କଳାହାଣ୍ଡି : ଜିଲ୍ଲାର ଲାଞ୍ଜିଗଡ଼ ଠାରେ ବେଦାନ୍ତ ଆଲୁମିନା ଲିମିଟେଡ଼ କମ୍ପାନୀ ନିର୍ମାଣ କରାଯାଇଥିଲେ ମଧ୍ୟ, ଆଦିବାସୀଙ୍କ ବିରୋଧ ଯୋଗୁଁ ଏଯାବତ ନିୟମଗିରି ପାହାଡ଼କୁ ନିଜ ଆୟତ କୁ ନେବା ସମସ୍ତ ପ୍ରୟାସ ବିଫଳ ହୋଇଛି ।
ଜନସାଧାରଣଙ୍କ ଅଭିଯୋଗ ମୁତାବକ କମ୍ପାନୀ ଆରମ୍ଭ ହେବା ଦିନଠାରୁ ଏହା କଳାହାଣ୍ଡି ଜିଲ୍ଲାର କୌଣସି ଜନହିତ କାର୍ଯ୍ୟରେ ଲାଗୁନି । କମ୍ପାନୀ ଏଯାବତ ଏହି ଅଞ୍ଚଳରେ ଭୂମି ହରାଇଥିବା ଲୋକମାନଙ୍କୁ ଭଲ ରୋଜଗାର ମଧ୍ୟ ଦେଇ ପାରି ନାହିଁ ।
ଏହା ବ୍ୟତୀତ ବେଦାନ୍ତ ଆଲୁମିନା କମ୍ପାନୀରେ ଅନେକ ଛୋଟ ଛୋଟ ଠିକା ସଂସ୍ଥା ଦ୍ବାରା ଅନେକ ଶ୍ରମିକ ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ଶ୍ରମିକ ମାନଙ୍କ ନିରୀହ ପଣିଆର ସୁଯୋଗ ନେଇ, ଛତିଶଗଡ଼ ଅଞ୍ଚଳର ପ୍ରିସିଜନ ଇଂଜିନିୟରିଂ ଲିମିଟେଡ଼ ନାମକ ଠିକା ସଂସ୍ଥାର ମନମୁଖୀ ଶାସନରେ ଅତିଷ୍ଠ ହୋଇ କିଛି ଶ୍ରମିକ ଗତ ମାସରୁ କମ୍ପାନୀ ବାହାରେ ବସି ରହିଛନ୍ତି, ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ କାମରୁ ଛଟେଇ କରି ଶ୍ରମିକ ମାରଣା ନୀତି ଆପଣେଇଛି ।
ଏହା ସଂକ୍ରାନ୍ତରେ ପ୍ରିସିଜନ ଇଂଜିନିୟରିଂ ଠିକା ସଂସ୍ଥାର ମୁଖ୍ୟ ସୁଶାନ୍ତ ଶତପଥୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବା ପରେ ବିଭିନ୍ନ ଆଳ ଦେଖାଇ ଦେଖା କରିନଥିଲେ । ତେବେ ବେଦାନ୍ତ କମ୍ପାନୀ ଜନ ସମ୍ପର୍କ ଅଧିକାରୀ କହିଛନ୍ତି ଶ୍ରମିକ ମାନଙ୍କୁ ବେଦାନ୍ତ ତରଫରୁ ସମସ୍ତ ପ୍ରକାର ସୁବିଧା ଦିଆଯାଉଛି । କିନ୍ତୁ ପ୍ରିସିଜନ ଇଂଜିନିୟରିଂ ଶ୍ରମିକ ମାନଙ୍କୁ ଅଧିକାଂଶ ସୁବିଧା ପ୍ରଦାନ କରୁନାହିଁ, ଏବଂ ଏଥିପାଇଁ ପ୍ରିସିଜନ ଇଂଜିନିୟରିଂ ଦାୟୀ । ତେବେ ବେଦାନ୍ତ କର୍ତ୍ତୃପକ୍ଷ ଏହା ସମ୍ପର୍କରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ କମ୍ପାନୀରେ ଅନେକ କାର୍ଯ୍ୟ ଆଇନ ବିରୁଦ୍ଧରେ ହେଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନାହିଁ । କିଛି ଦିନ ତଳେ ଲାଞ୍ଜିଗଡ଼ ଥାନା ଅଧିକାରୀ ଙ୍କ ଆଗରେ ପ୍ରିସିଜନ ଇଂଜିନିୟରିଂ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କୁ ବିଭିନ୍ନ ଭତ୍ତା ଦେବାକୁ ଲିଖିତ ଆକାରେ ସ୍ବୀକାର କରିଥିବା ବେଳେ, ବର୍ତ୍ତମାନ ସୁଦ୍ଧା କୌଣସି ଭତ୍ତା ଦିଆଯାଇନାହିଁ । ଏହା ସମ୍ପର୍କରେ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଯେପରି କମ୍ପାନୀର ହାତ ବାରେସି ସାଜିଛନ୍ତି ।
ଆଜି ସମସ୍ତ ଶ୍ରମିକ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ ଦାଖଲ କରି ସମସ୍ୟାର ସମାଧାନ ପାଇଁ ଜଣେଇଛନ୍ତି । ଯଦି ସେମାନେ ନିଜର ହକ ନ ପାଆନ୍ତି ତେବେ ଆସନ୍ତା ଦିନ ରେ ଶ୍ରମିକ ମାନେ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଧାରଣା ରେ ବସି ନିଜ ଅଧିକାର ପାଇଁ ଲଢେଇ କରିବେ ବୋଲି ମତ ପ୍ରକାଶ କରିଛନ୍ତି ।
କରୋନା ମହାମାରୀ ସମୟରେ ପ୍ରିସିଜନ ଇଂଜିନିୟରିଂ କମ୍ପାନୀର ଏ ଭଳି ଶ୍ରମିକ ମାରଣା ନୀତିକୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରାଯାଇଛି, ଏବଂ ଏହା ସମ୍ପର୍କରେ କଳାହାଣ୍ଡି ଜିଲ୍ଲାପାଳ ଅନୁସନ୍ଧାନ କରି ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି ଦାବି ହେଉଛି ।
କଳାହାଣ୍ଡିରୁ ସୁନିଲ କୁମାର ମୁଣ୍ଡଙ୍କ ରିପୋର୍ଟ