ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିରେ ଆତ୍ମହତ୍ୟା କରିବା ଏକ ଟ୍ରେଣ୍ଡ୍ ପାଲଟିଗଲାଣି । ନିକଟରେ ରାଜଧାନୀରେ ୫ରୁ ଅଧିକ ଯୁବକ-ଯୁବତୀ ଆତ୍ମହତ୍ୟା କରିଛନ୍ତି । ଲଗାତାର ଏଭଳି ଘଟଣା ଦେଖିବାକୁ ମିଳୁଥିବାବେଳେ ଆଜି ପୁଣି ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସମ୍ପୃକ୍ତ ଯୁବକ ଜଣକ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ବ୍ରହ୍ମପୁର ନୂଆ ବସ୍ଷ୍ଟାଣ୍ଡ ନିକଟରେ ରହୁଥିବା ସମୀର ମିଶ୍ର(୩୫) । ସେ ବମିଖାଲ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବାବେଳେ ମଞ୍ଚେଶ୍ୱରସ୍ଥିତ ଏକ ମୃଦୁପାନୀୟ କମ୍ପାନୀରେ ଚାକିରି କରୁଥିଲେ । ସମୀରଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିଲେ ମଧ୍ୟ ତାଙ୍କ ସାର୍ଟ ପକେଟରୁ ପୁଲିସକୁ ଏକ ସୁଇସାଇଡ ନୋଟ୍ ମିଳିଛି । ଯେଉଁଥିରେ ସମୀର ନିଜ ମୃତ୍ୟୁ ପାଇଁ ସେ କାମ କରୁଥିବା ମୃଦୁପାନୀୟ କମ୍ପାନୀର ସୁପରଭାଇଜର, ଭଡ଼ାରେ ରହୁଥିବା ଘର ମାଲିକଙ୍କୁ ଦାୟୀ କରିଛନ୍ତି ।
ତାଙ୍କ ଆତ୍ମହତ୍ୟା କରିବା ପଛରେ ଏହି ଦୁଇଜଣଙ୍କ ମୁଖ୍ୟ ହାତ ଥିବା ସମୀର ନିଜ ସୁଇସାଇଡାଲ ନୋଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ଏନେଇ ଜିଆର୍ପି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ସମୀର କାମ କରୁଥିବା ସଂସ୍ଥାର ସୁପରଭାଇଜର ତାଙ୍କୁ ଠିକ୍ ସମୟରେ ଦରମା ଦେଉନଥିଲେ । ଏପରିକି ତାଙ୍କ ଦରମା ଅର୍ଥ ଦିନଦିନ କରି ଅଟକ ରଖୁଥିଲେ । ଯେଉଁଥିପାଇଁ ସମୀର ଭଡ଼ାରେ ରହୁଥିବା ବମିଖାଲ ସ୍ଥିତ ଘର ମାଲିକଙ୍କୁ ଘର ଭଡ଼ା ଦେଇପାରୁନଥିଲେ । ଫଳରେ ଘରମାଲିକ ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ଖରାପ ବ୍ୟବହାର କରୁଥିଲେ । ଯାହାକୁ ନେଇ ସମୀର ମାନସିକ ଭାବେ ଅତିଷ୍ଠ ହୋଇଯାଇଥିଲେ ।
ଆଜି ସକାଳୁ ସେ ବମିଖାଲସ୍ଥିତ ଭଡ଼ା ଘରୁ ଚାଲିଚାଲି ଯାଇ ବାଣୀବିହାର ଷ୍ଟେସନର କିଛି ଦୂରରେ ଛିଡ଼ା ହୋଇଥିଲେ । ପରେ ସେ ଏକ ଏକ୍ସପ୍ରେସ ଟ୍ରେନ୍ ଆଗକୁ ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଜିଆରପି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କର ିବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ପରିବାର ଲୋକଙ୍କୁ ଅବଗତ କରାଇଥିଲା । ପରିବାରଲୋକ ଆସିବା ପରେ ହସ୍ପିଟାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସମୀରଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି ।