ମୟୁରଭଞ୍ଜ: ଶୀତ ଋତୁର ବିଦାୟ ସହ ମାଡି ଆସୁଛି ଖରା l ମାତ୍ର ଖରା ଟାଣ ନ ହେଉଣୁ ଦେଖାଦେଇଛି ଜଳ ଅଭାବ l କିନ୍ତୁ ଏଭଳି ଅବସ୍ଥା ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହିନତା ପାଇଁ ସୃଷ୍ଟି ହେଉଥିବା ଆଲୋଚନା ହେଉଛି l ସୂଚନାଯୋଗ୍ୟ କୋଟି କୋଟି ଟଙ୍କା ବ୍ୟୟରେ ଗାଁ ଗାଁ ରେ ନିର୍ମାଣ ହୋଇଛି ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। କିନ୍ତୁ ଗ୍ରୀଷ୍ମ ଋତୁ ନ ହେଉଣୁ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ନିମ୍ନମାନର କାର୍ଯ୍ୟ ହେଉଥିବାରୁ ଆଜି ପାନୀୟ ଜଳ ପ୍ରକଳ୍ପରୁ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ । ଏଭଳି ସମସ୍ୟା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାକିଚୁଆ ଗାଁରେ ଦେଖାଦେଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତୁପକ୍ଷ ଚୁପ ବସିଛନ୍ତି। ସରପଞ୍ଚ ଲୋକଙ୍କ ସମସ୍ୟା ବୁଝିବା ବଦଳରେ ଦେଖାଉଛନ୍ତି ନାଲି ଆଖି। ସୂଚନା ମୁତାବକ ନାକିଚୁଆ ଗାଁରେ ଦୀର୍ଘଦିନରୁ ଜଳଯୋଗାଣ ସୂଚାରୁରୂପେ ହେଉନଥିବାରୁ ଅସନ୍ତୁଷ୍ଟ ହୋଇ ଆଜି ମହିଳା ମାନେ ଜଳଯୋଗାଣ କେନ୍ଦ୍ରରେ ତାଲା ପକାଇବା ସହ ପଞ୍ଚାୟତ ଅଫିସ ଫାଟକରେ ତାଲା ପକାଇ ପିଇବା ପାଣି ମିଳୁ ବୋଲି ଦାବି କରିଥିଲେ । ତେବେ ନାକିଚୁଆ ସରପଞ୍ଚ ରୁଣ୍ଡୁ ହାଁସଦା ଉପସ୍ଥିତ ହୋଇ କାହିଁକି ପଞ୍ଚାୟତରେ ତାଲା ପକାଇଲ କହି ମହିଳା ମାନଙ୍କୁ ନାଲି ଆଖି ଦେଖାଇଥିଲେ। ତେବେ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ଭିଡିଓ ଉତ୍ତୋଳନ କରିବାରୁ ସରପଞ୍ଚ ରୁଣ୍ଡୁ ହାଁସଦା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅତର୍କିତ ଭାବେ ଆକ୍ରମଣ ଉଦ୍ୟମ କରିବା ସହ ଦୁର୍ବ୍ୟବହାର କରିଥିଲେ। ଫଳରେ ସେଠାରେ ପରିସ୍ଥିତି ଜଟିଳ ହେବାରେ ଲାଗିଥିଲା। ତେବେ ସରପଞ୍ଚ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଗଣମାଧ୍ୟମର କଣ୍ଠରୋଧ କରିବାକୁ ପ୍ରୟାସ କରୁଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏପଟେ ଜଳ ଯୋଗାଣ ଅଧିକାରୀ ପ୍ରିୟବ୍ରତ ଗାରୁ ପହଞ୍ଚି ମହିଳା ମାନଙ୍କୁ ବୁଝାଶୁଝା କରିଥିଲେ ସୁଦ୍ଧା ପାନୀୟ ଜଳ ନ ମିଳିବା ଯାଏଁ ପଞ୍ଚାୟତର ତାଲା ଖୋଲାଯିବ ନାହିଁ ବୋଲି କହିଥିଲେ। ତେବେ ମହିଳା ମାନେ ସରପଞ୍ଚ, ବିଭାଗୀୟ ଜେଇଙ୍କୁ ଗୋଳିଆ ପାଣି ଦେଖାଇବା ସହ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଛଡାଯିବ ନାହିଁ ବୋଲି କହିଥିଲେ। ତେବେ ପରିସ୍ଥିତି ଅଣାୟତ୍ତ ହେବାରୁ ରାସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରି ସ୍ଥିତି ନିୟନ୍ତ୍ରଣ କରିଥିଲେ ଏବଂ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହାଫଳରେ ମହିଳା ମାନେ ପଞ୍ଚାୟତରୁ ତାଲା ଖୋଲିଥିଲେ।










