28.1 C
Bhubaneswar
Saturday, April 20, 2024
Homeଓଡିଶାଜିରୋନାଇଟ୍ ପାଇଁ କଡ଼ା ସୁରକ୍ଷା

ଜିରୋନାଇଟ୍ ପାଇଁ କଡ଼ା ସୁରକ୍ଷା

ଭୁବନେଶ୍ୱର : ଆଉଦିନ କେଇଟା ପରେ ନୂଆବର୍ଷ । ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ନୂଆବର୍ଷ ଆସିଲେ ସମସ୍ତେ ଜିରୋନାଇଟ ସେଲିବ୍ରେଟ କରିବା ପାଇଁ ଅପେକ୍ଷା କରି ଥାଆନ୍ତି । ତେବେ ଏହି ଜିରୋନାଇଟ ସେଲିବ୍ରେଟକୁ ନେଇ କଡାକଡି ସୁରକ୍ଷା କରାଯାଇଛି । ଭୁବନେଶ୍ବରରେ ପ୍ରାୟ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ । ବିଶେଷ କରି ହୋଟେଲ ଗୁଡ଼ିକ ଉପରେ କଡ଼ା ନଜର ରଖାଯିବ ।
ଏଥର ନୂଆବର୍ଷ ବୁଧବାର ପଡ଼ୁଥିବାରୁ ତା’ର ଭରପୂର ଉପଭୋଗ କରିବାକୁ ସମସ୍ତେ ଚାହିଁବେ । ବିଶେଷକରି ନୂଆବର୍ଷ ପାଳନ ପାଇଁ ଯୁବ ପିଢ଼ି ରାତି ଅଧରେ ରାଜରାସ୍ତାକୁ ଚାଲି ଆସିବା ଓ ମଉଜ ମସ୍ତି କରିବାର ସମ୍ଭାବନା ଥିବାରୁ ଆଇନ ଶୃଙ୍ଖଳା ଭଙ୍ଗର ମଧ୍ୟ ଆଶଙ୍କା ରହିଛି । ଏପରିକି କିଛି ଯୁବକ ନିଶାସକ୍ତ ଅବସ୍ଥାରେ ରାତି ଅଧରେ ରାସ୍ତାରେ ନୂଆବର୍ଷ ପାଳନ କରିଥାଆନ୍ତି । ସେ ସମୟରେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ବି ରହିଛି । ବିଭିନ୍ନ ତାରକା ହୋଟେଲରେ ଜିରୋନାଇଟ ପାଳନ ହେବା ସହିତ ଅନେକ କ୍ଲବ, କଲୋନି, ଜିମ୍, ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଭୋଜିଭାତ ମଧ୍ୟ ହୋଇଥାଏ । ଏସବୁକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ଡିସିପି ଅନୁପ ସାହୁ ବିଭିନ୍ନ ଜୋନ୍ ଏସିପି ଓ ଇନ୍ସପେକ୍ଟରମାନଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ।

ଚଳିତବର୍ଷ ଦୁର୍ଘଟଣାକୁ ରୋକିବା ଲାଗି ଖଣ୍ତଗିରି, ଖାରବେଳନଗର, ଲିଙ୍ଗରାଜ, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, କ୍ୟାପିଟାଲ ଥାନା ଅଧୀନରେ ଥିବା ୩୫ଟି ଦୁର୍ଘଟଣାପ୍ରବଣ ଛକ ଚିହ୍ନଟ ହୋଇଛି । ସେଠାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ । ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଖାରବେଳନଗର, ଲକ୍ଷ୍ମୀସାଗର ଥାନା ଅଧୀନରେ ବହୁ ତାରକା ହୋଟେଲ୍ ଓ ବାର୍ ଥିବାରୁ ସେ ସବୁ ଅଞ୍ଚଳ ଉପରେ ପୁଲିସ୍ ବେଶି ନଜର ରଖିବ । ବିଭିନ୍ନ ହୋଟେଲ୍ ନିକଟରେ ସାଦା ପୋଷାକରେ ପୁଲିସ୍ ମୁତୟନ ହେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରାଜଧାନୀରେ ୪୦ଟି ପାଖାପାଖି ସମ୍ବେଦନଶୀଳ ଛକ ଓ ସ୍ଥାନ ଚିହ୍ନଟ ହୋଇଛି । ସେ ସବୁ ସ୍ଥାନରେ ଜିରୋନାଇଟ ପାଳନ ବେଳେ ପୁଲିସ ପକ୍ଷରୁ ବ୍ରିଦିଂ ଆନାଲାଇଜର ସହଯୋଗରେ ବ୍ଲକି˚ ଓ ଚେକିଂ କରାଯିବ । ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଥିବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ସାଙ୍ଗକୁ ଗାଡ଼ି ଚାଳକଙ୍କୁ ଗିରଫ କରାଯିବ । ଆବଶ୍ୟକ ହେଲେ ସେମାନଙ୍କୁ ଜେଲ୍ ପଠାଇ ଦିଆଯିବ । ବଡ଼ କଥା ହେଉଛି ମଦ ପିଇ ବାଇକ୍ କିମ୍ବା କାର ଚଳାଉଥିବା ଧରାପଡ଼ିଲେ ଗାଡି ଜବତ କରାଯିବା ସହିତ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସଂଧ୍ୟାରୁ ପିସିଆର ଭ୍ୟାନ, ଥାନା ଗାଡ଼ି ଓ ବାଇକ୍ରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ । ଯେଉଁମାନେ ବିନାନୁମତିରେ ଜିରୋନାଇଟ ପାଳନ କରୁଥିବେ ସେମାନଙ୍କ ବିରୋଧରେ ମଧ୍ୟ କମିସନରେଟ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking