19.1 C
Bhubaneswar
Monday, February 2, 2026
Homeଓଡିଶାନୀଳ ଓ ସବୁଜ ଅର୍ଥନୀତିର ସୁଯୋଗର ଉପଯୋଗିତା ବୃଦ୍ଧି କରି ନିରନ୍ତର ବିକାଶ ସଂପର୍କରେ ୨...

ନୀଳ ଓ ସବୁଜ ଅର୍ଥନୀତିର ସୁଯୋଗର ଉପଯୋଗିତା ବୃଦ୍ଧି କରି ନିରନ୍ତର ବିକାଶ ସଂପର୍କରେ ୨ ଦିନିଆ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ରାଜ୍ୟର ବିକାଶର ଧାରାକୁ ଏକ ସ୍ଥାୟୀ, ସୁଦୃଢ଼ ଓ ନିରନ୍ତରତା ଭିତ୍ତିରେ ଆଗକୁ ନେବା ଉଦ୍ଦେଶ୍ୟରେ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି  ଉଦ୍ଦେଶ୍ୟରେ ଏକ ଦୁଇ ଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମନ୍ୱିତ ବିକାଶ ଲକ୍ଷ୍ୟ ସେଲ୍‌ (ଏସ୍‌ଡିଜି ସେଲ) ଆନୁକୂଲ୍ୟରେ ସ୍ଥାନୀୟ କ୍ରାଉନ୍‌ ହୋଟେଲ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ଉନ୍ନୟନ କମିଶନର ଶ୍ରୀଯୁକ୍ତ ସିଂ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାର ମାନଙ୍କୁ ଏ କ୍ଷେତ୍ରରେ ସମ୍ଭାବନାର ଦିଗ ପ୍ରତି ଭଲଭାବେ ବୁଝିବା, ଏହାର ସୁଯୋଗ  କିଭଳି ନିର୍ଭର କରୁଥିବା ଜନସାଧାରଣ ନେଇପାରିବେ ଓ ତାହା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ,ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଇ ବିକାଶକୁ ସାଥିରେ ନେବା ପାଇଁ ସେ ପ୍ରକାଶ କରିବା ସହ ଏହି କର୍ମଶାଳା ସମସ୍ତଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କର୍ମଶାଳାରେ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଟି. ଆଓ ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ଜଙ୍ଗଲ, ପ୍ରାକୃତିକ ସଂପଦ, ନଦୀ, ସୁଦୀର୍ଘ ସାମୁଦ୍ରିକ ଉପକୂଳ ଆଦି ରହିଛି । ମତ୍ସ୍ୟ ଚାଷ, ଜଳ ଚାଷ, ସାମୁଦ୍ରିକ ବାଣିଜ୍ୟ, ସମୁଦ୍ରିଭିତ୍ତିକ ନବୀକରଣ ଯୋଗ୍ୟ ଶକ୍ତି, ଜୈବ ପ୍ରଯୁକ୍ତି, ପରିବେଶ ଓ ହେନ୍ତାଳ ବଣର ସୁରକ୍ଷା ଆଧାରରେ ନୀଳ ଓ ସବୁଜ ଅର୍ଥନୀତିର  ଉପଯୋଗିତା ପାଇଁ ବ୍ୟାପକ ସୁଯୋଗ ରହିଛି । ଆୟୋଜିତ ଏହି କର୍ମଶାଳାରେ ଏ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ, ଗବେଷଣା ଓ ବୈଶ୍ୱିକ ଅଭିଜ୍ଞତା ଏବଂ ଗୋଷ୍ଠୀଗତ ଶ୍ରେଷ୍ଠ ଅଭ୍ୟାସ  ଆଦି ସଂପର୍କରେ ବିସ୍ତୃତ ଆଲୋଚନା ହେବ  ବୋଲି ଜଣାଯାଇଛି ।

କର୍ମଶାଳାରେ ମିଳିତ ଜାତି ସଂଘ ବିକାଶ କାର୍ଯ୍ୟକ୍ରମ(ଭାରତ)ର ଶକ୍ତି ଓ ସହନଶୀଳତା ସ୍ତମ୍ଭ ପରିବେଶ ମୁଖ୍ୟ ଡଃ ଆଶିଷ ଚତୁର୍ବେଦୀ ଯୋଗଦେଇ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ପ୍ରତି ରହିଥିବା ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ । ଏ କ୍ଷେତ୍ରରେ ଭାରତରେ ତଥା ଓଡ଼ିଶାରେ ସାମାଜିକ ଅର୍ନ୍ତଭୁକ୍ତିକରଣର ଗୁରୁତ୍ୱ, ଖାଦ୍ୟ ନିରାପତ୍ତା, ଦକ୍ଷତା ବୃଦ୍ଧି, ନିଯୁକ୍ତି ସୁଯୋଗ, ପୁଞ୍ଜି ନିବେଶର ଆବଶ୍ୟକତା ଆଦି ଉପରେ ସେ ଆଲୋକପାତ କରିଥିଲେ ।ଏହି ଅବସରରେ ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମ ଓ ଆହ୍ୱାନ ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା  ଆକାଂକ୍ଷୀ ଜିଲ୍ଲା ଓ  ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସଫଳତାର କାହାଣୀର ଦ୍ୱିତୀୟ ଭାଗ ଉନ୍ମୋଚିତ ହୋଇଥିଲା ।ଦୁଇ ଦିନ ଧରି ଏହି କର୍ମଶାଳାରେ ୬ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ନୀଳ ଓ ସବୁଜ ଅର୍ଥନୀତିର ବିଶେଷଜ୍ଞମାନେ ଯୋଗଦେଇ ବିଷୟଭିତ୍ତିକ ବିଭିନ୍ନ ଆଲୋଚନା କରିବେ ଓ ପରାମର୍ଶ ଦେବେ ବୋଲି ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking