ବରଗଡ଼: ବହୁ ଚର୍ଚ୍ଚିତ ବରଗଡ଼ ହାଟପଦା ସାଇମନ୍ଦିର ସାମ୍ନାରେ ଭୁଜାଲି ଆକ୍ରମଣ ଘଟଣା ଓ ଦୁଇ ଜଣଙ୍କୁ ହତ୍ୟା ନେଇ ବରଗଡ଼ ପୁଲିସ ସୂଚନା ଦେଇଛି। ବରଗଡ଼ ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ କହିଛନ୍ତି, ପୁଲିସ ଏହି ମାମଲାରେ ୪ଜଣଙ୍କୁ ଗିରଫ କରିଥିବା ବେଳେ ୨ଜଣ ନାବାଳକୁ ନିଜର ଅକ୍ତିଆରକୁ ଆଣିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି, ଗତ ଜାନୁଆରି ୨୩ ତାରିଖ ଦିନ ସରସ୍ଵତୀ ପୂଜା ହୋଇଥିଲା। ଏହି ସମୟରେ ୨ଟି ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ଗତ ଗୁରୁବାର ସଂଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ବିଚ୍ ରାସ୍ତା ଜନଗହଳିପୂର୍ଣ୍ଣ ସ୍ଥାନରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଟିଏ ଗୋଷ୍ଠୀର ଯୁବକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ସହରରେ ଅଶାନ୍ତ ପରିବେଶ ଲାଗିରହିଥିବା ବେଳେ ଘଟଣାରେ ଆଉ କାହା କାହାର ସଂପୃକ୍ତ ଅଛି ସେନେଇ ପୁଲିସ ତଦନ୍ତ ଚଳାଇଛି।










