ଗାଜିଆବାଦ: ଅନ୍ଲାଇନ୍ ଟ୍ରେଡିଂ ଆଳରେ ଡିଜିଟାଲ୍ ଠକେଇ ଏବେ ଆମ ଦେଶରେ ଏକ ସାଧାରଣ କଥା ହୋଇଯାଇଛି। ଏପ୍ରକାର ଏକ ସଦ୍ୟତମ ଘଟଣା ଗାଜିଆବାଦ୍ରେ ଘଟିଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଗାଜିଆବାଦରେ ସାଇବର ଠକମାନେ ଅନଲାଇନ୍ ଟ୍ରେଡିଂରେ ଲାଭବାନ କରାଇଦେବା ପ୍ରତିଶ୍ରୁତି ଦେଇ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ୨୩.୩୩ ଲକ୍ଷ ଠକି ନେଇଛନ୍ତି। ଏହି ଡିଜିଟାଲ୍ ଠକମାନେ ପ୍ରଥମେ ବୃଦ୍ଧଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ (ସପ୍ତାହକୁ ୨୦ରୁ ୩୦% ଲାଭ) ତାଙ୍କ ଠାରୁ ବିଭିନ୍ନ ଉପାୟରେ ଟଙ୍କା ନେବା ଆରମ୍ଭ କରିଥିଲେ। ପରେ ଏସବୁ ଟଙ୍କାକୁ ସେମାନେ ଭିନ୍ନ ଭିନ୍ନ ୮ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକକୁ ସ୍ଥାନାନ୍ତର କରିଦେଇଥିଲେ ଏବଂ ଉଠାଇନେଇଥିଲେ। ଏପରିକି ଯେତେବେଳେ ବୃଦ୍ଧ ଜଣକ ନିଜ ଆକାଉଣ୍ଟରୁ କିଛି ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ଏହି ଠକମାନେ ତାଙ୍କୁ ଟିକସ ଭୟ ଦେଖାଇ ଅଧିକ ଟଙ୍କା ଦାବି କରିଥିଲେ। ଠକାମିର ଶିକାର ହୋଇଥିବା ଖେଡା କଲୋନିର ବାସିନ୍ଦା ସୁରେଶ ଚନ୍ଦ୍ର ଶେଖର ସାଇବର ଥାନାରେ ଏକ ମାମଲା ରୁଜୁ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ତେବେ ସାଇବର ଥାନାରେ ମାମଲା ରୁଜୁ ହେବା ପରେ ଏଡିସିପି ପୀୟୁଷ ସିଂହ କହିଛନ୍ତି ଯେ ଏହି ମାମଲାରେ ତଦନ୍ତ କରାଯାଉଛି। ଠକେଇ ହୋଇଥିବା ଟଙ୍କାକୁ ଫ୍ରିଜ୍ କରିବା ପାଇଁ ପ୍ରୟାସ କରାଯିବା ସହ ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ।










