21.1 C
Bhubaneswar
Tuesday, February 24, 2026
Homeଓଡିଶାବଜେଟ୍ ଘୋଷଣା ପରେ ଆକ୍ସନ୍ ମୋଡରେ ମନ୍ତ୍ରୀ

ବଜେଟ୍ ଘୋଷଣା ପରେ ଆକ୍ସନ୍ ମୋଡରେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଚଳିତ ବଜେଟରେ ୪ଟି ନୂଆ ବିଶ୍ବବିଦ୍ୟାଳୟ ଏବଂ ୨ଟି ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ନେଇ ଘୋଷଣା କରାଯାଇଛି। ଏହା ରାଜ୍ୟର ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ଘୋଷଣା ପରେ ଆକ୍ସନ ମୋଡରେ ରହିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ସେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସେକ୍ରେଟାରୀଙ୍କୁ ଚିଠି ଲେଖି ଏନେଇ ତ୍ବରିତ ପଦକ୍ଷେପ ନେବାକୁ କହିଛନ୍ତି।

ଚଳିତ ବଜେଟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପାରାଦୀପ ଏବଂ ବଲାଙ୍ଗୀରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି। ଉଭୟ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ସମ୍ପୃକ୍ତ ପଦାଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ଏହି ଦୁଇଟି ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ପ୍ରଶାସନିକ ଏବଂ ବିଧିବଦ୍ଧ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ଵ ଦେବାକୁ ସେ କହିଛନ୍ତି। ଏହା ଦ୍ବାରା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକ୍ଷମ ହୋଇପାରିବ। ରାଜ୍ୟ ସରକାରଙ୍କର ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଉଭୟ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ତେଣୁ ସମ୍ପୃକ୍ତ ବିଭାଗ ଏବଂ ପଦାଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ଜଗତସିଂହପୁର ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମନ୍ତ୍ରୀ ଶ୍ରୀ ସ୍ବାଇଁ।

ସେହିପରି ଜଗତସିଂହପୁର ଜିଲ୍ଲା ମୁଖ୍ୟାଳୟରେ ନୂଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନେଇ ମଧ୍ୟ ବଜେଟରେ ଘୋଷଣା କରାଯାଇଛି। ଏହା ଜିଲ୍ଲାରେ ଉଚ୍ଚଶିକ୍ଷାର ଭବିଷ୍ୟତକୁ ଏକ ନୂତନ ରୂପ ଦେବା ସହିତ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଓ ମାର୍ଗ ସୃଷ୍ଟି କରିବ, ଯାହା ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ। ତେଣୁ ଜଗତସିଂହପୁରରେ ଗ୍ରୀନଫିଲ୍ଡ ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକୀୟ ପ୍ରଶାସନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସେକ୍ରେଟେରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାସହ ଜଗତସିଂହପୁର ଜିଲ୍ଲାପାଳଙ୍କୁ ମଧ୍ୟ ସମ୍ପୃକ୍ତ ବିଭାଗ ଏବଂ ପଦାଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ତ୍ବରିତ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି।

ଦୀର୍ଘ ଦିନ ଧରି ଜଗତସିଂହପୁରରେ ବିଶ୍ବବିଦ୍ୟାଳୟ ଓ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ଦାବି ହେଇଆସୁଥିଲା। ଏଥର ବଜେଟରେ ଜିଲ୍ଲାକୁ ଦୁଇଟି ଉପହାର ଦେଇଛନ୍ତି ରାଜ୍ୟ ସରକାର। ଅଞ୍ଚଳର ଅନେକ ଦିନର ଦାବିକୁ ସରକାର ସହୃଦୟତାର ସହ ବିଚାର କରି ଏ ଦିଗରେ ପଦକ୍ଷେପ ନେଇଥିବାରୁ ମନ୍ତ୍ରୀ ଶ୍ରୀ ସ୍ଵାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଗତସିଂହପୁରବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। ବୈଷୟିକ ଶିକ୍ଷା ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡିଶା ସ୍ବପ୍ନ ସାକାର କରିବା ସହ ରାଜ୍ୟରେ ଯୁବପିଢିଙ୍କ ବିକାଶର ବାଟ ଖୋଲିବ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking