ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ସହରରେ ଏକ ସ୍କୁଲ ଭ୍ୟାନ୍ ଭିତରେ ୨ ଛାତ୍ରୀଙ୍କୁ ଯୌନ ଶୋଷଣ କରାଯାଇଛି । ପୁଲିସ ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିଲା । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ପୁଲିସ୍ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି । ରିପୋର୍ଟ ଅନୁସାରେ ପୁଣେ ସହରର ଭାନଭାଡି ଅଞ୍ଚଳରେ ଥିବା ଏକ ସ୍କୁଲ ଛୁଟି ହେବା ପରେ ପିଲାଙ୍କୁ ବସ୍ରେ ଘରକୁ ପଠାଯାଇଥିଲା । ଡ୍ରାଇଭର ସମସ୍ତ ପିଲାଙ୍କୁ ସେମାନଙ୍କ ଘରେ ଛାଡ଼ି ଦେଇଥିଲେ । ଶେଷରେ ୨ ଜଣ ଛାତ୍ରୀ (ଉଭୟଙ୍କ ବୟସ ୬ ବର୍ଷ) ବସ୍ରେ ରହିଯାଇଥିଲେ । ଏହି ସମୟର ସୁଯୋଗ ନେଇ ଡ୍ରାଇଭରଜଣକ ଏହି ୨ ଛାତ୍ରୀଙ୍କୁ ବସ ଭିତରେ ହିଁ ଯୌନ ଶୋଷଣ କରିଥିଲା । ଦୁଇ ପୀଡ଼ିତାଙ୍କ ମଧ୍ୟରୁ ଜଣେ ଘରେ ପହଞ୍ଚିବା ପରେ ନିଜ ମା’ଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ଏହା ପରେ ମହିଳା ଜଣକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ପିଲାଙ୍କୁ ଘରେ ଛଡ଼ାଯିବା ସମୟରେ ବସରେ କେହି ମହିଳା ଆଟେଣ୍ଡାଣ୍ଟ ରହିଥିଲେ କି ନାହିଁ ତାହାର ଯାଞ୍ଚ କରାଯାଉଥିବା ପୁଲିସ କହିଛି ।