ଚିଙ୍ଗୁଡି କମ୍ପାନୀରେ ଯୁବକଙ୍କ ମୃତ୍ୟୁ, ଶବ ଆଣିଥିବା ଆମ୍ବୁଲାନ୍ସକୁ ଅଟକାଇଲେ ଗ୍ରାମବାସୀ

ମାଲକାନଗିରି : ଗତ ମାର୍ଚ୍ଚ ମାସରୁ ସାରା ବିଶ୍ୱରେ କୋଭିଡ ମହାମାରି ବ୍ୟାପିଥିବା ବେଳେ ଅନ୍ୟରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକ ମାନେ ସେହି ସବୁ ରାଜ୍ୟରେ କରୋନା ପାଇଁ କାମ ବନ୍ଦ ହୋଇ ଯିବା ପରେ ନିଜ ରାଜ୍ୟକୁ ଫେରିବା ପାଇଁ ଶ୍ରମିକମାନେ ରାଜ୍ୟ ସରକାରଙ୍କୁ ବ୍ୟାକୁଳ ନିବେଦନ କରିଥିଲେ । ମାଲକାନଗିରି ଜିଲ୍ଲାରେ ୨୪ ହଜାରରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ ଅନ୍ୟ ରାଜ୍ୟରୁ ନିଜ ଭିଟାମାଟି ମାଲକାନଗିରି ଜିଲ୍ଲାକୁ ଫେରାଇ ଆଣିବା ପାଇଁ ମୋଟୁ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କୁ ଘରେ ପହଞ୍ଚାଇବା, ସ୍ୱାସ୍ଥ୍ୟ ପରୀକ୍ଷା, ସଂଗରୋଧ କେନ୍ଦ୍ରରେ ରଖି ତାଙ୍କର ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ । କିନ୍ତୁ ନିଜ ଜିଲ୍ଲାରେ କାମ ନ ପାଇବାରୁ ଏବେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦ ହଜାରରୁ ଉର୍ଦ୍ଧ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଭେଜାଗୁଡା ଗ୍ରାମର ରାମସିଂ ମାଡିଙ୍କ ପୁଅ ରାଜୁ ମାଡି (୧୮) ଦାଦନ ଖଟିବା ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ପାଲାକଲୁ ବ୍ଲକ ଅନ୍ତର୍ଗତ କାବାବରମ ଗ୍ରାମରେ ଏକ ଚିଙ୍ଗୁଡି ଫାର୍ମରେ କାର୍ଯ୍ୟ କରୁଥିଲେ । ତାଙ୍କର ଦେହ ଅସୁସ୍ଥ ହେବାରୁ ଭିମବରମର ଇମ୍ପେରିଆଲ ଚିକିତ୍ସାଳୟରେ ଭର୍ତି କରିଥିଲେ । ଫଳରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ରାଜୁଙ୍କ ମୃତ୍ୟୁ ହୋଇଥିଲା । ସମ୍ପୃକ୍ତ କମ୍ପାନୀର ମାଲିକ ଆନ୍ଧ୍ରର ଏକ ଆମ୍ବୁଲାନ୍ସ ଯୋଗେ ଗତକାଲି ରାତିରେ ରାଜୁ ମାଡିଙ୍କ ମୃତ ଶରୀର ଧରି ତାଙ୍କ ନିଜ ଗ୍ରାମ ମାଲକାନଗିରି ଜିଲ୍ଲା ଭେଜାଗୁଡାରେ ପହଞ୍ଚିଥିଲେ । ପରେ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା । ଏହାପରେ ଉତ୍ୟକ୍ତ ଗ୍ରାମବାସୀ ଆମ୍ବୁଲାନ୍ସକୁ ଅଟକାଇ କେଉଁ କାରଣରୁ ରାଜୁ ମୃତ୍ୟୁବରଣ କଲା, ପରିବାର ଲୋକଙ୍କୁ ରାଜୁର ସ୍ୱାସ୍ଥ୍ୟ ସମ୍ବନ୍ଧରେ କାହିଁକି ଜଣାଇଲେ ନାହିଁ, ତାହାର ମୃତ୍ୟୁ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜୁଙ୍କ ପିତା ରାମ ଓ ଗ୍ରାମବାସୀ ଭଗତ ପତିଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏ ସମ୍ବନ୍ଧରେ ପୁଲିସକୁ କୌଣସି ସୂଚନା ଦିଆଯାଇ ନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here