26.1 C
Bhubaneswar
Wednesday, February 11, 2026
Homeଓଡିଶାମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଦ୍ୱାରା ୧୪ତମ ଜାତୀୟ ଜାଇକା ବନୀକରଣ କର୍ମଶାଳା ଉଦଘାଟିତ

ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଦ୍ୱାରା ୧୪ତମ ଜାତୀୟ ଜାଇକା ବନୀକରଣ କର୍ମଶାଳା ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ମେ’ଫେୟାର କନଭେନସନଠାରେ ଆଜି ଜାଇକା ସହାୟତା ପ୍ରାପ୍ତ ବନୀକରଣ ପ୍ରକଳ୍ପର ୧୪ତମ ଜାତୀୟ କର୍ମଶାଳା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ବର୍ଷର ପ୍ରାସଙ୍ଗିକ ବିଷୟବସ୍ତୁ “ଭବିଷ୍ୟତ ପାଇଁ ପ୍ରସ୍ତୁତ ବନୀକରଣ: ଜଳବାୟୁ ସହନଶୀଳତା, ଡିଜିଟାଲ୍ ରୂପାନ୍ତରଣ ଏବଂ ସ୍ଥାୟୀ କାଷ୍ଠ ଅର୍ଥନୀତି” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଭାରତର ବନୀକରଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ ସ୍ଥାୟୀ ବିକାଶର ସମନ୍ୱୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସଦୃଶ। ଫେବୃଆରୀ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନିଦିନିଆ କର୍ମଶାଳାକୁ ଓଡ଼ିଶା ବନ ପ୍ରକଳ୍ପ ଉନ୍ନୟନ ସଂସ୍ଥା-ଦ୍ୱିତୀୟ ପର୍ଯ୍ୟାୟ (ଓଏଫ୍ଏସଡିପି-II) ଏବଂ ଜାପାନ ଇଣ୍ଟରନ୍ୟାସନାଲ କୋପରେସନ ଏଜେନ୍ସି  (ଜାଇକା) ମିଳିତ ଭାବେ ଆୟୋଜନ କରିଛନ୍ତି।

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଛନ୍ତି ଯେ, ବିଶ୍ୱ ଜଳବାୟୁ ସଙ୍କଟର ମୁକାବିଲା, ପରିବେଶ ସୁରକ୍ଷା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ନିର୍ବାହ କ୍ଷେତ୍ରରେ ସୁସ୍ଥ ବନ୍ୟ ପରିସଂସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଆନ୍ତର୍ଜାତିକ ସହଯୋଗର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କରିବା ସହ ଭାରତର ପ୍ରାକୃତିକ ସମ୍ପଦ ଏବଂ ଅସହାୟ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜାପାନ ସରକାର ଓ ଜାଇକା ର ନିରନ୍ତର ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି।

ନିଜର ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ସହଭାଗିତା ଆଦିବାସୀ ସମ୍ପ୍ରଦାୟ, ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗର ସ୍ୱାର୍ଥ ରକ୍ଷା କରିବାରେ ସହାୟକ ହୋଇଛି। ଓଏଫ୍‌ଏସ୍‌ଡିପି ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବାରୁ, ସେ ଏହାର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, “ସମୃଦ୍ଧ ଓଡ଼ିଶା ୨୦୩୬” ଏବଂ “ବିକଶିତ ଭାରତ ୨୦୪୭” ର ବ୍ୟାପକ ସଂକଳ୍ପକୁ ପୂରଣ କରିବା ପାଇଁ ଓଡ଼ିଶା ନିମନ୍ତେ ଏହି ସହଯୋଗ ଅତ୍ୟନ୍ତ ଆବଶ୍ୟକ।

ଏହି ଉଦଘାଟନୀ ସମାରୋହରେ ବରିଷ୍ଠ ନୀତି ନିର୍ଦ୍ଧାରକ ଏବଂ ଆନ୍ତର୍ଜାତିକ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଜାଇକା ଇଣ୍ଡିଆର ମୁଖ୍ୟ (ଡେଭଲପମେଣ୍ଟ ଅପରେସନ୍ସ) ଶ୍ରୀ ବିନୀତ ଏସ୍. ସରିନ୍ ଏବଂ ବରିଷ୍ଠ ପ୍ରତିନିଧି ଶ୍ରୀ ୱାକାମାତ୍ସୁ ଏଇଜି ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଇଜି (ଇଏପି) ଶ୍ରୀ କେ.ବି. ସିଂ, ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀ ମୁଖ୍ୟ ଡ. କେ. ମୁରୁଗେସନ ଏବଂ ଓଏଫ୍‌ଏସ୍‌ଡିପିର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜି. ରାଜେଶ ଉପସ୍ଥିତ ଥିଲେ। ଏହି ନେତୃବୃନ୍ଦ ଆଗାମୀ ତିନି ଦିନ ପାଇଁ ଡିଜିଟାଲ୍ ରୂପାନ୍ତରଣ ଏବଂ ସହନଶୀଳ ବନ ପରିଚାଳନା ଉପରେ ଏକ ରଣନୈତିକ ରୂପରେଖ ପ୍ରସ୍ତୁତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking