ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୨ ପ୍ରଥମବର୍ଷରେ ନାମଲେଖା ପାଇଁ ଶନିବାର ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ମୋଟ ୪,୭୬,୦୯୩ ଜଣ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪,୨୬,୪୭୨ ଜଣ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କଳାରେ ୨,୭୧,୪୯୨ ଜଣ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୧,୧୭,୨୭୩, ବାଣିଜ୍ୟରେ ୨୪,୩୫୪, ଉପଶାସ୍ତ୍ରୀରେ ୮,୩୭୫ ଏବଂ ଧନ୍ଦାମୂଳକ ଶିକ୍ଷାରେ ୪,୯୭୮ଜଣ ମନୋନୀତ ହୋଇଛନ୍ତି । ମୋଟ ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୨୨,୬୯୭ ଜଣ ଛାତ୍ରୀ ଥିବା ବେଳେ ୨,୦୩,୭୫୫ ଜଣ ଛାତ୍ର ଏବଂ ଅନ୍ୟାନ୍ୟ ୨୦ଜଣ ରହିଛନ୍ତି । ଏଥିରୁ କେବଳ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡରୁ ୪,୪୮,୧୩୨ଜଣ ଆବେଦନ କରିଥିବା ବେଳେ ନାମଲେଖା ପାଇଁ ୩,୯୯,୪୪୫ଜଣ ଚୟନ ହୋଛନ୍ତି ।
ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ଯଥାକ୍ରମେ ୭୫.୧୭%, ୯୧.୫୦% ଓ ୭୭% ସହ ରେଭେନ୍ସା ଶୀର୍ଷରେ ରହିଛି । ତେବେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ସ୍କୁଲ(ଏଚ୍ଏସ୍ଏସ୍) ମିଳିତ ଭାବେ ଶୀର୍ଷରେ ରହିଛନ୍ତି । କଳାରେ ରାଉରକେଲା ଏଚ୍ଏସ୍ସ୍ ଦ୍ୱିତୀୟ ଏବଂ ଭୁବନେଶ୍ୱର ବିଜେବି ଏଚ୍ଏସ୍ଏସ୍ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ବିଜ୍ଞାନରେ ଭୁବନେଶ୍ୱର ବିଜେବି ଏଚ୍ଏସ୍ଏସ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ଏଚ୍ଏସ୍ଏସ୍ ତୃତୀୟ ସ୍ଥାନରେ ରହିଛନ୍ତି । ବାଣିଜ୍ୟରେ ଭୁବନେଶ୍ୱର ବିଜେବି ଏଚ୍ଏସ୍ଏସ୍ ଦ୍ୱିତୀୟରେ ଥିବା ବେଳେ କଟକର ଜାତୀୟ କବି ବୀର କିଶୋର ଏଚ୍ଏସ୍ଏସ୍ ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉପଶାସ୍ତ୍ରୀରେ ୬୦.୩୩% ସହ ବରଗଡ଼ ଜିଲାର ଲାଲାଜି ଗୋପାଳଜୀ ସଂସ୍କୃତ ଏଚ୍ଏସ୍ଏସ୍ ଏବଂ ଧନ୍ଦାମୁଳକ ଶିକ୍ଷାରେ ୭୨.୮୩% ସହ କଳାହାଣ୍ଡି ଜିଲା ଧର୍ମଗଡ଼ ଏଚ୍ଏସ୍ଏସ୍ ପ୍ରଥମ ସ୍ଥାନରେ ରହିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୨ ରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ । ପ୍ରତି ଘଣ୍ଟାରେ କଲେଜରେ ୧୫ ଜଣଙ୍କର ନାମଲେଖା କରାଯିବ । ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀ ୭ ରୁ ୧୦ତାରିଖ ମଧ୍ୟରେ ନାମଲେଖାଇବେ । ଅଗଷ୍ଟ ୨୦ରେ ସ୍ପଟ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ । ୨୨ ରୁ ୨୮ ମଧ୍ୟରେ ସ୍ପଟ ନାମଲେଖା ଅନୁଷ୍ଠିତ ହେବ । ତେବେ ଅଗଷ୍ଟ ପହିଲାରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।