27.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶକିଣାହେବ ୧୫୬ ‘ପ୍ରଚଣ୍ଡ’ ହେଲିକପ୍ଟର; ବାୟୁସେନାକୁ ମିଳିବ ୬୬, ସ୍ଥଳସେନାକୁ ୯୦

କିଣାହେବ ୧୫୬ ‘ପ୍ରଚଣ୍ଡ’ ହେଲିକପ୍ଟର; ବାୟୁସେନାକୁ ମିଳିବ ୬୬, ସ୍ଥଳସେନାକୁ ୯୦

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍‌) ସହ ୬୨,୭୦୦ କୋଟି ଟଙ୍କା ମୂଲ୍ୟର ଦୁଇଟି ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନ୍ତର୍ଗତ ହାଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରାୟ ୧୫୬ଟି ହାଲୁକା ତଥା ଲଢ଼ୁଆ ହେଲିକପ୍ଟର (ଏଲ୍‌ସିଏଚ୍‌) ‘ପ୍ରଚଣ୍ଡ’ ଯୋଗାଇବ। ପ୍ରଚଣ୍ଡ’ର ହସ୍ତାନ୍ତରଣ ସହ ଏହାକୁ ଚଳାଇବା ପାଇଁ ଆବଶ୍ୟକ ତାଲିମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ମଧ୍ୟ ହାଲ୍ ଯୋଗାଣ କରିବ। ପ୍ରଥମ ଚୁକ୍ତି ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ମିଳିବାକୁ ଥିବା ୬୬ଟି ପ୍ରଚଣ୍ଡ’ ହେଲିକପ୍ଟରକୁ ଭାରତୀୟ ବାୟୁସେନା (ଆଇଏଏଫ୍‌)କୁ ଏବଂ ଦ୍ୱିତୀୟ ଚୁକ୍ତି ଅନ୍ତର୍ଗତ ୨ୟ ପର୍ଯ୍ୟାୟରେ ମିଳିବାକୁ ଥିବା ୯୦ଟି ହେଲିକପ୍ଟରକୁ ଭାରତୀୟ ସ୍ଥଳସେନାକୁ ହସ୍ତାନ୍ତର କରାଯିବ। ହାଲ୍ ପାଇଁ ଏହା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସର୍ବବୃହତ୍ ଅର୍ଡର ବୋଲି କୁହାଯାଉଛି। ପ୍ରକାଶ, ପ୍ରଚଣ୍ଡ ବିଭିନ୍ନ ପ୍ରକାରର ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ କ୍ଷେପଣାସ୍ତ୍ର ନିକ୍ଷେପ କରିବାକୁ ସକ୍ଷମ।

ପିଆଇବି ରିପୋର୍ଟ ଅନୁସାରେ ଏହି ହେଲିକପ୍ଟରଗୁଡ଼ିକର ଯୋଗାଣ ତୃତୀୟ ବର୍ଷରୁ ଆରମ୍ଭ ହେବ ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସମାପ୍ତ ହେବ। କର୍ଣ୍ଣାଟକର ତୁମ୍‌କୁର ଏବଂ ବେଙ୍ଗାଲୁରୁ ସ୍ଥିତ ନିଜ ପ୍ଲାଣ୍ଟରେ ହାଲ୍ ଏହି ହେଲିକପ୍ଟରଗୁଡ଼ିକ ବିକଶିତ କରିବ। ଏହି ଚୁକ୍ତିନାମାଗୁଡ଼ିକ ଭୂପୃଷ୍ଠରୁ ଉଚ୍ଚତମ ସ୍ଥାନରେ ସଶସ୍ତ୍ର ବାହିନୀର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବ। ଏଲ୍‌ସିଏଚ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ ଯୁଦ୍ଧ ହେଲିକପ୍ଟର ଯାହା ୫୦୦୦ ମିଟର (୧୬୪୦୦ ଫୁଟ୍‌)ରୁ ଅଧିକ ଉଚ୍ଚତା (ସିଆଚେନ୍ ଗ୍ଲାସିୟର ଏବଂ ପୂର୍ବ ଲଦାଖ ଭଳି ସୀମାରେଖା)ରେ କାର୍ଯ୍ୟ କରିବାର କ୍ଷମତା ରଖେ। ଏହି ହେଲିକପ୍ଟରର ବହୁ ସଂଖ୍ୟକ ଉପାଦାନ ଭାରତରେ ଡିଜାଇନ୍ ଏବଂ ନିର୍ମାଣ କରାଯାଇଛି ଏବଂ ଏହି କ୍ରୟ କାର୍ଯ୍ୟାନ୍ୱୟନ ସମୟରେ ମୋଟ ୬୫% ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ହାସଲ କରିବାକୁ ଯୋଜନା କରାଯାଇଛି। ଏଥିରେ ୨୫୦ରୁ ଅଧିକ ଘରୋଇ କମ୍ପାନୀ ମୁଖ୍ୟତଃ ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକ ସାମିଲ ହେବେ। ଏହା ୮,୫୦୦ ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ସହ ମହାକାଶ ଇକୋସିଷ୍ଟମକୁ ବିସ୍ତାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନାର ପାଇଲଟ୍‌ମାନଙ୍କୁ ଆକାଶରୁ ଆକାଶରେ ଇନ୍ଧନ ଭର୍ତ୍ତି ତାଲିମ ପ୍ରଦାନ କରିବା ପାଇଁ ଏକ ଫ୍ଲାଇଟ୍ ରିଫୁଏଲିଙ୍ଗ୍ ଏୟାରକ୍ରାଫ୍ଟ (ଏଫଆର୍‌ଏ)ର ଓଟ୍ ଲିଜ୍ ପାଇଁ ମେଟ୍ରିୟା ମ୍ୟାନେଜମେଣ୍ଟ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ମେଟ୍ରିୟା ୬ ମାସ ମଧ୍ୟରେ ଏଫଆର୍‌ଏ (କେସି ୧୩୫ ବିମାନ) ଯୋଗାଇ ଦେବ, ଯାହା ଆଇଏଏଫ୍ ଦ୍ୱାରା ଲିଜ୍ ନିଆଯାଇଥିବା ପ୍ରଥମ ଏଫ୍‌ଆର୍‌ଏ ହେବ। ତେବେ ଏହି ତିନୋଟି ଚୁକ୍ତି ସ୍ୱାକ୍ଷର ସହିତ, ୨୦୨୪-୨୫ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ସ୍ୱାକ୍ଷରିତ ହୋଇଥିବା ମୋଟ୍ ଚୁକ୍ତି ସଂଖ୍ୟା ୧୯୩ ରେ ପହଞ୍ଚିଛି ଯାହାର ମୋଟ ୍‌ଚୁକ୍ତି ମୂଲ୍ୟ ୨,୦୯,୦୫୦ କୋଟି ଟଙ୍କାରୁ ଅଧିକ, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଏବଂ ପୂର୍ବ ସର୍ବୋଚ୍ଚ ସଂଖ୍ୟାର ପ୍ରାୟ ଦ୍ୱିଗୁଣିତ। ଏଥିମଧ୍ୟରୁ ଘରୋଇ ଶିଳ୍ପକୁ ଦିଆଯାଇଥିବା ଚୁକ୍ତିନାମା ହେଉଛି ୧୭୭ (୯୨%) ଯାହାର ଚୁକ୍ତିନାମା ମୂଲ୍ୟ ୧,୬୮,୯୨୨ କୋଟି ଟଙ୍କା (୮୧%)।

ଆତ୍ମନିର୍ଭର ଭାରତ ପଦକ୍ଷେପର ଅଂଶ ଭାବରେ ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ପାଇଁ ସରକାର ଗୁରୁତ୍ୱାରୋପ କରିଆସୁଛନ୍ତି। ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ସମ୍ପ୍ରତି ୩୦୭ ଏଟିଏଜିଏସ୍ ହାୱିଜର୍ସ ପାଇଁ ଚୁକ୍ତିକୁ ମଞ୍ଜୁରୀ ଦେଇଛି ଏବଂ ଏହା ପାଇଁ ଚୁକ୍ତି ବୁଧବାର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ୭,୦୦୦ କୋଟି ଟଙ୍କାର ଏହି ଚୁକ୍ତି ଭାରତ ଫୋର୍ଜ ଏବଂ ଟାଟା ଗ୍ରୁପ୍ ସମେତ ଦୁଇଟି କମ୍ପାନୀ ମଧ୍ୟରେ ବଣ୍ଟାଯାଇଛି। ପ୍ରକାଶ, ପ୍ରତିରକ୍ଷା ମନ୍ତ୍ରଣାଳୟ କେବଳ ଚଳିତ ଆର୍ଥିକ ବର୍ଷରେ ହିଁ ୨.୦୯ ଲକ୍ଷ କୋଟି ଟଙ୍କାର ସାମରିକ ଚୁକ୍ତି ସ୍ୱାକ୍ଷର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking