ଜଳେଶ୍ୱର : ଜଳେଶ୍ୱର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତର ୩ ଜଣ ସାଙ୍ଗ ଗତକାଲି ସୁବର୍ଣ୍ଣରେଖା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ଜଣେ ସୁବର୍ଣ୍ଣ ରେଖା ନଦୀରେ ଭାସି ଯାଇଥିବା ବେଲେ ବର୍ତ୍ତମାନ ସୁଦ୍ଧା ତାଙ୍କର କିଛି ଖୋଜ ଖବର ମିଳିନାହିଁ । ସୂଚନା ଅନୁସାରେ ଗଡସାହି ବାଲିଆପାଳ ସୁବର୍ଣ୍ଣରେଖା ନଦୀ ଘାଟକୁ ସେହି ଗ୍ରାମର ମନୋରଞ୍ଜନ ଦାସଙ୍କ ପୁଅ ତଥା ଦଶମ ଶେଣୀର ଛାତ୍ର୍ର ସାହିଲ (୧୫) ଗତକାଲି ଦିନ ପ୍ରାୟ ଦେଢଟା ସମୟରେ କମ୍ବନାଥ ଜେନାଙ୍କ ପୁଅ ଚନ୍ଦନ , ସୁଶାନ୍ତ ମାଝୀଙ୍କ ପୁଅ ଦେବାଶିଷ ଏହି ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଉଥିବା ବେଳେ ସାହିଲର ଗୋଡ ଖସିଯିବା ସହ ନଦୀ ସ୍ରୋତରେ ଭାସିଯାଇଥିଲେ । ଅନ୍ୟ ଦୁଇ ସାଙ୍ଗ ତାଙ୍କୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ଘରକୁ ଫେରି ଆସିଥିଲେ । ଭୟରେ ଏବିଷୟରେ କାହାକୁ ଜଣାଇନଥିଲେ । ସାହିଲ ଦୀର୍ଘ ସମୟ ଧରି ଘରକୁ ନଫେରିଥିବାରୁ ପରିବାର ଲୋକେ ଏଣତେଣେ ଖୋଜାଖୋଜି କରିବା ସହ ସାହିଲର ଦୁଇ ସାଙ୍ଗ ଠାରୁ ସମସ୍ତ ଘଟଣା ପଚାରି ବୁଝିଥିଲେ । ନଦୀଘାଟ ନିକଟରେ ସାହିଲର ସାଇକେଲ ଜୋତା ଓ ଗଞ୍ଜି ପଡିଥିବା ଦେଖା ଯାଇଥିଲା । ପରିବାର ଲୋକେ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ତରଫରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୁବର୍ଣ୍ଣରେଖା ନଦୀର ଗଡସାହି ବାଲିଆପାଳ ଘାଟ ନିକଟରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ବୋଲି ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟା ପ୍ରକାଶ କରିଛନ୍ତି । ଆଜି ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି ।