ଧନୁ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ ଧନୁ ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
ଧନୁ: ଶନିଙ୍କ ଅବସ୍ଥିତି ମାନସିକ ଦୁଶ୍ଚିନ୍ତା ବୃଦ୍ଧି କରିବ । ଆର୍ଥିକ ସ୍ରୋତରେ କିଛିଟା ଭଟ୍ଟା ପଡ଼ିପାରେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ହେବ । ନିଷ୍ଠାପର କର୍ମ ସଦ୍ୟ ନ ହେଲେ ବି ପରବର୍ତୀ ସମୟରେ ଶୁଭଫଳଦାୟୀ ହେବ । ମାର୍ଚ୍ଚ ମାସ ପରେ ଦ୍ୱିତୀୟ ବୃହସ୍ପତି ଆପଣଙ୍କୁ ଅନେକ କାର୍ଯ୍ୟରେ ସିଦ୍ଧି ଆଣି ଦେବେ । ବୁଦ୍ଧି, ବିଦ୍ୟା ଓ କୌଶଳ ଖଟାଇ ସବୁ ସମସ୍ୟାର ସମାଧାନ କରିପାରିବେ । ଚାକିରି, ବ୍ୟବସାୟ ବା ଶିଳ୍ପ କ୍ଷେତ୍ରରେ କୌଣସି ସମସ୍ୟା ରହିବ ନାହିଁ । ଆର୍ଥିକ ପରିସ୍ଥିତି ପୂର୍ବ ବର୍ଷ ଅପେକ୍ଷା ଭଲ ରହିବ । ନୂତନ ଯାନବାହନ ବା ଗୃହୋପକରଣ କ୍ରୟ କରିପାରନ୍ତି । ସପ୍ତମ ରାହୁ ଦାମ୍ପତ୍ୟ ଜୀବନରେ ଅବିଶ୍ୱାସ ଓ ଅସନ୍ତୋଷ ସୃଷ୍ଟି କରିପାରନ୍ତି । ବ୍ୟୟ ବୃଦ୍ଧି ଯୋଗୁ ସାମୟିକ ଅନଟନ ଅନୁଭବ କରିପାରନ୍ତି । ସ୍ୱାସ୍ଥ୍ୟଟାକୁ ଜଗିବାକୁ ପଡ଼ିବ । କୌଣସି ନୀଚ ସ୍ତ୍ରୀଲୋକଙ୍କ ସହ ସମ୍ପର୍କ ରଖିବା ବିପଜ୍ଜନକ । ପୁରୁଣା ରୋଗର ପ୍ରାଦୁର୍ଭାବ ବୃଦ୍ଧି ହୋଇପାରେ । ଶନି ସାଢ଼େସାତୀର ପ୍ରତିକାର ପାଇଁ ସକାଳେ ହନୁମାନ ଚାଳିଶା ଓ ରାତିରେ ଶନି ଚାଳିଶା ପାଠ କରନ୍ତୁ କିମ୍ବା ଶନି ମନ୍ତ୍ର ‘ଓଁ ଶଂ ଶନୈଶ୍ଚରାୟ ନମଃ’ ଜପ କରନ୍ତୁ । ଜନ୍ମରାଶିରେ ଥିବା ବୃହସ୍ପତିଙ୍କ ଅଶୁଭତ୍ୱର ପ୍ରତିକାର ପାଇଁ ବୃହସ୍ପତିଙ୍କ ମନ୍ତ୍ର ‘ଓଁ ବୃଂ ବୃହସ୍ପତୟେ ନମଃ’ ଜପ କରନ୍ତୁ । ହଳଦିଆ ବସ୍ତ୍ର, ଖେଚୁଡ଼ି ଅନ୍ନ, ସୁନା ଓ ଘିଅ ଦାନ କରନ୍ତୁ ।
ମୂଳା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଫଳ ଉତମ । କେବଳ ବ୍ୟୟ ସଙ୍କୋଚନ ଦ୍ୱାରା କୌଣସି ଆର୍ଥିକ ସମସ୍ୟାରେ ପଡ଼ିବେ ନାହିଁ । ସ୍ୱାସ୍ଥ୍ୟ ପାଇଁ ଶନିମନ୍ତ୍ର କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଶିକ୍ଷା ଓ କର୍ମ କ୍ଷେତ୍ରରେ ଶୁଭଫଳ ପାଇବେ । ଚାକିରିରେ ପଦୋନ୍ନତି ଘଟିବ । ଅବସରପ୍ରାପ୍ତ ବ୍ୟକ୍ତିମାନେ ବିଦେଶରେ ରହୁଥିବା ପୁଅବୋହୂଙ୍କ ପାଖରେ ରହି ଅଧିକାଂଶ ସମୟ କଟାଇପାରନ୍ତି । ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ଉତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି କେବଳ ସ୍ୱାସ୍ଥ୍ୟକୁ ଜଗି ଚଳିବା ଦରକାର । ପ୍ରତି ଶନି ଓ ମଙ୍ଗଳବାର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ସହ ହନୁମାନ ଚାଳିଶା ପାଠ କରନ୍ତୁ । ଅଶ୍ୱର୍ଥ ମୂଳେ ଜଳଦାନ ଓ ପ୍ରଦକ୍ଷିଣ କରନ୍ତୁ ଏବଂ ଶନିବାର ଦୀପ ଜାଳନ୍ତୁ ।