ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ କୌଣସି ନା କୌଣସି କାରଣରୁ ଜାମିନ୍ ଦିଆଯାଉନାହିଁ । ଏପରି ପ୍ରତୀତ ହେଉଛି କୌଣସି ଅଦୃଶ୍ୟ ଶକ୍ତି, କେଜ୍ରିୱାଲ୍ଙ୍କୁ ଜାମିନ୍ ମିଳୁ ଓ ସେ ଜେଲ୍ରୁ ବାହାରକୁ ଆସନ୍ତୁ ବୋଲି ହୁଏତ ଚାହୁଁନାହିଁ । ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲ୍ଙ୍କୁ ଜାମିନ ମଞ୍ଜୁର କରିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ଚ୍ୟାଲେଞ୍ଜ କରିବାରୁ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ କୌଣସି ନା କୌଣସି କାରଣରୁ କେଜ୍ରିୱାଲ୍ଙ୍କ ଜାମିନ୍ ସମ୍ଭବ ହୋଇପାରୁନାହିଁ ।
ତେବେ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ କାର୍ଯ୍ୟରତ ପ୍ରାୟ ୧୫୦ ଜଣ ଆଇନଜୀବୀ ଗମ୍ଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ଅଦାଲତଗୁଡ଼ିକରେ ଏଭଳି ପରମ୍ପରା ଅଭୂତପୂର୍ବ ବୋଲି ସେମାନେ କହିବା ସହ ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଏକ ସାମୂହିକ ଚିଠି ଲେଖି ସେମାନଙ୍କର ଉଦ୍ବେଗ ଜଣାଇଛନ୍ତି । କେଜ୍ରିୱାଲଙ୍କୁ ଜାମିନ ସମ୍ପର୍କିତ ତଳକୋର୍ଟଙ୍କ ରାୟ ୱେବ୍ସାଇଟରେ ଅପ୍ଲୋଡ୍ ହେବା ପୂର୍ବରୁ ହାଇକୋର୍ଟ ବିଚାରପତି ଇଡି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କିପରି ବୋଲି ଆଇନଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ନ୍ୟାୟପାଳିକା ଇତିହାସରେ ପୂର୍ବରୁ ଏଭଳି କେବେ ଘଟି ନ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ତଥା ଏହାସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଛନ୍ଦି ହୋଇ ତିହାର ଜେଲ୍ରେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଏବେ ଇଡି ଓ ସିବିଆଇ ପକ୍ଷରୁ ଅଦଳବଦଳ ନୀତିରେ ବାରମ୍ବାର ରିମାଣ୍ଡ୍ରେ ନିଆଯାଉଛି । ଉଭୟ ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରୁଛନ୍ତି ଯେ, ତଦନ୍ତ ପ୍ରକ୍ରିୟାରେ କୁଆଡେ କେଜ୍ରିୱାଲ୍ ପୂର୍ଣ୍ଣ ସହଯୋଗ କରୁନାହାନ୍ତି । ସେହିପରି କେଜ୍ରିୱାଲ୍ଙ୍କୁ ଜାମିନ୍ ଦିଆଗଲେ, ତଦନ୍ତ ପ୍ରକ୍ରିୟା ଏବଂ ସାକ୍ଷ୍ୟ ପ୍ରମାଣ ସବୁ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ମଧ୍ୟ ଉଭୟ ତଦନ୍ତକାରୀ ଏଜେନ୍ସି ଆଶଙ୍କା ବ୍ୟକ୍ତ କରୁଛନ୍ତି । ଏହି କାରଣରୁ କୋର୍ଟ ମଧ୍ୟ କେଜ୍ରିୱାଲ୍ଙ୍କୁ ଜାମିନ୍ ପ୍ରଦାନ କରୁନାହାନ୍ତି । ତେବେ ଏସବୁକୁ ଅଗଣତାନ୍ତ୍ରିକ ଦର୍ଶାଇ ପ୍ରାୟ ୧୫୦ ଆଇନଜୀବୀ ଦେଶର ପ୍ରଧାନବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି ।