28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଲଣ୍ଡନ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି ପାଇଁ ଭୁବନେଶ୍ୱରରେ ଦାରୁ ଚିହ୍ନଟ

ଲଣ୍ଡନ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତି ପାଇଁ ଭୁବନେଶ୍ୱରରେ ଦାରୁ ଚିହ୍ନଟ

ନୂଆଦିଲ୍ଲୀ, ତା ୧୭.୧୧.: ଲଣ୍ଡନ ଠାରେ ଚାରି ଏକର ପରିମିତ ଜମିରେ ଖୂବ ଶୀଘ୍ର ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାକୁ ଯାଉଥିବା ଜଣାଯାଇଛି । ୟୁ.କେ. ସ୍ଥିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ସୌମ୍ୟ,ସୁନ୍ଦର ଓ ସୁଦୃଶ୍ୟ ମନ୍ଦିର ର ଦୃଷ୍ଟିଭଙ୍ଗୀ, ଉଦ୍ଦେଶ୍ୟ ଏବଂ ପ୍ରସ୍ତୁତିପଥ ସଂପର୍କରେ ନିକଟରେ ଆୟୋଜିତ ଏକ ଆନ୍ତର୍ଜାତିକ ୱେବିନାର ରେ ବିଷଦ ଭାବେ ଚର୍ଚ୍ଚା, ଆଲୋଚନା ହୋଇଯାଇଛି । ଟ୍ରଷ୍ଟ ବୋର୍ଡ ର ଅଧ୍ୟକ୍ଷ ପ୍ରସିଦ୍ଧ ଚିକିତ୍ସାବିତ ଡ଼ଃ ସହଦେଵ ସ୍ଵାଇଁଙ୍କର ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ୱେବ ବୈଠକରେ ଟ୍ରଷ୍ଟ ର ସାଧାରଣ ସମ୍ପାଦକ ଡ଼ଃ ପ୍ରକାଶ ଦେ, ପ୍ରସ୍ତାବିତ ମନ୍ଦିରର ‘ରୋଡ଼ମ୍ୟାପ’ ସଂପର୍କରେ ଏକ ‘ପାୱାର ପଏଣ୍ଟ ପ୍ରେଜେଣ୍ଟେସନ’ ଉପସ୍ଥାପନ କରିଥିଲେ । ଭବିଷ୍ୟତରେ ଏହି ମନ୍ଦିର ସମଗ୍ର ୟୁରୋପ ମହାଦେଶ ରେ ଜଗନ୍ନାଥ ଧର୍ମ ଓ ସଂସ୍କୃତି ର ପ୍ରାଣକେନ୍ଦ୍ର ଭାବେ ଉଦ୍ଭବ ହେବ ବୋଲି ଆଶା କରାଯାଉଛି। କଥିତ ମନ୍ଦିର ର ବହୁବିଧ କାର୍ଯ୍ୟକ୍ରମ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତନର ବିକାଶ, ଗୁଣାତ୍ମକ ଶିକ୍ଷା ପ୍ରଦାନ, ସାଂସ୍କୃତିକ ଭାବ ବିନିମୟ, ସର୍ଵଧର୍ମ ସମନ୍ବୟ ତଥା ସର୍ବ ଧର୍ମାବଲମ୍ବୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟତା ସ୍ଥାପନ ଏବଂ ଦାତଵ୍ୟସେବା ଉପଲବ୍ଧ ଆଦି ଅନ୍ତର୍ଭୁକ୍ତ ହେବ । ଭବିଷ୍ୟତ ପର୍ଯ୍ୟାୟରେ ମନ୍ଦିର ତରଫରୁ ଓଡ଼ିଆ ସଂପ୍ରଦାୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମାଜିକ ହୀତ ପାଇଁ ଅଭିପ୍ରେତ ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ହାତ କୁ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୁଚାଯାଇଛି । ଓଡ଼ିଶା ସରକାରଙ୍କ ସହାୟତା ରେ ଏଠାରେ ଓଡ଼ିଶା ସଂପର୍କୀୟ ତଥ୍ୟାବଳୀ ଓ ଗବେଷଣାର ବ୍ୟବସ୍ଥା ଥାଇ ପାଠାଗାର, ରାଜ୍ୟର ପାରମ୍ପରିକ ଖାଦ୍ୟ ପରଷୁଥିବା ଭୋଜନାଳୟ, ଅତିଥିଶାଳା, ପ୍ରେକ୍ଷାଳୟ ଆଦି ଭୂତଳ ସୁବିଧା ସୁଯୋଗର ମହଜୁଦି ସହିତ ଏକ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରାଯିବା ମନ୍ଦିରର ବୃହତ୍ତର ଯୋଜନାର ଅଂଶବିଶେଷ ବୋଲି ଜଣାଯାଇଛି । ମନ୍ଦିର ନିର୍ମାଣ ସଂପର୍କରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି ଏବଂ ସେ ତାଙ୍କର ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଥିବା ଅଧ୍ୟକ୍ଷ ଡ଼ଃ ସ୍ୱାଇଁ ଜଣାଇଥିଲେ ।

ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରେଭେନସା ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ସଂଜୟ ଶତପଥୀ, ଭୁବନେଶ୍ୱର ସ୍ଥିତ ତାଙ୍କର ସରକାରୀ ବାସଭବନ ରେ ଥିବା ନିମ୍ୱବୃକ୍ଷର ଆଧ୍ୟାତ୍ମିକ ମହିମା ସଂପର୍କରେ ବାଖ୍ୟାନ କରିଥିଲେ । ଭଗବାନଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ର ଚିହ୍ନ ଥିବା ଏହି ପବିତ୍ର ଦାରୁକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଆଦି ଚତୁର୍ଦ୍ଧା ଠାକୁରଙ୍କର ପ୍ରତିମୂର୍ତ୍ତି ମାନ ଗଠନ କରାଯିବା ପାଇଁ ଖୋଦନ କରାଯିବାକୁ ଶ୍ରୀ ଶତପଥୀ ପରାମର୍ଶ ଦେଇଥିଲେ । ଉପସ୍ଥିତ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଶ୍ରୀ ଶତପଥୀଙ୍କର ପ୍ରସ୍ତାବକୁ ହାର୍ଦ୍ଧିକ ସ୍ୱାଗତ ଜଣାଇବା ସହିତ ସର୍ବସମ୍ମତ୍ତି କ୍ରମେ ଗ୍ରହଣ କରିଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ବରିଷ୍ଠ ସାମ୍ବାଦିକ କିଶୋରେ ଦ୍ବିବେଦୀ, ଲଣ୍ଡନରେ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ ଓ ସମର୍ଥନ ପ୍ରଦାନ ର ନିର୍ଭର ପ୍ରତିଶୃତି ଦେଇଥିଲେ । ବେଙ୍ଗାଲୁରୁ ରୁ ଏହି ୱେବିନାର ରେ ସାମିଲ ହୋଇ, ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନୀହାର ସାମନ୍ତରା,ଅତୀତରେ ଲଣ୍ଡନରେ ସେ ବସବାସ କରୁଥିବାର ସ୍ମୃତିଚାରଣ କରିବା ସଂଗେସଂଗେ ଏଠାରେ ମହାପ୍ରଭୁଙ୍କର ଅସଂଖ୍ୟ ଭକ୍ତଙ୍କର ଆସ୍ଥା ଓ ଭାବନା କୁ ଦୃଷ୍ଟିରେ ରଖି ମନ୍ଦିର ନିର୍ମାଣର ଅବଶ୍ୟକତା ରହିଥିବା ଉପରେ ଜୋର ଦେଇଥିଲେ । ବିଚାରପତି ଜଗନ୍ନାଥ ପ୍ରସାଦ ଉଦଗାତା ଜଗନ୍ନାଥ ସର୍ବ ବ୍ୟାପୀ ଓ ସଦା ବିଦ୍ୟମାନ ବୋଲି ବର୍ଣନାକରି, ସେ ତାଙ୍କର ଆରୋହଣ ପୀଠ ବନାଇବାର ବାଟ ନିଜେ କଢ଼ାଇନେବେ ବୋଲି ଦର୍ଶାଇଥିଲେ । ମନ୍ଦିର ନିର୍ମାଣ ସଂପର୍କରେ ପରମ ପୂଜନୀୟ ପୁରୀ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଏବଂ ଆଧ୍ୟାତ୍ମିକ ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କର ସ୍ୱୀକୃତି ଓ ଆଶୀର୍ବାଦ ରହିଥିବା ଟ୍ରଷ୍ଟି ମାନେ ଉଲ୍ଲେଖ କରିଥିଲେ । ଏହି ୱେବିନାର କୁ ଟ୍ରଷ୍ଟି ସୁକାନ୍ତ ସାହୁ ସୁସଂଯୋଜନା ଓ ସୁଚାରୁ ରୂପେ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ ମଞ୍ଚରେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ ଭକ୍ତ ପଣ୍ଡା, ବିଜୟ ସାହୁ, ଇଂଜିନିୟର ରଶ୍ମୀ ନନ୍ଦ ଓ ଡ଼ଃ ଚେତନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking