31.1 C
Bhubaneswar
Tuesday, April 23, 2024
Homeଓଡିଶାମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ

– ୭୨ ଘଂଟା ମଧ୍ୟରେ ଗିରଫ କରିବାକୁ ଦେଲେ ଦାବିପତ୍ର
– ଆସନ୍ତା ୩୦ ତାରିଖରେ ନବୀନଙ୍କୁ ଘେରିବ ଯୁବ କଂଗ୍ରେସ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରିବା ଦାବିରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, କଟକ ଘେରାଉ କରାଯାଇଛି । ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବକ୍ସିବଜାର ଛକଠାରୁ ଶୋଭାଯାତ୍ରାରେ ବାହାରି ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଓ ଅନ୍ୟ କର୍ମକର୍ତାମାନେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ହେଉନଥିବା ଅଭିଯୋଗ କରିଥିଲେ । ମାମଲାର ଉପଯୁକ୍ତ ତଦନ୍ତ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୭୨ ଘଂଟା ମଧ୍ୟରେ ଗିରଫ କରିବାକୁ ଡ. ଲେଙ୍କା ଦାବି କରିଥିଲେ । ନଚେତ ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୁବ କଂଗ୍ରେସ କର୍ମୀ ଘେରାଉ କରିବେ ବୋଲି ସେ କହିଥିଲେ । ଏଥିସହ ମନ୍ତ୍ରୀଙ୍କୁ ସବୁ ସ୍ଥାନରେ କଳାପତାକା ଦେଖାଇ ରାଜ୍ୟବ୍ୟାପୀ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା ସମୟରେ ଡ.ଲେଙ୍କା କହିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ନ ହେବା ରାଜ୍ୟ ପୋଲିସ ବିଭାଗର ସ୍ଥାଣୁତାକୁ ପ୍ରମାଣିତ କରୁଛି । ଏହି ମାମଲାରେ ଗିରଫ ଅଭିଯୁକ୍ତ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ଓ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଅଭିଯୁକ୍ତ ତା’ର ଅପରାଧ ସାମ୍ରାଜ୍ୟ ବଢ଼ାଇଥିବାର ଅନେକ ପ୍ରମାଣ ମିଳିସାରିଛି । ଏହା ସତ୍ୱେ ମନ୍ତ୍ରୀ ମିଶ୍ରଙ୍କୁ ଗିରଫ ନ କରି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଆନ୍ଦୋଳନ କରୁଥିବା ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରୁଛି । ଯାହାକି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା କେଉଁ ଦିଗକୁ ଗତି କରୁଛି ଏଥିରୁ ସ୍ପଷ୍ଟ ହେଉଛି ବୋଲି ଡ. ଲେଙ୍କା କହିଛନ୍ତି ।
ସେହିପରି ବିଧାୟକ ମହମ୍ମଦ ମୋକିମ ମଧ୍ୟ ଯଦି ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଗଣତାନ୍ତ୍ରିକ ଉପାୟରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରଦାର ହେବ ବୋଲି କହିଥିଲେ ।
ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ମହମ୍ମଦ ଅଲିମ, ବୀରେନ୍ଦ୍ର ବାଗ, ସୁନିତା ବାଗ, ବିଶ୍ୱରଞ୍ଜନ ଦାଶ, ଆର୍ଯ୍ୟବୀର ଲେଙ୍କା, ତ୍ରିଲୋଚନ ପାଣିଗ୍ରାହୀ, ବିକି ଚକ୍ରବର୍ତୀ, ସାଉଲ ମଙ୍ଗରାଜ, ପ୍ରଶାନ୍ତ ମଲ୍ଲିକ, ସତ୍ୟପ୍ରକାଶ ସାମଲ, ମହମ୍ମଦ ସାହେବ, ଅମ୍ରିତା ଦାଶ, ପ୍ରଦୀପ ସାହୁ, ଜ୍ଞାନରଞ୍ଜନ ରାଉତ, ମନୋରଞ୍ଜନ ପଟ୍ଟନାୟକ ଓ କମଳ ଚରଣ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking