ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାର ବିକାଶ ପାଇଁ ଯୋଗୀ ସରକାର ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଅଯୋଧ୍ୟାରେ ପର୍ଯଟନ ବିକାଶ ସହିତ ଜଡିତ ୧୬ଟି ନୂତନ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ପାଇଁ ମୋଟ ୯୨.୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାର ପ୍ରସ୍ତାବ ତୀର୍ଥ ବିକାଶ ପରିଷଦ ଯୋଜନା ଅଧୀନରେ ପଠାଯାଇଥିଲା, ଯାହାକୁ ସରକାରଙ୍କ ଦ୍ୱାରା ସବୁଜ ସଙ୍କେତ ଦିଆଯାଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଅଯୋଧ୍ୟାକୁ ଏକ ବିଶ୍ୱସ୍ତରୀୟ ଧାର୍ମିର୍କ ଏବଂ ପର୍ଯଟନ ସ୍ଥଳ ଭାବରେ ବିକାଶ କରିବା । ଏହି ୧୬ଟି ପ୍ରକଳ୍ପ ଅଧିନରେ , ସହରର ଭିତ୍ତିଭୂମି ସୁବିଧା ଯଥା ରାସ୍ତା, ସୌଚାଳୟ, ପାର୍କିଂ, ସାଇନ୍ ବୋର୍ଡ, ବର୍ଷା ଆଶ୍ରୟସ୍ଥଳ ଏବଂ ପାନୀୟ ଜଳ ଭଳି ଅତ୍ୟାବଶ୍ୟକୀୟ ସୁବିଧାଗୁଡିକର ଉନ୍ନତି କରାଯିବ । ଏହା ସହିତ, ପ୍ରମୁଖ ତୀର୍ଥସ୍ଥଳଗୁଡିକର ପରିଷ୍କାର ପରିଚ୍ଛନତା ଏବଂ ସୌନ୍ଦର୍ଯ୍ୟକରଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ ।
ଏହି ପ୍ରକଳ୍ପଗୁଡିକ ମାଧ୍ୟମରେ, ଅଯୋଧ୍ୟାକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକମାନେ ଉତ୍ତମ ସୁବିଧା ପାଇବେ, ଯାହା ସେମାନଙ୍କର ଅଭିଜ୍ଞତାକୁ ସ୍ମରଣୀୟ କରିବ । ରାମ ମନ୍ଦିର ନିର୍ମାଣ ପରେ, ଭାରତ ଏବଂ ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ସରକାର ଚେଷ୍ଟା କରୁଛନ୍ତି । ଏହା ଉଲ୍ଲେଖନୀୟ ଯେ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଦ୍ରୁତ ଗତିରେ ଚାଲିଛି ଏବଂ ଏହାର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୦୨୪ରେ ସାଧାରଣ ଦର୍ଶନ ପାଇଁ ଖୋଲା ଯାଇଥିଲା । ସେବେଠାରୁ କୋଟି କୋଟି ଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି ଏବଂ ଏଠାକାର ପର୍ଯ୍ୟଟନ ବ୍ୟବସ୍ଥାରେ ଉନ୍ନତିର ଆବଶ୍ୟକତା ଅନୁଭୂତି ହୋଇଥିଲା ।
ସରକାର ଅଯୋଧ୍ୟାରେ ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ରାସ୍ତା, ଘାଟ ଏବଂ ବିମାନବନ୍ଦରର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଏବେ ଏହି ୧୬ଟି ନୂତନ ପ୍ରକଳ୍ପ ସହିତ, ଅଯୋଧ୍ୟାର ଧାର୍ମିକ ଏବଂ ପର୍ଯ୍ୟଟନ ଦିଗକୁ ଆହୁରି ଉନ୍ନତ କରାଯିବ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ ଥର କହିଛନ୍ତି ଯେ ଅଯୋଧ୍ୟା କେବଳ ବିଶ୍ୱାସର କେନ୍ଦ୍ର ନୁହେଁ ବରଂ ଭାରତର ସାଂସ୍କୃତିକ ପରିଚୟ ମଧ୍ୟ। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି, ସରକାର ଏଠାରେ ତୀର୍ଥସ୍ଥାନ ଏବଂ ପର୍ଯ୍ୟଟନ ବିକାଶକୁ ପ୍ରାଥମିକତା ଦେଉଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକର କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ଏବଂ ଭକ୍ତମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡ଼ିବ ସେଥିପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେଗୁଡ଼ିକୁ ସମାପ୍ତ କରିବାକୁ ଚେଷ୍ଟା କରାଯିବ।