ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ଶାହଙ୍କ ଓଡିଶା ଗସ୍ତ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ସଂଧ୍ୟାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହଇଯଆଇଛି । ୬ ତାରିଖ ପୂର୍ବାହ୍ନରେ କଟକ ମୁଣ୍ଡୁଳି ସ୍ଥିତ ସିଆଇଏସଏଫ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ଖୋର୍ଦ୍ଧା ଜଟଣୀ ଠାରେ ଜାତୀୟ ଫୋରେନ୍ସିକ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବା ସହ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ କ୍ୟାମ୍ପସ, ଭୁବନେଶ୍ୱରର ଶୁଭ ଉଦଘାଟନ କରିବ । ସେଦିନ ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ସମବାୟ ଏବଂ ଅନ୍ୟ ବିଭିନ୍ନ ବିଭାଗ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସମୟର ବିଶଦ୍ କାର୍ଯ୍ୟସୂଚୀ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ଓ ରୁଟ୍ ପ୍ଲାନ, କାର୍ଯ୍ୟକ୍ରମ ସ୍ଥଳର ଆନୁଷଙ୍ଗିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।









