ଇସ୍ତାନବୁଲ: ଭାରତୀୟ ବକ୍ସର୍ ମନୀଷା (୫୭ କେଜି) ଓ ଅନାମିକା (୫୦ କେଜି) ନିଜ ନିଜ ବାଉଟ୍ରେ ସହଜ ବିଜୟ ସହ ଏଠାରେ ଚାଲିଥିବା ଆଇବିଏ ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନ୍ଶିପ୍ର ପ୍ରିକ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସେହିପରି ପରବିନ୍ (୭୩ କେଜି) ମଧ୍ୟ ତୃତୀୟ ରାଉଣ୍ଡ୍ରେ ପହଞ୍ଚିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନିଖତ୍ ଜରିନ୍ (୫୨ କେଜି) ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିବା ବେଳେ ସାୱିଟି (୭୫ କେଜି) ଇଂଲଣ୍ଡର କେରୀ ଡେଭିସ୍ଙ୍କ ଠାରୁ ୨-୩ ସ୍ପ୍ଲିଟ୍ ନିଷ୍ପତ୍ତିରେ ହାରିଯାଇଛନ୍ତି ।
ଗୁରୁବାର ଅନୁଷ୍ଠିତ ୫୦ କେଜି ବର୍ଗର ଦ୍ୱିତୀୟ ରାଉଣ୍ଡ୍ ମୁକାବିଲାରେ ଅନାମିକା ରୋମାନିଆର ୟୁଜେନିଆ ଆଙ୍ଗ୍ହେଲ୍ଙ୍କୁ ସର୍ବସମ୍ମତ ନିଷ୍ପତ୍ତିରେ ହରାଇ ଦେଇଛନ୍ତି । ଉଭୟ ବକ୍ସର୍ ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ମାତ୍ର ଅନାମିକା ନିଜ ଫୁଟ୍ୱାର୍କ ମାଧ୍ୟମରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଞ୍ଚ୍ ପରେ ପଞ୍ଚ୍ ମାରିଥିଲେ । ଦ୍ୱିତୀୟ ରାଉଣ୍ଡ୍ରେ ରୋହତକ୍ ବକ୍ସର୍ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଅବିଶ୍ରାନ୍ତ ପଞ୍ଚ୍ କରି ତାଙ୍କୁ କୌଣସି ସୁଯୋଗ ଦେଇନଥିଲେ । ପୂରା ମ୍ୟାଚ୍ରେ ତାଙ୍କର ଏହି ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରହିଥିଲା ଏବଂ ୫-୦ର ସହଜ ବିଜୟ ସହ ସେ ପ୍ରିକ୍ୱାର୍ଟର୍ରେ ପ୍ରବେଶ କରିଛନ୍ତି । ପରବର୍ତ୍ତୀ ରାଉଣ୍ଡ୍ରେ ସେ ବିଶ୍ୱ ଚାମ୍ପିଅନ୍ଶିପ୍ ବ୍ରୋଞ୍ଜ୍ ବିଜେତା ଅଷ୍ଟ୍ରେଲିଆର କ୍ରିଷ୍ଟି ଲି ହାରିସ୍ଙ୍କୁ ରବିବାର ଭେଟିବେ । ପ୍ରଥମ ରାଉଣ୍ଡ୍ରେ ବାଏ ପାଇଥିବା ମନୀଷା ବୁଧବାର ଦ୍ୱିତୀୟ ରାଉଣ୍ଡ୍ରେ ନେପାଳର କାଲା ଥାପାଙ୍କୁ ସର୍ବସମ୍ମତ ନିଷ୍ପତ୍ତିରେ ହରାଇ ଦେଇଥିଲେ । ଥାପାଙ୍କ ବିପକ୍ଷରେ ତାଙ୍କୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ିନଥିଲା ।
ଜରିନା ମେକ୍ସିକୋର ହେରେରା ଆଲ୍ଭାରେଜ୍ଙ୍କୁ ୫-୦ରେ ହରାଇଥିବା ବେଳେ ପରବିନ୍ ୟୁକ୍ରେନ୍ର ମାରିଆ ବୋଭାଙ୍କୁ ସମାନ ବ୍ୟବଧାନରେ ହରାଇ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ଚଳିତ ବର୍ଷ ଷ୍ଟ୍ରାଣ୍ଡ୍ଜା ମେମୋରିଆଲ୍ରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିଖତ୍ ଜରିନ୍ ମେକ୍ସିକୋର ହେରେରା ଆଲ୍ଭାରେଜ୍ଙ୍କୁ ୫-୦ରେ ହରାଇଥିଲେ । ୨୦୧୯ ଏସିଆନ୍ ଚାମ୍ପିଅନ୍ଶିପ୍ ବ୍ରୋଞ୍ଜ୍ ବିଜେତା ୨୫ ବର୍ଷୀୟା ତେଲେଙ୍ଗାନା ବକ୍ସର୍ ପୂରା ବାଉଟ୍କୁ ନିଜ ନିୟନ୍ତ୍ରଣରେ ରଖିବା ସହ ନିଜ ଉଚ୍ଚତାର ଫାଇଦା ଉଠାଇଥିଲେ । ପ୍ରଥମ ରାଉଣ୍ଡ୍ରେ ସେ କେତେକ ସଠିକ୍ ପଞ୍ଚ୍ କରିଥିଲେ ।
ପରବର୍ତ୍ତୀ ବାଉଟ୍ରେ ସେ ମଙ୍ଗୋଲିଆର ଲୁତ୍ତାଇଖାନି ଆଲ୍ତାଣ୍ଟସେତ୍ସେଗ୍ଙ୍କୁ ଭେଟିବେ । ହରିୟାଣାର ୨୨ ବର୍ଷୀୟା ପରବିନ୍ ଲାଇଟ୍ ୱେଲ୍ଟର୍ ୱେଟ୍ ବର୍ଗରେ ନିଜଠାରୁ ୧୨ ବର୍ଷ ସିନିୟର୍ ଅନୁଭବୀ ମାରିଆ ବୋଭାଙ୍କୁ ୫-୦ ସର୍ବସମ୍ମତ ନିଷ୍ପତ୍ତିରେ ହରାଇଥିଲେ । ୨୦୧୭ ୟୁଥ୍ ଜାତୀୟ ଚାମ୍ପିଅନ୍ ପରବିନ୍ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ମାରିଆଙ୍କଠାରୁ ପ୍ରଥମ ରାଉଣ୍ଡ୍ରେ ପଛୁଆ ପଡ଼ିଯାଇଥିଲେ । ଅବଶ୍ୟ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରଦର୍ଶନରେ ସୁଧାର କରି ପରବିନ୍ ୩୪ ବର୍ଷୀୟା ମାରିଆଙ୍କୁ ପଞ୍ଚ୍ ପରେ ପଞ୍ଚ୍ କରି ମ୍ୟାଚ୍ ନିଜ ପକ୍ଷରେ କରିନେଇଥିଲେ । ପ୍ରିକ୍ୱାର୍ଟର୍ ମୁକାବିଲାରେ ରବିବାର ସେ ୟୁଥ୍ ଅଲିମ୍ପିକ୍ସ ଚାମ୍ପିଅନ୍ ଆମେରିକାର ଜଜାଇରା ଗୋଞ୍ଜାଲେଜ୍ଙ୍କୁ ଭେଟିବେ।