20.1 C
Bhubaneswar
Friday, January 16, 2026
Homeଖେଳପ୍ରଥମ ମହିଳା ଦିନିକିଆ; ନ୍ୟୁଜିଲାଣ୍ଡକୁ ୫୯ ରନ୍‌ରେ ହରାଇଲା ଭାରତ

ପ୍ରଥମ ମହିଳା ଦିନିକିଆ; ନ୍ୟୁଜିଲାଣ୍ଡକୁ ୫୯ ରନ୍‌ରେ ହରାଇଲା ଭାରତ

ଅହମ୍ମଦାବାଦ: ଗୁରୁବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମହିଳା ଟିମ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୫୯ ରନ୍‌ରେ ଶୋଚନୀୟ ଭାବେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହା ସହିତ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ପ୍ରଥମେ ଭାରତ ୪୪.୩ ଓଭର୍‌ରେ ୨୨୭ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୦.୪ ଓଭର୍‌ରେ ମାତ୍ର ୧୬୮ ରନ୍ କରି ସୀମିତ ହୋଇଯାଇଥିଲା। ପଦାର୍ପଣରେ ଦୁଇଟି ୱିକେଟ୍ ନେଇଥିବା ଭାରତ ସାଇମା ଠାକୋର୍‌ଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି।

ଟସ୍ ଜିତି ବ୍ୟାଟିଂ ନେଇଥିବା ଭାରତ ପକ୍ଷରୁ ପଦାର୍ପଣ କରିଥିବା ତେଜଲ୍ ହସବ୍‌ନିସ୍ ସର୍ବାଧିକ ୪୨ ଏବଂ ଦୀପ୍ତି ଶର୍ମା ୪୧ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଫାଳୀ ବର୍ମା ୩୩, ୟାସ୍ତିକା ଭାଟିଆ ୩୭, ଜେମିମା ରଡ୍ରିଗ୍ସ ୩୫, ଅରୁନ୍ଧତୀ ରେଡ୍ଡୀ ୧୪ ରନ୍ କରିଥିଲେ। ନ୍ୟୁଜିଲାଣ୍ଡର ଆମେଲିଆ କେର୍ ଟି-୨୦ ବିଶ୍ୱକପ୍ ଫର୍ମ ବଜାୟ ରଖି ୪ଟି ୱିକେଟ୍ ଅକ୍ତିଆ କରିଛନ୍ତି। ଏହା ବ୍ୟତୀତ ଜେସ୍ କେର୍ ୩ଟି ଓ ଏଡେନ୍ କାର୍ସନ୍ ୨ଟି ୱିକେଟ୍ ନେଇଥିଲେ। ଇତିମଧ୍ୟରେ ଭାରତ ଏକ ବିରଳ ରେକର୍ଡର ଅଧିକାରୀ ହୋଇଥିଲା।

ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ ବିନା ଭାରତୀୟ ଟିମ୍ ଏତେ ବଡ଼ ସ୍କୋର୍ କରିବା ମହିଳା ଦିନିକିଆ କ୍ରିକେଟ୍‌ରେ ପ୍ରଥମ ଘଟଣା। ୨୨୮ ରନ୍‌ର ପିଛା କରୁଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ବ୍ରୁକ୍ ହାଲିଡେ ସର୍ବାଧିକ ୩୯ ରନ୍ କରିଥିଲେ। ତାଙ୍କ ବ୍ୟତୀତ ମାଡି ଗ୍ରୀନ୍ ୩୧, ଆମେଲିଆ କେର୍ ୨୫, ଲରେନ୍ ଡାଉନ୍ ୨୬, ଜର୍ଜିୟା ପ୍ଲିମର୍ ୨୫ ରନ୍‌ର ଯୋଗଦାନ କରିଥିଲେ। ଭାରତ ପକ୍ଷରୁ ରାଧା ଯାଦବ ସର୍ବାଧିକ ୩ଟି, ପଦାର୍ପଣକାରୀ ସାଇମା ଠାକୋର୍ ୨ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଦୀପ୍ତି ଶର୍ମା ଓ ଅରୁନ୍ଧତି ରେଡ୍ଡୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି। ପରବର୍ତ୍ତୀ ମ୍ୟାଚ୍ ୨୭ ତାରିଖରେ ଖେଳାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking