31.1 C
Bhubaneswar
Tuesday, March 24, 2026
Homeଓଡିଶାପୋଲିସର ୧୬ଟି ସାଇବର ରଥ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି

ପୋଲିସର ୧୬ଟି ସାଇବର ରଥ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି

ଭୁବନେଶ୍ୱର: ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ୧୬ଟି ସାଇବର ରଥ ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି । ଏହି ରଥରେ ଖଚିତ LED ପ୍ୟାନେଲ୍ ରେ ପ୍ରଦର୍ଶିତ ହେଉଥିବା ଭିଡିଓ ବାର୍ତ୍ତାକୁ ଜନସାଧାରଣ ବିଶେଷ କରି ଛାତ୍ର ଛାତ୍ରୀମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କ ମନରେ ସାଇବର ସୁରକ୍ଷା ପ୍ରତି ବଢ଼ୁଥିବା ସଚେତନତା ଏବଂ ଆଗ୍ରହ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ରାଲି, ସେମିନାର, କର୍ମଶାଳା ଏବଂ ସାଧାରଣ ସଭା ସମେତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ୨.୫ ଲକ୍ଷରୁ ଅଧିକ ସାଧାରଣ ନାଗରିକ ସକ୍ରିୟ ଭାବେ ଅଂଶଗ୍ରହଣ କରି ସାଇବର ସୁରକ୍ଷା କ୍ଷେତ୍ରରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଏଥିରେ ୧୬ଟି ସାଇବର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅଭିଯାନରେ ଓଡ଼ିଶାର ୩୩ଟି ପୋଲିସ୍ ଜିଲ୍ଲା ସକ୍ରିୟ ଭାବେ ସାମିଲ ହୋଇ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ ଜିଲ୍ଲାମାନଙ୍କରେ ୫୦ରୁ ଅଧିକ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସର୍ବସାଧାରଣ ସ୍ଥାନରେ ସଚେତନତା କର୍ମଶାଳା ଆୟୋଜନ କରାଯାଇଛି। ଏଥି ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସାଇବର ସଚେତନତା ସମ୍ବଳିତ ପାମ୍ପଲେଟ୍ ବଣ୍ଟନ କରାଯାଇଛି ଏବଂ LED ପ୍ୟାନେଲ୍ ମାଧ୍ୟମରେ ସାଇବର ସୁରକ୍ଷା ସମ୍ପର୍କିତ ଭିଡିଓ ପ୍ରଦର୍ଶିତ ହେଉଛି।

ପୁରୀ ଜିଲ୍ଲା ପୋଲିସ ତରଫରୁ ସାଇବର ସଚେତନତା ପ୍ରସାର ପାଇଁ ଏକ walkathon ର ଆୟୋଜନ କରାଯାଇଥିବାବେଳେ ଏଥିରେ ହଜାର ହଜାର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ସାଇବର ସୁରକ୍ଷା ସମ୍ପର୍କରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ କଳାକାରଙ୍କ ସହଯୋଗରେ ସାଇବର ସୁରକ୍ଷା ସମ୍ପର୍କିତ ପଥପ୍ରାନ୍ତ ନାଟକ ପରିବେଷଣ କରଯାଇଥିଲା ଯାହାକୁ ଦର୍ଶକ ମାନେ ଆଗ୍ରହର ସହ ଉପଭୋଗ କରିବା ସହ ସାଇବର ସୁରକ୍ଷା ସମ୍ପର୍କିତ ସଚେତନ ହୋଇଥିବା ପରିଲକ୍ଷିତ ହୋଇଥିଲା ।  ବାଲେଶ୍ୱର ଜିଲ୍ଲାରେ ଆୟୋଜିତ ହୋଇଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସର୍ବାଧିକ ୨୦ ହଜାରରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିବା ବେଳେ କଳାହାଣ୍ଡିରେ ୧୫ ହଜାରରୁ ଅଧିକ ଏବଂ ସମ୍ବଲପୁରରେ ୧୨ ହଜାରରୁ ଅଧିକ ନାଗରିକ ସାମିଲ ହୋଇ ସାଇବର ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସହ ପୋଲିସର ଭୂମିକାକୁ ପ୍ରସଂଶା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking