ବୃଷ ରାଶିର ୨୦୨୦ ମସିହାର ବାର୍ଷିକ ରାଶିଫଳ

ଦୈନିକ ରାଶିଫଳ ଚନ୍ଦ୍ରଙ୍କଠାରୁ, ମାସିକ ରାଶିଫଳ ରବିଙ୍କଠାରୁ ଏବଂ ବାର୍ଷିକ ରାଶିଫଳ ମୁଖ୍ୟତଃ ରାହୁ, କେତୁ, ବୃହସ୍ପତି ଓ ଶନିଙ୍କଠାରୁ ଗଣନା କରାଯାଏ । ଚଳିତବର୍ଷ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଶନି ଧନୁରେ ଓ ତା’ପରେ ମକରରେ, ବର୍ଷ ଆରମ୍ଭରେ ଯଥାକ୍ରମେ ମିଥୁନ ଓ ଧନୁରେ ଥିବା ରାହୁ ଓ କେତୁ ସେପ୍ଟେମ୍ବର ୧୯ ତାରିଖରେ ବୃଷ ଓ ବିଛାକୁ ଚଳିବେ । ବୃହସ୍ପତି ବର୍ଷ ଆରମ୍ଭରୁ ଧନୁରେ ଏବଂ ୨୯ା୦୩ା୨୦୨୦ରେ ମକରକୁ ଚଳି ପୁଣି ୩୦ା୦୬ା୨୦୨୦ରେ ବକ୍ରଗତିରେ ଧନୁକୁ ପ୍ରତ୍ୟାବନ କରିବେ । ପୁଣି ବୃହସ୍ପତି ତା୨୦ା୧୧ା୨୦ ଦିବା ୦୧ା୨୨ରେ ଧନୁରୁ ମକରକୁ ଚଳିବେ । ସେହି ଅନୁସାରେ ବୃଷ ରାଶିର ଫଳ ନିମ୍ନରେ ପ୍ରଦାନ କରାଗଲା ।
ବୃଷ: ବର୍ଷ ଶେଷ ପର୍ଯ୍ୟନ୍ତ ଆପଣଙ୍କର ବର୍ତମାନର ସ୍ଥିତିରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ । ଦୁଃସ୍ଥାନ ଅଷ୍ଟମରେ ଶନି, କେତୁ, ବୃହସ୍ପତି, ରବି ଓ ବୁଧ ଚାରୋଟି ଗ୍ରହ ଅଛନ୍ତି । ଏହା ଦୁର୍ଘଟଣା, ରୋଗ ଓ ପୀଡ଼ାକାରକ । ଜାନୁୟାରୀ ୨୪ରେ ଶନି ଚଳନ ହେଲେ ବି ଶନି ସପ୍ତା ବର୍ଷ ସାରା ବଳବତର ରହିବ । ବୃହସ୍ପତି ୮ମରୁ ୯ମକୁ ଯାଇ ପୁଣି ୮ମକୁ ଫେରିବେ ଏବଂ ପୁଣି ନଭେମ୍ବର ୨୦ରେ ୯ମକୁ ଯିବେ । ୯ମ ବୃହସ୍ପତି ସମସ୍ତଙ୍କ ପାଇଁ ଶୁଭଫଳଦାୟୀ ହେଲେ ମଧ୍ୟ ନୀଚସ୍ଥ ବୃହସ୍ପତି ଫଳ ଦେବା ପାଇଁ ଅକ୍ଷମ । ଦୂରଯାତ୍ରା ନ କରିବା ଭଲ । ମାଲିମକଦ୍ଦମା ଓ ବିବାଦରେ ପଶିବା ଉଚିତ ନୁହେଁ । ମାନସିକ ଦୁଶ୍ଚିନ୍ତା, ଅବସାଦ ଦେଖାଦେଇପାରେ । ଘାତ ପ୍ରତିଘାତ ଓ ପ୍ରତିବନ୍ଧକ ମଧ୍ୟରେ ସମୟ ଅତିବାହିତ ହେବ । କିନ୍ତୁ ବୃଷ ରାଶି ପାଇଁ ଶନି ଯୋଗକାରକ ହୋଇଥିବାରୁ ପ୍ରତିକାର କଲେ ଓ ସତ୍‌କାର୍ଯ୍ୟରେ ରତ ରହିଲେ ଅଶୁଭଫଳ ହ୍ରାସ ପାଇବ । ଶିଳ୍ପ-ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ । ସତ୍‌ନିଷ୍ଠା ଦୃଢ଼ ମନୋବଳ ବୃଦ୍ଧି କରିବ । କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ । ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ । ସ୍ତ୍ରୀ ବା ସ୍ତ୍ରୀଲୋକଙ୍କ ସହ ଝଗଡ଼ା କରନ୍ତୁ ନାହିଁ । ତାହା ଅଯଥା ବିବାଦକୁ ଡାକିଆଣି ପାରେ । କିଛି ଆହ୍ୱାନର ସାମନା କରିବାକୁ ପଡ଼ିପାରେ । ଜୀବନସାଥୀ ପାଇଁ ବା କୌଣସି ଧାର୍ମିକ କାର୍ଯ୍ୟକଳାପରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ଶନିସପ୍ତାର ପ୍ରତିକୂଳତାରୁ ରକ୍ଷା ପାଇବା ପାଇଁ ପ୍ରତିକାରସ୍ୱରୂପ ‘ଓଁ ଶଂ ଶନୈଶ୍ଚରାୟ ନମଃ’ ମନ୍ତ୍ର ଜପ କରନ୍ତୁ । ସକାଳେ ସଜ ରୁଟି ଛିଣ୍ଡାଇ କୁଆଙ୍କୁ ଖାଇବାକୁ ଦିଅନ୍ତୁ । ଶନିବାର ସନ୍ଧ୍ୟା ସମୟରେ ଅଶ୍ୱର୍ଥ ବୃକ୍ଷ ଚାରିପଟେ ଶନିଙ୍କ ମନ୍ତ୍ର ଜପ କରି ପ୍ରଦକ୍ଷିଣ କରିବା ସହ ଦୀପଦାନ କରନ୍ତୁ ।
କୃତିକା ନକ୍ଷତ୍ର ଅସାବଧାନତା ହେତୁ ଚୋରି, ଠକାମିର ଶିକାର ହୋଇପାରନ୍ତି । ରୋହିଣୀ ନକ୍ଷତ୍ର ପାଇଁ ପରିସ୍ଥିତି ବର୍ଷର ମଧ୍ୟଭାଗରେ ଅନୁକୂଳ ରହିବ । ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ଅନେକ ଶୁଭଫଳ ପାଇବେ । ପାରିବାରିକ ସମସ୍ୟାର ସମାଧାନ, ମାଙ୍ଗଳିକ କାର୍ଯ୍ୟ ଓ ଋଣ ପରିଶୋଧର ଅବସର ମିଳିବ । ଅଶୁଭତ୍ୱର ପ୍ରତିକାର ସ୍ୱରୂପ କଳା ବ୍ରାହ୍ମଣଙ୍କୁ ଲୌହ ଦାନ କରନ୍ତୁ ଏବଂ ଓଁ ଶଂ ଶନୈଶ୍ଚରାୟ ନମଃ ମନ୍ତ୍ର ଜପ କରନ୍ତୁ । ଶନିବାର ଓ ମଙ୍ଗଳବାର ହନୁମାନ ଚାଳିଶା ପାଠ କରନ୍ତୁ ।