28.1 C
Bhubaneswar
Thursday, March 28, 2024
Homeଓଡିଶା୩୫ ପରିବାରରକୁ ଭରସା କାଠ ପୋଲ

୩୫ ପରିବାରରକୁ ଭରସା କାଠ ପୋଲ

ଫୁଲବାଣୀ : ୩୫ ଆଦିବାସୀ ପରିବାରର ଯାତାୟାତ ପାଇଁ ଏକମାତ୍ର ଭରସା ହେଉଛି କାଠ ପୋଲ । ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗତ ୫ ବର୍ଷ ହେଲା ଲୋକେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଫଳ ଶୂନ । ଛୋଟ ପିଲାମାନେ ପାଠ ପଢିବା ପାଇଁ ହେଉ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାପାଇଁ ଏହି ଭଙ୍ଗା ପୋଲ ଉପରେ ହିଁ ନିର୍ଭର କରିଥାନ୍ତି । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ସିର୍ତ୍ତିଗୁଡ଼ା ପଞ୍ଚାୟତର ୬ ନମ୍ବର ୱାର୍ଡର କମାଙ୍ଗପାଙ୍ଗା, ନେଡ଼ିପଙ୍ଗା, ପଡ଼ିପାଡ଼ା ସହିତ ଅନ୍ୟ ଗ୍ରାମର ପ୍ରାୟ ୩୫ ଟି ଆଦିବାସୀ ପରିବାର ବସବାସ କରିଥାନ୍ତି । ଏହି ଗ୍ରାମକୁ ଯାତାୟାତ ପାଇଁ ଡ଼ିଲାମାହା ନାଳ ଉପରେ ଗତ ୩୦ବର୍ଷ ତଳେ ବ୍ଲକ୍ ପ୍ରଶାସନ ପକ୍ଷରୁ ଏକପୋଲ ନିର୍ମାଣ କରାଯାଇଥିଲା । ଉକ୍ତପୋଲ ଗତ ୫ବର୍ଷ ପୂର୍ବେ ନଦୀବଢି ଯୋଗୁଁ ଭାଙ୍ଗିଯାଇଛି । ଜଙ୍ଗଲରୁ କାଠ ଆଣି ଅସ୍ଥାୟୀ ପୋଲ ନିର୍ମାଣ କରି ବର୍ଷବର୍ଷ ଧରି ଯାତାୟାତ କରୁଛନ୍ତି । ବର୍ଷା ଦିନରେ ଉକ୍ତ ପୋଲ ଭାସିଯାଇଥାଏ । ଫଳରେ କିଛିଦିନ ପର୍ଯ୍ୟନ୍ତ ଯୋଗାଯୋଗ ବିଛିନ୍ନ ହୋଇ ପଡ଼ିଥାଏ । ବାରମ୍ବାର ଅଞ୍ଚଳବାସୀ କାଠ ପୋଲ ଉପରେ ଭରସା କରି ଯାତାୟାତ କରୁଥିଲେ ମଧ୍ୟ ଉକ୍ତ କାଠପୋଲ ପୋକ ଓ ଉଈ ଖାଇଯିବା ଯୋଗୁଁ ଅନେକ ସମୟରେ ଭାଙ୍ଗିଯାଉଥିବା ନଜିର ରହିଛି ।
ଯାତାୟାତ ପାଇଁ ଏହି ରାସ୍ତା ଏକମାତ୍ର ମାଧ୍ୟମ ହୋଇଥିବା ଯୋଗୁଁ ଗ୍ରାମର ୨୦ ଜଣ ଛାତ୍ରଛାତ୍ରୀ ଓ ୧୨ ଜଣ ଅଙ୍ଗନବାଡ଼ି ଶିଶୁ ପ୍ରତ୍ୟେକ ଦିନ କମାଙ୍ଗି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବିପଦପୂର୍ଣ୍ଣଭାବେ ଉକ୍ତ ପୋଲ ଦେଇ ଯାଉଛନ୍ତି । ସେହିଭଳି ଗ୍ରାମର ବୃଦ୍ଧ,ବୃଦ୍ଧା ମାନେ ବିଭିନ୍ନ ପ୍ରକାର ଭତ୍ତା ପାଇଁ ସିର୍ତ୍ତିଗୁଡ଼ା ପଞ୍ଚାୟତକୁ ଯାଇଥାନ୍ତି । ସେହିଭଳି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଟଙ୍କିକିଆ ଚାଉଳ ହେଉ କିମ୍ବା ଅନ୍ୟ ଯୋଜନା ପାଇଁ ଏହି ପୋଲ ଦେଇ ଯାଉଛନ୍ତି । ଉକ୍ତ ଅସ୍ଥାୟୀ ପୋଲକୁ ସ୍ଥାୟୀ କରିବା ପାଇଁ ପୂର୍ବତନ ବିଧାୟକ ରାଜୀବ ପାତ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର ବିଧାୟକ ଚକ୍ରମଣି କହଁର, ବ୍ଲକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେବଳ ପ୍ରତିଶ୍ରୁତି ମିଳିଛି ବୋଲି ଅଭିଯୋଗ କରିଛନ୍ତି ଗାଁ ମୁଖିଆ ଅନନ୍ତ ମଲିକ । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଉକ୍ତ ପୋଲ ନିର୍ମାଣ କରିବା ପାଇଁ ଗ୍ରାମର ଲୋକମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking