21.1 C
Bhubaneswar
Saturday, December 6, 2025
Homeଓଡିଶାଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ପ୍ରଧାନମନ୍ତ୍ରୀଙ୍କ ଧନ ଧାନ୍ୟ ଯୋଜନା ଓ ଡାଲି ସ୍ବାବଲମ୍ବନ ମିଶନ...

ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ପ୍ରଧାନମନ୍ତ୍ରୀଙ୍କ ଧନ ଧାନ୍ୟ ଯୋଜନା ଓ ଡାଲି ସ୍ବାବଲମ୍ବନ ମିଶନ କାର୍ଯ୍ୟକ୍ରମର ଆୟୋଜନ

ଅନ୍ନଦାତାଙ୍କ ସମ୍ମାନ, ସମୃଦ୍ଧ ରାଷ୍ଟ୍ରର ନିର୍ମାଣ ପାଇଁ ଆଜି ତା ୧୧.୧୦.୨୦୨୫ ରିଖରେ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରର କୃଷକ ଭାଇ ଭଉଣୀଙ୍କ ପାଇଁ କୃଷି, ପଶୁପାଳନ, ମତ୍ସ୍ୟ ଚାଷ ଓ ଖାଦ୍ଯ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ୪୨୦୦୦ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ୧୧୦୦ ରୁ ଉର୍ଦ୍ଧ ପରିଯୋଜନାର ଶୁଭ ଉଦଘାଟନ ଆଭାସୀ ମାଧ୍ୟମରେ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଡାଲି ସ୍ବାବଲମ୍ବନ ମିଶନର ମଧ୍ୟ ଶୁଭାରମ୍ଭ ହୋଇଅଛି । ଏହି ଉଦଘାଟନ ସମାରୋହରେ ଭୁବନେଶ୍ବର ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ଅନୁଷ୍ଠାନରେ ଓଡିଶା ସରକାରଙ୍କ ଗୃହ, ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଏବଂ ଉପସ୍ଥିତ କୃଷକ ଭାଇ ଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ ।

ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଡକ୍ଟର ମହାପାତ୍ର, ପ୍ରଧାନମନ୍ତ୍ରୀଙ୍କ କୁଶଳ ନେତୃତ୍ବରେ ଦେଶର ଦ୍ରୁତ ପ୍ରଗତି ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ମୋଦିଙ୍କର ଲକ୍ଷ୍ୟ ହେଉଛି ଭାରତର କୃଷକକୁ ସଶକ୍ତ କରି ଦେଶକୁ ବିଶ୍ଵର ଭାତହାଣ୍ଡି କରି ଗଢି ତୋଳିବା । ଡାଲି ଜାତୀୟ ଫସଲର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ ଯାହା ଏକ ବିଡମ୍ବନାର ବିଷୟ ଅଟେ । ସରକାରଙ୍କ ଲକ୍ଷ୍ୟ ହେଉଛି ଡାଲି ଜାତୀୟ ଫସଲର ପରିଧିକୁ ୨୭.୫ ନିୟୁତ ହେକ୍ଟରରୁ ବୃଦ୍ଧି କରି ବର୍ଷ ୨୦୩୦-୩୧ ସୁଦ୍ଧା ୩୧ ନିୟୁତ ହେକ୍ଟରରେ ପହଞ୍ଚାଇବା । ଚାଷୀ ଭାଇ ମାନଙ୍କୁ ୧୨.୬ ନିୟୁତ କ୍ଵିଣ୍ଟାଲ ପ୍ରାମାଣିକ ବିହନ ଓ ପାଖା ପାଖି ୮୮ ଲକ୍ଷ ମାଗଣା ମଞ୍ଜି ମିନି କିଟ ବଣ୍ଟନ କରାଯିବ । ସମଗ୍ର ଦେଶରେ ୧୦୦୦ ଖାଦ୍ଯ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି , ଯେଉଁଥିରେ ପ୍ରତ୍ଯେକ ୟୁନିଟ ପିଛା ୨୫ ଲକ୍ଷ ଟଙ୍କାର ସବସିଡି ବ୍ୟବସ୍ଥା ରହିଛି । ପ୍ରଧାନମନ୍ତ୍ରୀ ଧନ ଧାନ୍ୟ ଯୋଜନାରେ ଭାରତ ସରକାର ସମଗ୍ର ଦେଶରେ କମ ଉତ୍ପାଦକତା ଥିବା ୧୦୦ ଟି ଜିଲ୍ଲାକୁ ଚିହ୍ନଟ କରିଛନ୍ତି, ଏଥିରୁ ଓଡିଶାର ଚାରୋଟି ଜିଲ୍ଲା ରହିଛି ଯେଉଁ ଗୁଡିକ ହେଲା କନ୍ଧମାଳ, ମାଲକାନଗିରି, ନୂଆପଡା ଓ ସୁନ୍ଦରଗଡ଼ । ଏହିସବୁ ଜିଲ୍ଲା ମାନଙ୍କରେ ଜଳ ସେଚନର ଉନ୍ନତି, ଋଣ ବ୍ୟବସ୍ଥା, ଫସଲ ସଂରକ୍ଷଣ ଓ ଫସଲ ବିବିଧିକରଣ ଉପରେ ଗୁରୁତ୍ଵ ଦିଆଯାଇ ଉଭୟ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି କରାଯିବ ।

ଏହି ଅବସରରେ ଏକ ବୈଜ୍ଞାନିକ-କୃଷକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ଯେଉଁଥିରେ କଟକ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାର ୨୦୦ ରୁ ଉର୍ଦ୍ଧ କୃଷକ ଭାଇ ଓ ଭଉଣୀ ଯୋଗ ଦେଇଥିଲେ । ଉକ୍ତ ଆଲୋଚନା ଚକ୍ରରେ ଅନୁଷ୍ଠାନର ବୈଜ୍ଞାନିକ ମାନେ କୃଷକ ଭାଇ ଓ ଭଉଣୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । କୃଷକ ଭାଇ ଓ ଭଉଣୀ ମାନଙ୍କୁ ମାନ୍ୟବର ମନ୍ତ୍ରୀଙ୍କ କର କମଳରେ ପ୍ରାମାଣିକ ବିରି ବିହନ ଓ ପନିପରିବା ମଞ୍ଜି କିଟ ବଣ୍ଟନ କରଯାଇଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ କମ ଜଳ ପ୍ରୟୋଗ ଦ୍ଵାରା ଅଧିକ ଅମଳ ହୋଇପାରୁଥିବା ଜ୍ଞାନକୌଶଳ ଉପରେ ଆଲୋକପାତ କରିଥିଲେ ଏବଂ ଅନୁଷ୍ଠାନ ଦ୍ଵାରା ବିକଶିତ ହୋଇଥିବା ଜ୍ଞାନକୌଶଳ ଗୁଡିକୁ ଆପଣେଇବା ପାଇଁ ଆହ୍ଵାନ ଦେଇଥିଲେ ଓ ସାଥି କୃଷକ ମାନଙ୍କୁ ଜଣାଇବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ଅନୁଷ୍ଠାନର ପ୍ରଧାନ ବୈଜ୍ଞାନିକ ଡକ୍ଟର ସୁମନ୍ତ କୁମାର ମିଶ୍ର କରିଥିଲେ ଏବଂ ପରିଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking