27.1 C
Bhubaneswar
Monday, August 18, 2025
Homeଓଡିଶାଡବଲ ଇଞ୍ଜିନ ସରକାରଙ୍କ ବିଫଳତା ତାଲିକା
ଉପସ୍ଥାପନା କଲା ବିଜେଡି

ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ତାଲିକା
ଉପସ୍ଥାପନା କଲା ବିଜେଡି

ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ରଖିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଉତ୍ତର ଦାବି କଲା ବିଜେଡି
ବିଜେପିର ମିଛ ପ୍ରତିଶ୍ରୁତିର ପର୍ଦ୍ଦାଫାସ ହୋଇଛି
ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରତିଦିନ ଭୃଲୁଣ୍ଠିତ ହେଉଛି

ଭୁବନେଶ୍ୱର: ପୁରୀ ଠାରେ ଆୟୋଜିତ ଏକ ବିଶାଳ ଯୁବ ଛାତ୍ର ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଜୁ ଜନତା ଦଳର ଯୁବ ଛାତ୍ର ନେତୃମଣ୍ଡଳୀ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ନେଇ ବର୍ଷିଛନ୍ତି । ସରକାରଙ୍କ ଲମ୍ୱା ବିଫଳତା ତାଲିକା ଉପସ୍ଥାପନ କରିବା ସହିତ ସରକାରଙ୍କ ‘ବର୍ଷ ଏକ ଉପଲବ୍ଧô ଅନେକ’ ସ୍ଲୋଗାନର ଜବାବରେ ‘ବର୍ଷ ଏକ ବିଫଳତା ଅନେକ’ କହି କଟାକ୍ଷ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦଘାଟନ କରିଥିଲେ । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଯୁବ ଛାତ୍ରଙ୍କ ଉଦେ୍ଦଶ୍ୟରେ ବକ୍ତବ୍ୟ ଦେଇଥିଲେ । ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ରାଜ୍ୟବାସୀଙ୍କୁ ବିଭିନ୍ନ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ନାମ ଓ ରଙ୍ଗ ପରିବର୍ତ୍ତନ କରୁଛନ୍ତି । ବିଏସକେୱାଇ ଭଳି ଲୋକପ୍ରିୟ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଛି, ଯାହା ଯୋଗୁଁ ରୋଗୀମାନେ ଚିକିତ୍ସା ପାଇବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାରଙ୍କ ମିଛ ପ୍ରଚାରକୁ ପ୍ରତିଟି ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ନବୀନ ଯୁବ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଦଳର ଯୁବ ନେତା ବିଧାୟକ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ବ୍ୟୋମକେଶ ରାୟ ପୌରହିତ୍ୟ କରିଥିଲେ । ଦଳର ଯୁବ ଛାତ୍ର ସଂଗଠନର ବରିଷ୍ଠ କର୍ମକର୍ତ୍ତା ମାନଙ୍କ ବ୍ୟତୀତ ଦଳର ବରିଷ୍ଠ ନେତାମାନେ, ଯଥା ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଡ଼ ଅରୁଣ କୁମାର ସାହୁ ପ୍ରମୁଖ ଏହି ବିଶାଳ ଜନଜାଗରଣ ଅଭିଯାନକୁ ସମ୍ୱୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ, ରାଜ୍ୟ ସରକାରଙ୍କ ଏକ ବର୍ଷର ଓ କେନ୍ଦ୍ର ସରକାରଙ୍କ ଏଗାର ବର୍ଷର ବିଫଳତା ଉପରେ ବର୍ଷିଥିଲେ । ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଉଦଘାଟନୀ ଭାଷଣ ଦେଇଥିଲେ । ନବୀନ ସରକାରଙ୍କ ସମୟରେ ଯୁବ ଛାତ୍ରଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଯେଉଁସବୁ ସମ୍ଭାବନା ସୃଷ୍ଟି ହୋଇଥିଲା, ଆଜି ବିଜେପିର ଏକ ବର୍ଷର ଶାସନରେ ତାହା ମଉଳିବାକୁ ବସିଲାଣି । ନବୀନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ‘ସ୍କିଲ୍ଡ ଇନ୍ ଓଡିଶା’ରେ ଆଜି ଯୁବକ ମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ କୌଣସି ଅଗ୍ରଗତି ହୋଇନାହିଁ । ଆର୍ସେଲର ମିତ୍ତଲ ଓ ଜେଏସଡବ୍ଲୁ ଭଳି ଶିଳ୍ପ ସଂସ୍ଥା ଆଜି ଅନ୍ୟ ରାଜ୍ୟକୁ ମୁହାଁଇଲେଣି । ବରିଷ୍ଠ ବିଧାୟକ ତଥା ଦଳର ଓବିସି ସେଲ୍ର ଆବାହକ ଡ଼ ଅରୁଣ କୁମାର ସାହୁ ଗତ ନିର୍ବାଚନ ସମୟରେ ବିଜେପି ତରଫରୁ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ମନେ ପକାଇ ଆସନ୍ତା ୨୦ ତାରିଖରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଶ୍ନ ରଖିଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ରତ୍ନଭଣ୍ଡାର ଚାବି ଫେରାଇ ଆଣିବା ଓ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ରଖିବା କଥା କହିଥିଲେ । ଗତ ଏକ ବର୍ଷରେ ରାଜ୍ୟରେ ଓଡ଼ିଆ ଅସ୍ମିତା ବାରମ୍ୱାର ଭୃଲୁଣ୍ଠିତ ହୋଇଛି ।

ରଥଯାତ୍ରା ସମୟରେ ପ୍ରଭୁ ବଳଭଦ୍ର ପଡିଗଲେ, ତାର ତଦନ୍ତ କୁଆଡେ ଗଲା ଓଡ଼ିଶାବାସୀ ଜାଣିପାରିଲେ ନାହିଁ । ଟ୍ରିପଲ ଇଞ୍ଜିନ ସରକାର ଥାଇ ମହାନଦୀ ଜଳ ବିବାଦର ସମାଧାନ ପାଇଁ କୌଣସି ଉଦ୍ୟମ ହେଲା ନାହିଁ । ପୋଲାଭରମ ପ୍ରକଳ୍ପ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି କେନ୍ଦ୍ର ଆନ୍ଧ୍ରକୁ ୧୬,୦୦୦ କୋଟି ଟଙ୍କା ଦେଇଦେଲେ, କିନ୍ତୁ ଆମ ରାଜ୍ୟର ୨୦ ଏମପିଙ୍କ ମୁହଁ ଚୁପ୍ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ପ୍ରତିଦିନ ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଖବରକାଗଜରେ ଶିରୋନାମା ପାଲଟିଛି । ଏହା କ’ଣ ବିଜେପିର ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିବା ସହିତ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାର ଉତ୍ତର ରଖିବା ଦରକାର ବୋଲି ଡ଼ ସାହୁ କହିଥିଲେ । ଦଳର ଉପସଭାପତି ସଞ୍ଜୟ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କର ଓଡିଶା ପ୍ରତି ଅବହେଳା ଜାରି ରହିଛି । ଏହି ଏକ ବର୍ଷରେ ଓଡିଶାକୁ କେନ୍ଦ୍ରର ଅନୁଦାନ ପ୍ରାୟ ୧୮.୧୯% କମିଛି । ବହୁ ପ୍ରତିକ୍ଷୀତ ଉପକୁଳ ରାଜପଥ ପ୍ରକଳ୍ପ, ଯାହା ୨୦୧୫ ମସିହାରେ ଘୋଷଣା ହୋଇଥିଲା, ଏ ପ୍ରଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେଲା ନାହିଁ । ଏବେ ଏହାକୁ ଚାରି ଲେନ୍ ପରିବର୍ତ୍ତେ ଦୁଇ ଲେନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯାହା ଆଦୌ ଗ୍ରହଣୀୟ ନୁହେଁ ।

ଦଳର ବରିଷ୍ଠ ଉପସଭାପତି ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ରାଜ୍ୟ ବିଜେପି ସରକାରଙ୍କ ସଫଳତାକୁ ନେଇ ଉତ୍ସବ ପାଳନକୁ ତାତ୍ସଲ୍ୟ କରିଥିଲେ । ସେ କହିଥିଲେ, ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ନ୍ୟାୟ ନଦେବା, ମାଣ୍ଡିପଙ୍କାରେ ଚାଉଳ ବଣ୍ଟନ ବିଫଳ ଯୋଗୁଁ ଆମ୍ୱ ଟାକୁଆ ଖାଇ ୪ ଜଣଙ୍କ ମୃତୁ୍ୟ ହେବା, ବିଷାକ୍ତ ମଦ ପିଇ ୫ ଜଣଙ୍କ ଜୀବନ ଯିବା, ବିଷାକ୍ତ ଛତୁଆ ଖାଇ ୨ ଜଣଙ୍କ ମୃତୁ୍ୟ ହେବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିବା, ଅପରାଧ ରେକର୍ଡରେ ଓଡିଶା ୮ମ ସ୍ଥାନ ହାସଲ କରିବା ଇତ୍ୟାଦି ରାଜ୍ୟ ବିଜେପି ସରକାରଙ୍କ ସଫଳତା । ଏହାଛଡା ଧାନ କିଣାରେ କଟନୀଛଟନୀ ବ୍ୟାପକ ହୋଇଥିବା ଓ ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ଅନୁସାରେ ଦୁଇ ବର୍ଷରେ ୫୦ ହଜାର ନଦେଇ ଦିନକୁ ୨୭ ଟଙ୍କା ହିସାବରେ ବର୍ଷକୁ ୨ କିସ୍ତିରେ ୧୦ ହଜାର ଦେବା ନାରୀ ସ୍ୱାଭିମାନ ପ୍ରତି ଉପହାସ ହୋଇଛି ବୋଲି ବକ୍ତାମାନେ କହିଥିଲେ ।

ଦଳର ବରିଷ୍ଠ ନେତା ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ସଂତୃପ୍ତ ମିଶ୍ର, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶ୍ରୀ ନିରଞ୍ଜନ ପୂଜାରୀ, ଶ୍ରୀ କଳିକେଶ ସିଂହଦେଓ, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ବିଭୂତି ବଳବନ୍ତରାୟ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ରୋହିତ ପୂଜାରୀ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ ଅମର ପଟ୍ଟନାୟକ, ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ପ୍ରୀତିରଞ୍ଜନ ଘଡେଇ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଦୀପାଳି ଦାସ ଉପସ୍ଥିତ ଥିଲେ । ଦଳର ଯୁବ ନେତୃତ୍ୱ ଯଥା ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ, ଶ୍ରୀ ସୁନୀଲ ମହାନ୍ତି, ଶ୍ରୀ ଦେବୀ ରଞ୍ଜନ ତି୍ରପାଠୀ, ଶ୍ରୀ ତୁଷାରକାନ୍ତି ବେହେରା, ଶ୍ରୀ ବୈକୁଣ୍ଠ ନାୟକ, ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ, ଧୃତୀ ମାର୍ଥା, ଏଲିନା ଦାଶ ଏବଂ ଛାତ୍ର ନେତା ବିଶ୍ୱ ପ୍ରତାପ ସାହୁ, ମିକୁ ପ୍ରଧାନ, ରାଜେଶ ରାଜ ସ୍ୱାଇଁ, ଅଭିନାଶ ଠାକୁର, ଇପ୍ସିତା ସାହୁ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଦଳର ଯୁବ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking