26.1 C
Bhubaneswar
Tuesday, October 8, 2024
Homeଦେଶ ବିଦେଶଆରଜି କର ମେଡିକାଲ କଲେଜ୍‌ରୁ ୧୦ ଡାକ୍ତର ବହିଷ୍କୃତ

ଆରଜି କର ମେଡିକାଲ କଲେଜ୍‌ରୁ ୧୦ ଡାକ୍ତର ବହିଷ୍କୃତ

କୋଲକାତା : ଜଣେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଲାଇମ୍ ଲାଇଟ୍‌କୁ ଆସିଥିବା କୋଲକାତା ସ୍ଥିତ ଆରଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଇଣ୍ଟରନାଲ୍ କାଉନସିଲ୍ ରବିବାର ଆକସ୍ମିକ ଭାବେ ୧୦ଜଣ ଡାକ୍ତରଙ୍କୁ ବହିଷ୍କାର କରିଛି । ସେହିପରି ହସ୍ପିଟାଲରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ଅଭିଯୋଗ ଆଧାରରେ ଅନ୍ୟ ୫୯ଜଣଙ୍କୁ ମଧ୍ୟ ସାମୟିକ ଭାବେ ନିଲମ୍ବିତ କରାଯାଇଛି ।

ଏହି ୫୯ଜଣଙ୍କ ମଧ୍ୟରେ କିଛି ଇଣ୍ଟର୍ଣ୍ଣ, କିଛି ବିଦ୍ୟାର୍ଥୀ ଓ ଅନ୍ୟ କେତେଜଣ ହାଉସ ଷ୍ଟାଫ ସାମିଲ ଅଛନ୍ତି । କାଉନ୍‌ସିଲ୍ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ଏଥିରେ ଏହି ୧୦ ଡାକ୍ତରଙ୍କ ବିରୋଧରେ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ ଧମକ ଦେବା, ହଇରାଣ କରିବା, ଜୁନିଅର ଡାକ୍ତରଙ୍କୁ ର‌୍ୟାଗିଂ କରିବା ଓ ଟଙ୍କା ଆଦାୟ କରିବା ଭଳି ଅଭିଯୋଗ ଆସିଥିବା ଦର୍ଶାଯାଇଛି । ଏସବୁ ଅଭିଯୋଗ ଉପରେ ତଦନ୍ତ କରାଯିବାରୁ ଏହି ୧୦ ଡାକ୍ତରଙ୍କ ବିରୋଧରେ ଦୃଢ଼ ପ୍ରମାଣ ମଧ୍ୟ ମିଳିଥିବା କାଉନ୍‌ସିଲ୍ ଦର୍ଶାଇଛି । ସବୁଠୁ ବଡ଼କଥା ହେଉଛି ବହିଷ୍କୃତ ହୋଇଥିବା ଏହି ୧୦ ଡାକ୍ତରଙ୍କ ସହ ଗିରଫ ହୋଇଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମ୍ପର୍କ ଥିଲା ।

ପ୍ରକାଶ, ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଇଣ୍ଟରନାଲ୍ କାଉନସିଲ୍ ପକ୍ଷରୁ ଯେଉଁ ୧୦ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି, ସେମାନେ ହେଉଛନ୍ତି- ସୌରଭ ପଲ, ଆଶିଷ ପାଣ୍ଡେ (ସିବିଆଇ ଦ୍ୱାରା ଗିରଫ ହୋଇଥିଲେ), ଅଭିଷେକ ସେନ, ଆୟୁଶ୍ରୀ ଥାପା, ନିରଜନ ବାଗଚୀ, ସରିଫ ହସନ, ନିଲାଗ୍ନୀ ଦେବନାଥ, ଅମରେନ୍ଦ୍ର ସିଂହ, ସତପାଲ ସିଂହ ଓ ତନଭୀର ଅହମଦ କାଜି । ସେମାନଙ୍କୁ ହଷ୍ଟେଲ ଖାଲି କରିବା ପାଇଁ ୭୨ ଘଣ୍ଟା ସମୟ ଦିଆଯାଇଛି । ସେମାନଙ୍କ ନାମ ରାଜ୍ୟ ମେଡିକାଲ କାଉନସିଲକୁ ପଠାଇ ଦିଆଯାଇଛି । ରାଜ୍ୟ ମେଡିକାଲ କାଉନସିଲ ଘଟଣାର ସମୀକ୍ଷା କରି ଏହି ଡାକ୍ତରମାନଙ୍କ ମେଡିକାଲ ରେଜିଷ୍ଟ୍ରେସନ ବାତିଲ କରିପାରିବେ ।

କିଛି ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି ଯେ, ବହିଷ୍କୃତ ଡାକ୍ତରମାନେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ପାର୍ଟିରେ ସାମିଲ ହେବାକୁ ଚାପ ପକାଉଥିଲେ । ସେମାନଙ୍କ ଦ୍ୱାରା ଆୟୋଜିତ ଶୋଭାଯାତ୍ରା ଓ ବୈଠକରେ ସାମିଲ ନହେଲେ ହଇରାଣ କରୁଥିଲେ । କେବଳ ସେତିକି ନୁହେଁ, ଏହି ଡାକ୍ତରମାନଙ୍କ ବିରୋଧରେ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆସିଥିଲା । ର‌୍ୟାଗିଂ କରିବାଠାରୁ ଆରମ୍ଭ କରି କଲେଜରୁ ବାହାର କରି ଦେବା ତଥା ଫେଲ୍ କରାଇ ଦେବା ଭଳି ଧମକ ଦେଉଥିଲେ । ବିଳମ୍ବିତ ରାତିରେ ସେମାନେ ବିଦ୍ୟାର୍ଥୀମାନଙ୍କୁ ମଦ ଆଣିବାକୁ ବାଧ୍ୟ କରୁଥିଲେ । ଏମିତିକି କମନ୍ ରୁମ୍‌ରେ ଜୁନିୟରମାନଙ୍କୁ ଅପମାନିତ କରୁଥିଲେ । ତେବେ ହସ୍ପିଟାଲ ଇଣ୍ଟରନାଲ କାଉନସିଲ ଏସବୁ ଅଭିଯୋଗର ତଦନ୍ତ ଜାରି ରଖିଥିବା ବେଳେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking