ୱାଶିଂଟନ୍: ଆମେରିକା ଓ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇପାରେ। ଆମେରିକାର ବାରମ୍ବାର ଚେତାବନୀ ସତ୍ତ୍ୱେ ଇରାନ୍ ନିଜ ଆଭିମୁଖ୍ୟରେ ନମନୀୟତା ନଆଣିବା ଓଲଟା ଆମେରିକାକୁ ନାଲି ଆଖି ଦେଖାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଅଧିକ ଉତ୍କ୍ଷିପ୍ତ ହୋଇପଡିଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ ଟ୍ରମ୍ପ୍ ଏବେ ନିଜ ନୌସେନା ବାହିନୀକୁ ଇରାନ୍ ଅଭିମୁଖେ ଅଗ୍ରସର ହେବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଟ୍ରମ୍ପ୍ଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଆମେରିକାର ବଡ଼ ବଡ଼ ଯୁଦ୍ଧ ପୋତ (ଜାହାଜ) ଏବେ ସାମୁଦ୍ରିକ ପଥ ଦ୍ରୁତ ଗତିରେ ଇରାନ୍ ଅଭିମୁଖେ ଆଗକୁ ବଢ଼ୁଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମଧ୍ୟ ରାଜଧାନୀରୁ ଅନ୍ୟତ୍ର ଚାଲିଯିବାକୁ ଆମେରିକା ପରାମର୍ଶ ଦେଇଛି। ଏସବୁ ମଧ୍ୟରେ ଇରାନ୍ ନିଜ ଏୟାର ସ୍ପେଶ୍କୁ ବନ୍ଦ କରି କରିଛି। ଫଳରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ସମେତ ଅନେକ ଏୟାରଲାଇନ୍ସ ନିଜ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।
ରିପୋର୍ଟ ଅନୁସାରେ ଇରାନ୍ ସହ ଆମେରିକାର ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ‘ପେଣ୍ଟାଗନ୍’ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଦକ୍ଷିଣ ଚାଇନା ସାଗରରେ ମୁତୟନ ଥିବା ଆମେରିକାର ଏକ ଶକ୍ତିଶାଳୀ ‘କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍’କୁ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଅଭିମୁଖେ ପଠାଯାଇଛି। ସେହିପରି ଆମେରିକାର ପରମାଣୁ ଶକ୍ତି ସମ୍ପନ୍ନ ବିମାନବାହୀ ଯୁଦ୍ଧ ଜାହାଜ ‘ୟୁଏସଏସ୍ ଆବ୍ରାହମ୍ ଲିଙ୍କନ’ ନେତୃତ୍ୱରେ ଏକ ବିଶାଳ ନୌସେନା ଦଳ ମଧ୍ୟପ୍ରାଚ୍ୟକୁ ଯାଉଛି। ଏହି ଗ୍ରୁପ୍ରେ ଏକାଧିକ ଯୁଦ୍ଧ ଜାହାଜ ସମେତ ଅତିକମରେ ଗୋଟିଏ ଆଟାକ୍ ସବମରିନ୍ ମଧ୍ୟ ରହିଛି। ଏହି ଯୁଦ୍ଧ ଜାହାଜଗୁଡ଼ିକ ଆସନ୍ତା ପ୍ରାୟ ଏକ ସପ୍ତାହ ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ ସିବିଏସ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଗତ ସୋମବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ୍ ବିରୋଧରେ ବ୍ୟବହାର କରାଯାଇପାରୁଥିବା ସାମରିକ, ସାଇବର ଏବଂ ମନସ୍ତାତ୍ତ୍ୱିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସବିଶେଷ ବିବରଣୀ ଦିଆଯାଇଛି। ସୁତରାଂ ଆମେରିକା ଇରାନ୍ ଉପରେ ଆକ୍ରମଣ ଆଶଙ୍କା ବଢ଼ିଯାଇଛି। ଆମେରିକାର ଏପ୍ରକାର ସାମରିକ ପ୍ରସ୍ତୁତି ମଧ୍ୟରେ କାତାରରେ ଥିବା ଆମେରିକାର ସବୁଠାରୁ ବଡ଼ ସାମରିକ ବେସ୍ ‘ଅଲ୍ ଉଦେଇଦ୍’ରୁ କିଛି କର୍ମଚାରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ସେଠାରୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସାଉଦି ଆରବରେ ଥିବା ଆମେରିକୀୟ ଦୂତାବାସ ମଧ୍ୟ ନିଜ କର୍ମଚାରୀଙ୍କୁ ଅତି ସତର୍କ ରହିବାକୁ ଏବଂ ଅନାବଶ୍ୟକ ଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଛି।
ଇରାନରେ ବର୍ତ୍ତମାନ ଆକାଶଛୁଆଁ ମୁଦ୍ରାସ୍ଫୀତି, ଆର୍ôଥକ ସଙ୍କଟ ଏବଂ ଶାସନ ବ୍ୟବସ୍ଥା ବିରୋଧରେ ବ୍ୟାପକ ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ଇରାନର ଏହି ବିକ୍ଷୋଭ ଏବେ ୧୮ ଦିନରେ ପହଞ୍ଚିଥିବା ବେଳେ, ମାନବାଧିକାର ସଂଗଠନ ଅନୁଯାୟୀ, ଏହି ହିଂସାରେ ଏପର୍ଯ୍ୟନ୍ତ ୨,୬୧୫ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ୧୮,୪୭୦ ରୁ ଅଧିକ ଲୋକ ଗିରଫ ହୋଇଛନ୍ତି। ବିକ୍ଷୋଭକାରୀଙ୍କ ମୃତ୍ୟୁ କେବଳ ସରକାରଙ୍କ ବଳପୂର୍ବକ ଦମନ ନୀତି ଯୋଗୁ ହୋଇଥିବା କୁହାଯାଉଛି। ଇରାନ୍ କହିଛି ଯେ, ଆମେରିକା ଏବଂ ଇସ୍ରାଏଲ୍ ଠାରୁ ପଇସା ନେଇ କିଛି ସଂଗଠନ ତଥା ଲୋକ ଦେଶରେ ଏପ୍ରକାର ହିଂସାତ୍ମକ ପରିବେଶ ସୃଷ୍ଟି କରୁଛନ୍ତି। ଏହିପରିପ୍ରେକ୍ଷୀରେ ଇରାନ୍ ଏବେ ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଦେଇଛି।










