21.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶ୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ ସ୍ଥିତି ଦେଇ ଗତି କରୁଛି। ଇଣ୍ଡିଗୋର ପ୍ରାୟ ୧୭୦୦ ବିମାନର ଉଡାଣ ହୋଇଥିବାବେଳେ ଅନ୍ୟ ଘରୋଇ ଏୟାରଲାଇନ୍ସଗୁଡିକ ଉପରେ ମାତ୍ରାଧିକ ଚାପ ପଡୁଛି। ଏହି ପରିପ୍ରେକ୍ଷୀରେ ରେଳ ବିଭାଗ ସହାୟତାର ହାତ ବଢାଇଛି। ବିଭିନ୍ନ ବିମାନ ବନ୍ଦରରେ ଅଟକିଥିବା ଯାତ୍ରୀ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅନ୍ୟ ଏୟାରଲାଇନ୍ସ ଉପରେ ନିର୍ଭର କରୁଛନ୍ତି। ତେବେ ବିମାନ ଭଡା ଆକାଶଛୁଆଁ ହୋଇଥିବାରୁ ଅଧିକାଂଶ ଯାତ୍ରୀ ଏହି ବର୍ଦ୍ଧିତ ଖର୍ଚ୍ଚ ତୁଲାଇବାକୁ ଅସମର୍ଥ ହୋଇପଡିଛନ୍ତି। ତେଣୁ ସେମାନେ ବିକଳ୍ପ ଭାବେ ଟ୍ରେନ ଯାତ୍ରାକୁ ନିର୍ଭର କରିବା ସ୍ବାଭାବିକ। ଶେଷ ମୁହୂର୍ତ୍ତରେ ଟ୍ରେନ ଟିକଟ ଉପଲବ୍ଧ ହେଉନଥିବାରୁ ସେମାନଙ୍କ ସ୍ଥିତି ଆହୁରି ଦୟନୀୟ ହେବାରେ ଲାଗିଛି। ଅବଶ୍ୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ୩୭ଟି ପ୍ରମୁଖ ଟ୍ରେନରେ ଅତିରିକ୍ତ ୧୧୬ ବଗି ସଂଯୋଗ କରାଯାଇଛି।

ଏଥିମଧ୍ୟରେ କେବଳ ଦକ୍ଷିଣ ରେଳପଥରେ ୧୮ଟି ଟ୍ରେନରେ ଏଭଳି ବଗି ସଂପ୍ରସାରଣ କରାଯାଇଛି। ଉତ୍ତର ରେଳପଥରେ ୮ଟି, ପଶ୍ଚିମ ରେଳପଥରେ ୪ଟି, ପୂର୍ବତଟ ରେଳପଥରେ ୨ଟି, ପୂର୍ବ-କେନ୍ଦ୍ର ରେଳପଥରେ ୨ଟି, ନର୍ଥ-ଇଷ୍ଟ ଫ୍ରଣ୍ଟିଅର ରେଳପଥରେ ୨ଟି ଟ୍ରେନରେ ଅତିରିକ୍ତ ବଗି ସଂଯୋଗ କରାଯାଇଥିବା ପ୍ରକାଶ। ଅଧିକ ଚାହିଦା ରହିଥିବା ରୁଟ୍‌ରେ ଏହି ଟ୍ରେନଗୁଡିକରେ ଅତିରିକ୍ତ ଚେୟାର କାର୍‌ ଓ ସ୍ଲିପର ବଗିର ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥର ଭୁବନେଶ୍ବର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ନମ୍ବର ୨୦୮୧୭/୨୦୮୧୧/୨୦୮୨୩ରେ ଅତିରିକ୍ତ ଦୁଇଟି ଦ୍ବିତୀୟ ଶ୍ରେଣୀ ଏସି ବଗି ଖଞ୍ଜାଯାଇଛି। ନର୍ଥ-ଇଷ୍ଟ ଫ୍ରଣ୍ଟିଅର ରେଳପଥ ପକ୍ଷରୁ ଦୁଇଟି ପ୍ରମୁଖ ଟ୍ରେନରେ ଅତିରିକ୍ତ ତୃତୀୟ ଶ୍ରେଣୀ ଏସି ଏବଂ ସ୍ଲିପର ବଗି ସଂଯୋଗ କରାଯାଇଛି। ଡିସେମ୍ବର ୬ରୁ ୧୩ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ ବୋଲି କୁହାଯାଇଛି। ନୂଆଦିଲ୍ଲୀ-ମୁମ୍ବଇ-ନୂଆଦିଲ୍ଲୀ ରୁଟ୍‌ରେ ଡିସେମ୍ବର ୬ ଓ ୭ରେ ସୁପରଫାଷ୍ଟ ସ୍ପେସାଲ ଟ୍ରେନ ଚଳାଚଳ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ-ହାୱଡା ରୁଟ୍‌ ପାଇଁ ଦୁଇଟି ସ୍ପେସାଲ ସୁପରଫାଷ୍ଟ ଟ୍ରେନ ବ୍ୟବସ୍ଥା କରାଯାଇଥିବାବେଳେ ଦିଲ୍ଲୀ-ମୁମ୍ବଇ, ଦିଲ୍ଲୀ-ପୁଣେ, ଦିଲ୍ଲୀ-ବେଙ୍ଗାଲୁରୁ, ଦିଲ୍ଲୀ-ହାଇଦରାବାଦ ରୁଟ୍‌ରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ୫ ଲକ୍ଷ ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking