19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶ୧୫ରୁ ଏସ୍‌ସିଓ ଶିଖର ସମ୍ମିଳନୀ; ୨ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ଜୟଶଙ୍କର

୧୫ରୁ ଏସ୍‌ସିଓ ଶିଖର ସମ୍ମିଳନୀ; ୨ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ଜୟଶଙ୍କର

ନୂଆଦିଲ୍ଲୀ : ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ପକ୍ଷରୁ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀ ପାକିସ୍ତାନରେ ଆୟୋଜନ ହେବ। ବୈଠକରେ ସଂଗଠନର ଅନ୍ୟତମ ସଦସ୍ୟ ରାଷ୍ଟ୍ର ଥିବା ଭାରତ ପକ୍ଷରୁ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏଥର ପ୍ରତିନିଧିତ୍ୱ କରିବେ। ଏସ୍‌ସିଓ ବୈଠକ ଅକ୍ଟୋବର ୧୫ରୁ ୧୬ ତାରିଖ ପର୍ଯ୍ୟନ୍ତ ପାକିସ୍ତାନରେ ଅନୁଷ୍ଠିତ ହେବ। ସୁତରାଂ ଏହି ୨ଦିନ ପାଇଁ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ। ଏପରି ହେଲେ ଗତ ୧୦ ବର୍ଷ ମଧ୍ୟରେ ଭାରତର ପ୍ରଥମ ବିଦେଶ ମନ୍ତ୍ରୀ ଭାବେ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ। ବ୍ୟକ୍ତିଗତ ଭାବେ ମଧ୍ୟ ଏହା ତାଙ୍କର ପ୍ରଥମ ଇସଲାମାବାଦ୍ ଗସ୍ତ କରିବେ। ଶେଷଥର ପାଇଁ ତତ୍କାଳୀନ ଭାରତୀୟ ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ (ଦିବଂଗତ) ପାକିସ୍ତାନ୍ ଗସ୍ତ କରିଥିଲେ।
ପ୍ରକାଶ, ଚଳିତ ଏସ୍‌ସିଓ ଶିଖର ସମ୍ମିଳନୀ ପାକିସ୍ତାନରେ ଆୟୋଜନ ହେବା ନେଇ ସ୍ପଷ୍ଟ ହେବା ପରେ ଏଥିରେ ଯୋଗଦେବା ପାଇଁ ପାକିସ୍ତାନ ନିମନ୍ତ୍ରଣ ପଠାଇଥିବା ନେଇ କେନ୍ଦ୍ର ସରକାର ସୂଚନା ଦେଇଥିଲେ। କିନ୍ତୁ ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ନେଇ ସ୍ପଷ୍ଟ କରାଯାଇନଥିଲା। ଫଳରେ ଭାରତ ଏହି ବୈଠକରେ ଯୋଗନଦେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଭାରତ, ପାକିସ୍ତାନ ମଧ୍ୟରେ ରହିଥିବା ତିକ୍ତତା କାରଣରୁ ଭାରତ ଏହି ବୈଠକରେ ସାମିଲ ହେବନାହିଁ ବୋଲି ଅନୁମାନ କରାଯାଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯିବାକୁ ନେଇ ସନ୍ଦେହ ସୃଷ୍ଟି ହେବା ପରେ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ଶିଖର ସମ୍ମିଳନୀରେ ଯୋଗଦେଇପାରନ୍ତି ବୋଲି ସୂଚନା ଆସିଲା। ମୋଟାମୋଟି ପଡ଼ୋଶୀ ଦେଶ ପାକିସ୍ତାନରେ ହେବାକୁ ଥିବା ଏସସିଓ ବୈଠକରେ ଭାରତ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା। ଶେଷରେ ଭାରତ ଏଥିରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ଏସସିଓ ବୈଠକରେ ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ ବୋଲି ଶୁକ୍ରବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ ପାକିସ୍ତାନରେ ୨ ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଚୀନ ଓ ରୁଷ୍ ଭଳି ଦେଶ ମଧ୍ୟ ଅଂଶଗ୍ରହଣ କରିବେ। ସେହିପରି ଭାରତ ବ୍ୟତୀତ ଚୀନ୍‌, ରୁଷିଆ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଓ ଉଜବେକିସ୍ତାନ ଭଳି ଦେଶ ମଧ୍ୟ ଏସ୍‌ସିଓରେ ସାମିଲ ଅଛନ୍ତି। ତେବେ ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବାକି କାର୍ଯ୍ୟକ୍ରମ କ’ଣ ହେବ, ସେସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ମନ୍ତ୍ରଣାଳୟ ଦର୍ଶାଇଛି।
ପ୍ରକାଶ, ଏହି ବୈଠକରେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ତଥା ମାନବିକ ସହଯୋଗ ଉପରେ ଆଲୋଚନା ହେବ। ୨୦୦୧ରେ ଋଷ, ଚୀନ୍‌, କିରଗିଜ୍ ରିପବ୍ଲିକ୍‌, କାଜାଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିଙ୍କ ଦ୍ୱାରା ସାଂଘାଇରେ ଏକ ଶିଖର ସମ୍ମିଳନୀରେ ଏସସିଓ ପ୍ରତିଷ୍ଠା କରାଯାଇଥିଲା। ୨୦୧୭ରେ ଭାରତ ଏବଂ ପାକିସ୍ତାନ ଏହାର ସ୍ଥାୟୀ ସଦସ୍ୟ ହୋଇଥିଲେ। ସେହିପରି ଗତ ବର୍ଷ ଜୁଲାଇରେ ଇରାନ ଏହାର ସ୍ଥାୟୀ ସଦସ୍ୟ ହୋଇଛି। ଏହି ସମୟରେ ଭାରତ ଅଧ୍ୟକ୍ଷତା କରିଥିଲା। କିନ୍ତୁ ଏହା ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲା। ଭାରତ ଆୟୋଜିତ କରିଥିବା ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଭିଡିଓ କନଫରେନ୍ସିଂ ଯୋଗେ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking