ରାଜଧାନୀରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ଛକରେ ସୋମବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ନୟାପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ(୩୬) । ୧୫ରୁ ଊର୍ଦ୍ଧ୍ୱ ଯୁବକ ଏକତ୍ରିତ ହୋଇ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ପୁଲିସ ବବୁଲ୍‌ଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ଏସମ୍ପର୍କରେ ନୟାପଲ୍ଲୀ ଥାନା ଅଧିକାରୀ ଶରତ କୁମାର ସାହୁ କହିଛନ୍ତ, ପୂର୍ବ ଶତ୍ରୁତାରୁ ୟୁନିଟ-୪ ଅଞ୍ଚଳର ଯୁବକମାନେ ବବୁଲ୍‌ଙ୍କୁ ଆକ୍ରମଣ କରିଛନ୍ତି ।

ସେମାନଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ଗିରଫ କରାଯିବ ବୋଲି ସେ କହିଛନ୍ତି । ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାବେଳେ ବବୁଲ୍ କଳିଙ୍ଗ ଷ୍ଟାଡିୟମ୍ ଓମ୍‌ଫେଡ୍ ନିକଟରେ ତାଙ୍କ ବାଇକ ରଖି ଛିଡ଼ା ହୋଇଥିଲେ । ଏହି ସମୟରେ ଜଣେ ଯୁବକ ଆସି ତାଙ୍କ ବାଇକରୁ ଚାବି କାଢିଦେଇ ଅନ୍ୟ ଯୁବକଙ୍କୁ ଡାକିଦେଇଥିଲେ । ୧୫ରୁ ଊର୍ଦ୍ଧ୍ୱ ଯୁବକ ଆସିବାବେଳେ ବବୁଲ୍ ଦୌଡି ପଳାଇ ଯାଉଥିଲେ । ଏତିକି ବେଳେ ସେ ତଳେ ପଡିଯାଇଥିଲେ । ଏହାର ସୁଯୋଗ ନେଇ ଜଣେ ଯୁବକ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ । ସ୍ଥାନୀୟ ଲୋକମାନେ ପାଟି କରିବାରୁ ଯୁବକମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ । ତେବେ ଗତ ଗଣେଶ ପୂଜା ବେଳୁ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା । ଯାହାକୁ ନେଇ ସୋମବାର ଏଭଳି ଆକ୍ରମଣ କରାଯାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here