ଗଜପତି: ଅଙ୍ଗନବାଡି ଛତୁଆ ଖାଇ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ । ଆଉ ୨ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି । ଗଜପତି ଜିଲ୍ଲା ରାମଗିରିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ରାମଗିରି ଗ୍ରାମର ତୁଳସୀ ନଗରରେ ରହୁଥିବା ଶିବଶଙ୍କର ବଡମୁଣ୍ଡିଙ୍କ ପରିବାରର ସମସ୍ତ ସଦସ୍ୟ ଅଙ୍ଗନବାଡ଼ି କେନ୍ଦ୍ରର ଛତୁଆ ଖାଇଥିଲେ । ଛତୁଆ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ପରିବାର ସଦସ୍ୟ । ସମସ୍ତଙ୍କୁ ତୁରନ୍ତ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତୁଳସୀ ବଡ଼ମୁଣ୍ଡି ଓ ଗୁଣବତୀ ବଡ଼ମୁଣ୍ଡିଙ୍କର ମୃତ୍ୟୁ ହୋଇଛି । ଦୁଇ ମୃତକ ଶିଶୁ କନ୍ୟା ସମ୍ପର୍କୀୟ ବୋଲି ଜଣାପଡ଼ିଛି । ସେହିପରି ସୁମିତ୍ରା ବଡ଼ମୁଣ୍ଡି ଓ ତାଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି ଅସୁସ୍ଥ ହୋଇଛନ୍ତି । ଅଙ୍ଗନବାଡ଼ି ଛତୁଆ ଖାଇ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।