିଶେଷଜ୍ଞ

ଭୁବନେଶ୍ୱର: ୧୯୦୧ ମସିହା ଠାରୁ ଏପର୍ଯ୍ୟନ୍ତ ୨୦୨୪ ସବୁଠାରୁ ଉତପ୍ତ ବର୍ଷ ଥିଲା । ବିଶ୍ୱ ତାପନ ପ୍ରଭାବ ଯୋଗୁଁ ୨୦୧୦ ରୁ ୨୦୨୪ ୧୫ ବର୍ଷ ମଧ୍ୟରେ ଦଶ ବର୍ଷ ଅନ୍ୟ ବର୍ଷ ତୁଳନାରେ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି ବୋଲି ଜଣେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ କହିଛନ୍ତି । ଏହି ୫ଟି ବର୍ଷ ହେଉଛି ୨୦୨୪, ୨୦୧୬, ୨୦୦୯, ୨୦୧୦ ଏବଂ ୨୦୧୭ ବୋଲି ଭାରତୀୟ ପାଣିପାଗ ବିଭାଗ ଅନ୍ତର୍ଗତ ନ୍ୟାସ୍‌ନାଲ୍ ୱେଦର ଫେରକାଷ୍ଟିଂ ସେଂଟରର ପାଣିପାଗ ବିଶେଷଜ୍ଞ ଡକ୍ଟର ଅଖିଳ ଶ୍ରୀବାସ୍ତବ କହିଛନ୍ତି । ପ୍ରଚଣ୍ଡ ରୌଦ୍ର ତାପର ପ୍ରଭାବ କିଛି ବର୍ଷ ହେବ ଭୀଷଣ ଭାବେ ଅନୁଭୂତ ହେଉଥିବା ବେଳେ ମୃତ୍ୟୁ ଏବଂ କ୍ଷୟକ୍ଷତି ପରିପ୍ରେକ୍ଷୀରେ ଦ୍ୱିତୀୟ ବଡ଼ କାରଣ ପାଲଟିଛି ବୋଲି କହିଛନ୍ତି ଡକ୍ଟର ଶ୍ରୀବାସ୍ତବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ‘ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପନ – ପ୍ରସଙ୍ଗ ଓ ସମ୍ଭାବନା’ ଶୀର୍ଷକ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଡକ୍ଟର ଶ୍ରୀବାସ୍ତବ । ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ କେବଳ ଅଧିକ ତାପମାତ୍ରା ପ୍ରଚଣ୍ଡ ରୌଦ୍ର ତାପ ଉପୁଜାଇ ନାହିଁ ବରଂ ଅନ୍ୟାନ୍ୟ ପାଣିପାଗ ଜନିତ କାରଣରୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡକ୍ଟର ଶ୍ରୀବାସ୍ତବ କହିଛନ୍ତି ଯେ ୨୦୦୦ ରୁ ୨୦୦୯ ବର୍ଷ ଗୁଡ଼ିକ ଅପେକ୍ଷା ୨୦୧୦ ରୁ ୨୦୧୯ ମଧ୍ୟରେ ରୌଦ୍ର ତାପର ସଂଖ୍ୟା ୨୪ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏତଦ୍ ଜନିତ ମୃତ୍ୟୁ ମଧ୍ୟ ୨୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ସୋଆ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଶନିବାର ଉଦ୍‌ଯାପିତ ହୋଇଥିବା ବେଳେ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ଭାବେ ସମାଜର ହିତ ପାଇଁ କାର୍ଯ୍ୟ କରିବା ଏହାର ଦାୟିତ୍ୱ । ବର୍ତମାନ ପୃଥିବୀରେ ଜଳବାୟୁ ପରିବର୍ତନ ଏବଂ ବିଶ୍ୱ ତାପନ ଚିନ୍ତାର କାରଣ ପାଲଟିଥିବା ବେଳେ ଏ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଛାତ୍ରଛାତ୍ରୀମାନେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ନିଜ କ୍ଷେତ୍ରରେ ସଚେତନତାର ସୃଷ୍ଟି କରନ୍ତୁ ବୋଲି କୁଳପତି କହିଥିଲେ । ସୋଆ ପକ୍ଷରୁ ସେଂଟର ଫର ଏନଭାଇରନ୍‌ମେଂଟ ଆଣ୍ଡ କ୍ଲାଇମେଟ ଓ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚର (ସିସିଏସ୍‌ଏ) ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଫେସର ନନ୍ଦ କହିଥିଲେ ।

କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାର ତଥା ସିସିଏସ୍‌ଏର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଉମା ଚରଣ ମହାନ୍ତି ସମ୍ମିଳନୀର ଉଦ୍‌ଯାପନୀ ବକ୍ତବ୍ୟ ରଖିବା ସହ ସମ୍ମିଳନୀରେ ଯେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ମୁଖକୁ ଆସିଛି ସେ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଓ ଉପକୁଳପତି ପ୍ରଫେସର ପି.କେ. ପାତ୍ର ବକ୍ତବ୍ୟ ରଖିଥିଲେ । ଆଇଏଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ଶୁଭପ୍ରଦ ଦାଶ ସମ୍ମିଳନୀ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିବା ବେଳେ ଆସୋସିଏଟ୍ ପ୍ରଫେସର ସ୍ୱାତୀ ଶିଳ୍ପା ବାହୁବଳେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୮ଟି ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ମନ୍ତବ୍ୟ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking