27.1 C
Bhubaneswar
Thursday, February 12, 2026
Homeଓଡିଶାଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ୱେବସାଇଟ୍ ଉନ୍ମୋଚନ କଲେ ଏସ. ଜୟଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ମୋହନ...

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସର ୱେବସାଇଟ୍ ଉନ୍ମୋଚନ କଲେ ଏସ. ଜୟଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

– ଆସନ୍ତା ଜାନୁଆରୀ ୮ରୁ ୧୦ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ
– ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଓ ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ମିଳିତ ଭାବେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ୱେବସାଇଟ୍ (pbdindia.gov.in)କୁ ଉନ୍ମୋଚନ କରିଛନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ମଧ୍ୟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ । ବିଦେଶରେ ରହୁଥିବା ଭାରତୀୟ ପ୍ରବାସୀଙ୍କ ସହ ଯୋଗାଯୋଗ ଏବଂ ସମ୍ପର୍କ ସ୍ଥାପନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ଓଡ଼ିଶା ସରକାରଙ୍କ ସହଯୋଗରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆସନ୍ତା ୨୦୨୫ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ।

୨୦୨୫ ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଏକ ବିକଶିତ ଭାରତରେ ପ୍ରବାସୀଙ୍କ ଅବଦାନ’’। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରବାସୀ ଭାରତୀୟ ଦିବସର ଏକ ଯୁବ ସଂସ୍କରଣ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବା ସହ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ । ୱେବସାଇଟର ଉନ୍ମୋଚନ ସହ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ୱେବସାଇଟ ଓଡ଼ିଶାରେ ରହିବା ପାଇଁ ରିଜର୍ଭେସନ ସୁବିଧା ପ୍ରଦାନ କରିବ ଏବଂ ପ୍ରବାସୀ ଭାରତୀୟ ଦିବସ ୨୦୨୫ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବ ।

ୱେବସାଇଟକୁ ଉନ୍ମୋଚନ କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଭାରତ ସରକାର ୩୫ ନିୟୁତରୁ ଅଧିକ ପ୍ରଭାବଶାଳୀ ଭାରତୀୟ ପ୍ରବାସୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ବିଦେଶ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ବାର୍ତ୍ତାଳାପ କରିଛନ୍ତି । ଭାରତର ବିକାଶ ଧାରା ପ୍ରତି ପ୍ରବାସୀଙ୍କ ଅତୁଟ ସମର୍ଥନ ଭାରତ ଏବଂ ଏହାର ବିଶ୍ୱ ସମୁଦାୟ ମଧ୍ୟରେ ଥିବା ଦୃଢ଼ ସମ୍ପର୍କର ପ୍ରମାଣ । ଭାରତୀୟ ପ୍ରବାସୀ ମାନେ ଏକ ବିକଶିତ ଭାରତ ଅଭିମୁଖେ ଭାରତର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ। ଓଡ଼ିଶା ଗସ୍ତରେ ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ପ୍ରବାସୀମାନେ ଓଡ଼ିଶାର ସମୃଦ୍ଧ ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking