15.1 C
Bhubaneswar
Saturday, December 6, 2025
Homeଓଡିଶାପୋଲାଭରମ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ବିଜେଡି

ପୋଲାଭରମ ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର: ବିଜେଡି

– ପୋଲାଭରମ ପ୍ରକଳ୍ପ ଦ୍ୱାରା ମାଲକାନଗିରିର ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳମଗ୍ନ ହେବ
– ପୋଲାଭରମ ପ୍ରକଳ୍ପରେ ରାଜ୍ୟ ସରକାର ବଧିର ହୋଇ ବସିଛନ୍ତି
– ପୋଲାଭରମ ପ୍ରସଙ୍ଗରେ ବିଜେଡି ନିରନ୍ତର ଭାବେ ଲଢେଇ କରିଆସୁଛି
– ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୮ ତାରିଖରେ ହେବାକୁ ଥିବା ବୈଠକରେ ଓଡିଶା ସରକାର ତାଙ୍କର ପକ୍ଷ ରଖିବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କ ସମ୍ମୁଖରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନୁନ୍ୟ ୨୦୦ ଗ୍ରାମ ଜଳମଗ୍ନ ହେବ ଓ ହଜାର ହଜାର ଆଦିବାସୀ ସେମାନଙ୍କର ଭିଟାମାଟି ହରାଇବେ। ପୋଲାଭରମ ପ୍ରକଳ୍ପକୁ ଆରମ୍ଭରୁ ବିଜୁ ଜନତା ଦଳ ବିରୋଧ କରିଆସୁଛି । ସରକାରରେ ଥିବାବେଳେ ଓ ଏବେ ବିରୋଧୀ ଦଳରେ ଥାଇ ମଧ୍ୟ ପୋଲାଭରମ ପ୍ରସଙ୍ଗରେ ଲଢେଇ କରିଆସୁଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୧ ବର୍ଷ ପୂରିବାକୁ ଯାଉଥିବା ବେଳେ, ରାଜ୍ୟ ସରକାର ଏହି ପ୍ରସଙ୍ଗ ଉପରେ ପଦଟିଏ ମଧ୍ୟ ମୁହଁ ଖୋଲିନାହାନ୍ତି ବୋଲି ଦଳ ତରଫରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି (ହେଡ୍‌କ୍ୱାର୍ଟର) ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଥିଲେ, ପୋଲାଭରମ ପ୍ରକଳ୍ପ ଆରମ୍ଭ ସମୟରେ ଏହାର କ୍ଷମତା ୩୬ ଲକ୍ଷ କ୍ୟୁସେକ ଥିଲା। ପରବର୍ତ୍ତୀ ସମୟରେ ଏକତରଫା ଭାବେ, ଏହାର କ୍ଷମତାକୁ ୫୦ ଲକ୍ଷ କ୍ୟୁସେକକୁ ବଢ଼ାଇ ଦିଆଯାଇଥିଲା। ଏହି ପ୍ରକଳ୍ପର କ୍ଷମତା ବଢ଼ାଇ ଦିଆଯିବା ପରେ ପ୍ରକଳ୍ପର ପଛୁଆ ପାଣି ଓଡିଶାର ମାଲକାନଗିରି ଜିଲ୍ଲା ଉପରେ କ’ଣ ପ୍ରଭାବ ପଡିବ ତାହାର ଆକଳନ କରାଯାଇ ନଥିଲା। ତେଣୁ, ୨୦୦୭ ମସିହାରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ। ପରେ, ୨୦୨୨ରେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଉପରେ ମନ୍ତବ୍ୟ ରଖି ପ୍ରକଳ୍ପର କ୍ଷମତା ବୃଦ୍ଧି ପରେ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏହାର ପ୍ରଭାବ ଉପରେ ଆକଳନ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ଏହା ପରେ ମଧ୍ୟ ଏହି ବର୍ଦ୍ଧିତ କ୍ଷମତାରେ ପ୍ରକଳ୍ପ ହେଲେ, ପ୍ରକଳ୍ପର ବ୍ୟାକ ୱାଟର ବା ପଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ଜଳମଗ୍ନ କରିବ, ତାହାର ଆକଳନ କରାଯାଇନାହିଁ। ଆଇଆଇଟି ରୁର୍କୀ ଦ୍ୱାରା କରାଯାଇଥିବା ଏକ ଆକଳନରୁ ଜଣାପଡିଛି, ବର୍ଦ୍ଧିତ କ୍ଷମତା ୫୮ ଲକ୍ଷ କ୍ୟୁସେକ ଜଳ ହେଲେ ପଛୁଆ ପାଣିର ଉଚ୍ଚତା ୨୩୨.୨ ମିଟର ହେବ ବୋଲି ଆକଳନ କରାଯାଇଛି।

ଶ୍ରୀ ମିଶ୍ର କହିଥିଲେ, ପୋଲାଭରମ ପ୍ରକଳ୍ପ ଉପରେ ବିଜେପି ସରକାର ଚୁପ ଥିବାବେଳେ ଗତକାଲି ରାଜ୍ୟର ପୂର୍ତ୍ତମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଜେଡି ପୋଲାଭରମ ପ୍ରସଙ୍ଗରେ ବଧିର ଥିଲା ଓ କେବଳ ରାଜନୀତି କରିବା ଉଦ୍ଦେଶ୍ୟରେ ପ୍ରତିବାଦ କରୁଥିଲା ବୋଲି ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ। ବାସ୍ତବରେ, ଗୋଟିଏ ପଟେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଚାଲିଥିବା ବେଳେ ରାଜ୍ୟ ବିଜେପି ସରକାର ପଦଟିଏ ନକହି ଏହି ଗମ୍ଭୀର ପ୍ରସଙ୍ଗରେ ବଧିର ହୋଇ ବସି ରହିଛନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗରେ ଶୁଣାଣି କରି ଏଥିରେ କେନ୍ଦ୍ର ସରକାର ଏକତରଫା ଭାବେ ପ୍ରକଳ୍ପ କାର୍ଯ୍ୟ ନକରି, ଏଥିରେ ପ୍ରଭାବିତ ହେବାକୁ ଥିବା ସମସ୍ତ ରାଜ୍ୟର ମତାମତ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, କେନ୍ଦ୍ର ସରକାର ଏକତରଫା ଭାବେ ପୋଲାଭରମ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଚାଲିଛନ୍ତି। ମାଲକାନଗିରି ଜିଲ୍ଲାର ହଜାର ହଜାର ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ବିଜୁ ଜନତା ଦଳ ନିରନ୍ତର ଲଢେଇ କରିଆସୁଛି। ସରକାରରେ ଥିଲାବେଳେ ଶ୍ରୀ ନବୀନ ପଟ୍ଟନାୟକ ବାରମ୍ୱାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଦୃଢ଼ ଦାବି ରଖିଥିଲେ। ଏବେ ବିରୋଧୀଦଳ ଭାବେ ମଧ୍ୟ ଦୃଢ଼ ପ୍ରତିବାଦ କରିଆସୁଛି ବିଜେଡି ।

ବିଜେଡି ମୁଖପାତ୍ର ଶ୍ରୀ ପ୍ରଦୀପ ମାଝୀ କହିଥିଲେ, ଏହି ପ୍ରକଳ୍ପର ପଛୁଆ ପାଣି କେଉଁ କେଉଁ ଅଞ୍ଚଳକୁ ପ୍ରଭାବିତ କରିବ ଓ ମାଲକାନଗିରି ଜିଲ୍ଲାର ଆଦିବାସୀ ମାନଙ୍କ ଜୀବନ ଜୀବିକା ଉପରେ ଏହାର କ’ଣ ପ୍ରଭାବ ପଡିବ, ତାହାର କୌଣସି ଆକଳନ କରାଯାଇନାହିଁ। ଫେବୃଆରୀ ମାସରେ ମୋଟୁ ଠାରେ ହୋଇଥିବା ସମାବେଶରେ ହଜାର ହଜାର ଆଦିବାସୀମାନେ ଏକତ୍ରିତ ହୋଇ ଏହାକୁ ବିରୋଧ କରିବା ପାଇଁ ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ନିଜେ ଜଣେ ଆଦିବାସୀ ହୋଇଥିବାରୁ, ଏହି ପ୍ରସଙ୍ଗରେ ସେ ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ । ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଶ୍ରୀ ମାନସ ମାଡକାମୀ କହିଥିଲେ, ଏହି ପ୍ରକଳ୍ପରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଜନ ଶୁଣାଣି କରାଯାଇ ନାହିଁ। ସ୍ଥାନୀୟ ବିଜେପି ବିଧାୟକ ଦେଇଥବି । ମନ୍ତବ୍ୟ ମାଲକାନଗିରି ଜିଲ୍ଲାର ସ୍ୱାର୍ଥର ପରିପନ୍ଥୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking