ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗ୍ରାମର ମୁଖ୍ୟ ସାଇବର ଠକକୁ କଟକ ସାଇବର ପୁଲିସ ଗତକାଲି କୁଆଖିଆ ଅଞ୍ଚଳରୁ ଗିରଫ କରିବା ସହ ତାର ଜଣେ ସମ୍ପର୍କୀୟକୁ ଘରୁ ଉଠାଇ ନେଇଛି। ଗତକାଲି ବିଳମ୍ବିତ ରାତିରେ କଟକ ସାଇବର ପୁଲିସ ଏବଂ ଧର୍ମଶାଳା ପୁଲିସ ମିଳିତ ଭାବେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଘର ଉପରେ ଚଢ଼ାଉ କରିଥିଲେ। ହେଲେ ସେଠାରେ ସରୋଜକୁ ନପାଇ ବିଭିନ୍ନ ସ୍ଥାନରେ ରେଡ କରିବା ପରେ ତାକୁ କୁଆଖିଆ ଅଞ୍ଚଳରୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପରେ ଏହି ଘଟଣାରେ ସାଇବର ପୁଲିସ ତାର ସମ୍ପର୍କୀୟ ପୋବଳ ଗ୍ରାମର ଅଜୟ ଜେନାକୁ ଉଠାଇନେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, କଟକରେ ରହୁଥିବା ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ନଗ୍ନ ଭିଡିଓ ଜାଲରେ ଫସାଇ ସରୋଜ ୮୮ଲକ୍ଷ ଟଙ୍କା ଲୁଟି ନେଇଥିଲା। ଏହି ଘଟଣାର ତଦନ୍ତ କରି କଟକ ସାଇବର୍ ପୁଲିସ ଜାନୁଆରୀ ୨୦ରେ ସରୋଜଙ୍କ ଘର ଉପରେ ଚଢାଉ କରିଥିବା ବେଳେ ସେ ଖସିଯିବାରେ ସକ୍ଷମ ହୋଇଥିଲା। ସାଇବର ପୁଲିସ ସେହି ସମୟରେ ଏହି ଘଟଣାରେ ସମ୍ପୃକ୍ତ ପୋବଳ ଗ୍ରାମର ୩ ଜଣଙ୍କୁ ଗିରଫ କରିବା ସହିତ କିଛି ସୁନା ଅଳଙ୍କାର ଓ ନଗଦ ଟଙ୍କା ଜବତ କରିଥିଲା। ଏହି ଘଟଣାରେ ସାଇବର୍ ପୁଲିସ ତଦନ୍ତ ଜାରିରଖିଥିବା ବେଳେ ଗତକାଲି ତାଙ୍କୁ ଗିରଫ କରିଥିବା ଜଣାଯାଇଛି ।










