30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶ୧୫ ଦିନରେ ୧୦ ବ୍ରିଜ୍ ଭୁଶୁଡିବା ଘଟଣା; ୧୬ ଯନ୍ତ୍ରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

୧୫ ଦିନରେ ୧୦ ବ୍ରିଜ୍ ଭୁଶୁଡିବା ଘଟଣା; ୧୬ ଯନ୍ତ୍ରୀଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଶେଷରେ ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶୁକ୍ରବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୧୬ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି । ଏସମସ୍ତ ଇଞ୍ଜିନିୟର ରାଜ୍ୟ ଜଳସମ୍ପଦ ବିଭାଗର ବୋଲି ଜଣାପଡିଛି । ଅନ୍ୟପକ୍ଷେ ଏସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ ବିହାରର ଉନ୍ନୟନ ସଚିବ ଚୈତନ୍ୟ ପ୍ରସାଦ କହିଛନ୍ତି, ରାଜ୍ୟ ସରକାର, ବ୍ରିଜ୍ ଭୁଶୁଡିବା ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ବ୍ରିଜ ନିର୍ମାଣ କରିଥିବା କଣ୍ଟ୍ରାକ୍ଟରଙ୍କୁ ଠାବ କରାଯିବ ଓ ସେମାନଙ୍କୁ ସବୁ କିଛି ପାଇଁ ଦାୟୀ କରାଯିବ ବୋଲି ସେ କହିଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆୟୋଜିତ ସମୀକ୍ଷା ବୈଠକରେ ସମସ୍ତ ପୁରୁଣା ବ୍ରିଜର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କ୍ଷତିଗ୍ରସ୍ତ ହୋଇଥିବା ବ୍ରିଜ୍‌ଗୁଡ଼ିକ ତୁରନ୍ତ ମରାମତି କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ବିହାରର ସଡ଼କ ନିର୍ମାଣ ବିଭାଗ ବ୍ରିଜ ରକ୍ଷାଣବେକ୍ଷଣ ପାଇଁ ଗୋଟିଏ ନୀତି ପ୍ରସ୍ତୁତ କରିଛି ଓ ଗ୍ରାମୀଣ ବିକାଶ ବିକାଶ ବିଭାଗକୁ ଏହା ଯୋଜନା ଯଥାଶୀଘ୍ର ଚୂଡ଼ାନ୍ତ କରିବାକୁ କହିଛି ବୋଲି ସେ ସୂଚନା ଦେଇଛନ୍ତି ।
ବିହାରର ବିଭିନ୍ନ ଜିଲ୍ଲାରେ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୧୦ଟି ବ୍ରିଜ୍ ଭୁଶୁଡିପଡିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ରହିଛି । ବିରୋଧୀ ଆରଜେଡି-କଂଗ୍ରେସ ମେଣ୍ଟ ରାଜ୍ୟରେ କ୍ଷମତାସୀନ ଜେଡିୟୁ-ବିଜେପି ମେଣ୍ଟ ସରକାରକୁ ବାରମ୍ବାର କଟାକ୍ଷ ତଥା ସମାଲୋଚନା କରିଚାଲିଛି । ଏପରିକି ଆରଜେଡି ନେତା ତେଜସ୍ୱୀ ଯାଦବ ଅଭିଯୋଗ ମଧ୍ୟ କରିଛନ୍ତି ଯେ ଜୁନ୍ ୧୮ରୁ ଇତି ମଧ୍ୟରେ ୧୨ଟି ବ୍ରିଜ ଭୁଶୁଡ଼ିଛି । କିନ୍ତୁ ସରକାର କେବଳ ୧୦ଟି ବ୍ରିଜ ଭୁଶୁଡ଼ିଥିବା କଥା ସ୍ୱୀକାର କରିଛନ୍ତି । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାର ଇସ୍ତଫା ଦେବା ଉଚିତ୍ ବୋଲି ମଧ୍ୟ ସେ ଦାବି କରିଆସୁଛନ୍ତି । ତେବେ ଏସବୁ ମଧ୍ୟରେ ଆଜି ରାଜ୍ୟ ସରକାର ଏହି ୧୦ ବ୍ରିଜ୍ ଭୁଶୁଡିବା ଘଟଣା ପରିପ୍ରେକ୍ଷୀରେ ପ୍ରାୟ ୧୬ ବିଭାଗୀୟ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି ।
ପ୍ରକାଶ, ଗତକାଲି ଅର୍ଥାତ୍ ଗୁରୁବାର ରାଜ୍ୟରେ ସାରନ୍ ଅଞ୍ଚଳରେ ନିର୍ମାଣାଧୀନ ଏକ ବ୍ରିଜ୍ ଭୁଶୁଡ଼ିପଡ଼ିଥିଲା । ଏହାର ୨୪ ଘଣ୍ଟା ମଧ୍ୟରେ ସାରନ୍‌ରେ ଆଜି ପୁଣି ଏକ ନବନିର୍ମିତ ବ୍ରିଜ ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ମିଶାଇ କେବଳ ସାରନ୍ ଅଞ୍ଚଳରେ ୩ଟି ବ୍ରିଜ୍ ଭୁଶୁଡିଥିବା ବେଳେ ସିୱାନ, ମଧୁବାଣୀ, ଆରାରିଆ, ପୂର୍ବ ଚମ୍ପାରନ ଓ କିଷ୍ଣନଗଞ୍ଜ ଆଦି ଜିଲ୍ଲାରେ ଏପ୍ରକାର ଘଟଣାକୁ ମିଶାଇ ମୋଟ୍ ୧୦ଟି ବ୍ରିଜ୍ ଗତ ୧୫ ଦିନ ମଧ୍ୟରେ ଭୁଶୁଡ଼ିପଡିଛି । ଏହାକୁ ନେଇ ଜନସାଧାରଣଙ୍କ ଆକ୍ରୋଶ ବଢ଼ିବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking