30.1 C
Bhubaneswar
Tuesday, April 22, 2025
Homeଓଡିଶାଦିଲ୍ଲୀରେ ଶାହ-ମୋହନ ଭେଟ୍‌ଘାଟ

ଦିଲ୍ଲୀରେ ଶାହ-ମୋହନ ଭେଟ୍‌ଘାଟ

– ଓଡ଼ିଶାର ବିକାଶ ପାଇଁ ଆଗାମୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ
-ଆଇନଶୃଙ୍ଖଳା ଉପରେ ହେଲା ଆଲୋଚନା
-୩ ନୂଆ ଆଇନର କାର୍ଯ୍ୟକାରିତାକୁ ନେଇ ସମୀକ୍ଷା
-ରାଜ୍ୟରେ ପୂରଣ ହେବ ୧୨ ହଜାର ଖାଲି ପଦବୀ

ଭୁବନେଶ୍ୱର: ଓଡ଼ିଶାର ବିକାଶ ପାଇଁ ଆଗାମୀ ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ ରାଜ୍ୟର ଶିଳ୍ପ ଏବଂ ବୈଷୟିକ ବିକାଶକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ସୁଦୃଢ଼ କରିବାରେ ନୂତନ ଅପରାଧିକ ଆଇନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ବୁଧବାର ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜ୍ୟରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଶାହ ଏହା କହିଛନ୍ତି। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ କିଭଳି ରାଜ୍ୟରେ ସଠିକ ଭାବେ କାର୍ଯ୍ୟକାରୀ ହେବ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଶାହ କହିଛନ୍ତି ଯେ ଓଡ଼ିଶା ସରକାର ଆଗାମୀ ଛଅ ମାସ ମଧ୍ୟରେ ପ୍ରଶାସନର ସମସ୍ତ ସ୍ତରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ପ୍ରାଥମିକତା ଦେବା ଉଚିତ। ରାଜ୍ୟ ଗୃହ ସଚିବସ୍ତରରେ ସପ୍ତାହକୁ ଗୋଟିଏ ଥର ଏବଂ ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ସ୍ତରରେ ପ୍ରତ୍ୟେକ ୧୫ ଦିନ ଏବଂ ମୁଖ୍ୟମନ୍ତ୍ରୀ ମାସରେ ଗୋଟିଏ ଥର ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ଆବଶ୍ୟକ। ରାଜ୍ୟରେ ଏହି ଆଇନଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ସମୟସୀମା ସ୍ଥିର କରିବା ଆବଶ୍ୟକ ବୋଲି ଶ୍ରୀ ଶାହ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ପୁଲିସ, କାରାଗାର, ଅଦାଲତ, ଦଣ୍ଡବିଧାନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ବୈଠକରେ କେନ୍ଦ୍ର ଗୃହ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶାହଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଥା ହୋଇଛନ୍ତି।

ବୈଠକ ଶେଷ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଆଇନଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲିପଡ଼ିଥିବା ୧୨ ହଜାର ପଦବୀ ପୂରଣ ହେବ। ଗୃହ ବିଭାଗର ଅନେକ ପଦବୀ ଖାଲି ପଡ଼ିଛି। ଆମ ସରକାର ଆସିଲା ପରେ ତ୍ୱରିତ ଅନୁସାରେ ପଦବୀଗୁଡ଼ିକ ପୂରଣ କରାଯିବ। ଓଡ଼ିଶା ଇଣ୍ଡଷ୍ଟ୍ରି ସିକ୍ୟୁରିଟି ଫୋର୍ସରେ ୩୦୦୩ ନୂଆ ପଦବୀ ପୂରଣ ହେବ। ଟ୍ରାଫିକ୍ ବିଭାଗରେ ୨୦୦୦ ପଦବୀ ପୂରଣ, ହୋମଗାର୍ଡରେ ୫ ହଜାର ପଦବୀ ପୂରଣ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପୂର୍ବ ସରକାର ଏହି ନିଯୁକ୍ତିକୁ ଗୁରୁତ୍ୱ ଦେଉନଥିଲେ, ଆମେ ଦେବୁ। ଅତ୍ୟାଧୁନିକ ଯାନ ବ୍ୟବସ୍ଥା କରୁଛୁ । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଅପରାଧ କମ୍ ହୁଏ ଆମ ରାଜ୍ୟରେ। ସାଇବର୍ ଅପରାଧ ରୋକିବା ପାଇଁ ୨୦ ସାଇବର୍ ପୁଲିସ୍ ଷ୍ଟେସନ୍ ହେବ। ସଡ଼କ ଦୁର୍ଘଘଟଣା କମ୍ କିଭଳି ହେବ ସେଥିପାଇଁ ବ୍ୟବସ୍ଥା କରାଯିବ। ଅପରାଧିକ ଘଟଣା କିପରି କମିବ, କେନ୍ଦ୍ର ସହ ସମନ୍ୱୟ ରଖି କାମ ହେବ। ନକ୍ସଲ ସମସ୍ୟା ବହୁତ କମିଛି, ଖୁବ୍‌ଶୀଘ୍ର ଏହାର ସମାପ୍ତ ହେବ। ରାଜ୍ୟର ୧୦ ଜିଲ୍ଲାରେ ନକ୍ସଲ ସମସ୍ୟା ଅଳ୍ପ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ଗୃହ ସଚିବ, ଡିଜିପି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking