14.1 C
Bhubaneswar
Monday, December 8, 2025
Homeଦେଶ ବିଦେଶମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା: ଆନ୍ଧ୍ରରେ ଏନ୍‌କାଉଣ୍ଟର; ହିଡମା ସମେତ ୬ ଟପ୍ ମାଓ କମାଣ୍ଡର...

ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା: ଆନ୍ଧ୍ରରେ ଏନ୍‌କାଉଣ୍ଟର; ହିଡମା ସମେତ ୬ ଟପ୍ ମାଓ କମାଣ୍ଡର ନିହତ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ମାଓ ବିରୋଧୀ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଏକ ବଡ଼ଧରଣର ଏନ୍‌କାଉଣ୍ଟରରେ ଶୀର୍ଷସ୍ତରୀୟ ମାଓ କମାଣ୍ଡର ମାଡଭି ହିଡମା, ହିଡମାର ପତ୍ନୀ ରାଜେ ସମେତ ୬ ଶୀର୍ଷ ମାଓବାଦୀ ନେତୃତ୍ୱ ନିହତ ହୋଇଥିବା ସୂଚନା ମିଳିଛି। ଏହି ଦମ୍ପତି ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ହିଡମା ମୁଣ୍ଡ ଉପରେ ଛତିଶଗଡ ସରକାର ୧କୋଟି ଟଙ୍କା ଏବଂ ରାଜେ ମୁଣ୍ଡ ଉପରେ ପ୍ରାୟ ୫୦ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ସେହିପରି ଏହି ଏନ୍‌କାଉଣ୍ଟରରେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଆଉ ଦୁଇ ମାଓନେତା ଚେଲ୍ଲୁରି ନାରାୟଣ ଓରଫ ସୁରେଶ ଓ ଶଙ୍କର ଆନ୍ନା ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି। ପ୍ରକାଶ, ହିଡମା ଗତ ଦୁଇ ଦଶନ୍ଧି ଧରି ସୁରକ୍ଷା ବାହିନୀର ସବୁଠାରୁ ବଡ଼ ଚିନ୍ତାର କାରଣ ସାଜିଥିଲା। ସୁରକ୍ଷାବାହିନୀ ଉପରେ ସେ ପ୍ରାୟ ୨୬ରୁ ଅଧିକ ଥର ପ୍ରାଣଘାତୀ ଆକ୍ରମଣ କରିଥିଲା। ଏସବୁ ଆକ୍ରମଣ ମଧ୍ୟରେ ୨୦୧୦ର ଦାନ୍ତେୱାଡ଼ା ଆକ୍ରମଣ ସବୁଠୁ ଭୟଙ୍କର ଥିଲା। ୨୦୧୦ ଏପ୍ରିଲ ୬ ତାରିଖରେ ଦାନ୍ତେୱାଡ଼ାର ଚିନ୍ତଲନାରଠାରେ ମାଓବାଦୀମାନେ କରିଥିବା ଗରିଲା ଆକ୍ରମଣରେ ୭୬ ଜଣ ସିଆରପିଏଫ୍ ଯବାନ ପ୍ରାଣ ହରାଇଥିଲେ।

ଆଲୁରି ସୀତାରାମରାଜୁ ଜିଲ୍ଲା ମେରେଡୁମୁଲି ଅଞ୍ଚଳରେ କିଛି ମାଓବାଦୀମାନେ ଲୁଚିରହି ଏକ ବଡ଼ଧରଣର ଯୋଜନା ପ୍ରସ୍ତୁତ କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ୍ ଏବଂ ସୁରକ୍ଷା ଯବାନଙ୍କ ପକ୍ଷରୁ ମିଳିତ କମ୍ବିଂ ଅପରେଶନ ଆରମ୍ଭ କରାଯାଇଥିଲା। ଯବାନ୍‌ଙ୍କ ପକ୍ଷରୁ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ସେମାନେ ଅସ୍ତ୍ରତ୍ୟାଗ କରିନଥିଲେ ଓଲଟା ଯବାନ୍‌ଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷା ଯବାନ୍‌ମାନେ ବାଧ୍ୟହୋଇ ପାଲଟାଜବାବ ଦେବାକୁ ଯାଇ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଶେଷରେ ଘଟଣାସ୍ଥଳରୁ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଆନ୍ଧ୍ର ଡିଜିପି ହରିଶ କୁମାର ଗୁପ୍ତା ସୂଚନା ଦେଇଛନ୍ତି। ଡିଜିପିଙ୍କ କହିବାନୁସାରେ ଆଉ କିଛି ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଥିବାରୁ ସର୍ଚ୍ଚ ଅପେରସନ୍ ଜାରି ରହିବ। ସେହିପରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଏରାବୋର ଜଙ୍ଗଲରେ ମଧ୍ୟ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ମହିଳା ମାଓବାଦୀ ସମେତ ୨ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଉଭୟ ଘଟଣା ସ୍ଥଳରୁ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking