ରାଞ୍ଚି : ଝାଡ଼ଖଣ୍ଡର ହଜାରିବାଗର ବରକଟ୍ଟାର ଗୋରହର ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣଗ୍ରସ୍ତ ହୋଇ ରାସ୍ତାକଡକୁ ଓଲଟି ପଡିଛି। ଆଜି ଭୋର ୪ଟା ବେଳେ ବସ୍ଟି କୋଲକାତାରୁ ପାଟନା ଅଭିମୂଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହେବା ସହ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ କହିବା ମୁତାବକ, ରାସ୍ତାରେ ୬ ଲେନ୍ ନିର୍ମାଣ କାମ ଚାଲିଥିଲା। ଏହି କାରଣରୁ ରାସ୍ତାକୁ କଟାଯାଇ ଛାଡ଼ି ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ବରକଟ୍ଟା ରୋଡରେ ବସ୍ଟି ନିୟନ୍ତ୍ରଣ ବାହାରକୁ ଯାଇ ଏକ ଖାଲରେ ଓଲଟି ପଡିଥିଲା। ପୁଲିସ ଷ୍ଟେସନଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଅନ୍ୟ ଏକ ଭୟାବହ ସଡ଼କ ଦୁର୍ଘଟଣା ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲା ଯମୁନା ଏକ୍ସପ୍ରେସୱେ ୫୬ ନଂ ଜାତୀୟ ରାଜପଥ ରେ ଘଟିଛି। ଏକ ଡବଲ୍ ଡେକର ବସ୍ଟି ଟ୍ରକ୍ ସହ ଜୋରଦାର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଏକ ୫ ମାସର ଶିଶୁ ମଧ୍ୟ ରହିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ୍ ରିପୋର୍ଟ ଅନୁସାରେ ବସ୍ଟି କିଛି ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆଜମଗଡ଼ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ଜେୱରା କୈଳାଶ ହସ୍ପିଟାଲରେ ଭର୍ତ୍ତି କରିଛି। ଏମାନଙ୍କ ମଧ୍ୟରୁ ୫ରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।










