ଆଡିଲେଡ: ଭାରତୀୟ ମହିଳା ହକି ଦଳ ତା’ର ଅଷ୍ଟ୍ରେଲିଆ ଗସ୍ତକୁ ବିଜୟ ସହ ଶେଷ କରିଛି । ପ୍ରଥମେ ଦଳ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୨ରେ ପରାସ୍ତ ହୋଇଥିଲା । ପରେ ଦଳ ଅଷ୍ଟ୍ରେଲିଆ-ଏ’ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଥିବା ବେଳେ ଶନିବାର ଏହାକୁ ୧-୧ରେ ଡ୍ର’ ରଖିଛି । ଦଳ ପ୍ରଥମ ମ୍ୟାଚ୍ରେ ୨-୩ରେ ପରାସ୍ତ ହୋଇଥିଲେ ହେଁ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ୨-୧ରେ ବିଜୟୀ ହୋଇଛି । ଦଳର ଉପଅଧିନାୟିକା ତଥା ଓଡ଼ିଆ ମିଡ୍ଫିଲ୍ଡର୍ ଦୀପ୍ ଗ୍ରେସ୍ ଏକ୍କାଙ୍କ ଗୋଲ୍ରେ ଦଳ ଗସ୍ତର ପ୍ରଥମ ବିଜୟ ହାସଲ କରିଛି । ମ୍ୟାଚ୍ର ଦଶମ ମିନିଟ୍ରେ ଭାରତ ଅଗ୍ରଣୀ ହାସଲ କରିଥିଲେ ହେଁ ୨୨ତମ ମିନିଟ୍ରେ ଅଷ୍ଟ୍ରେଲିଆ-ଏ’ ଏହି ଗୋଲ୍ଟିକୁ ଶୁଝିଦେଇଥିଲା । ତେବେ ୨୫ତମ ମିନିଟ୍ରେ ଦୀପ୍ ଗ୍ରେସ୍ ଗୋଲ୍ ଦେଇ ପୁଣି ଥରେ ଦଳକୁ ଆଗୁଆ କରାଇଥିଲେ । ଏହାପରେ ଆଉ କୌଣସି ଗୋଲ୍ ନ ହେବା ଫଳରେ ଭାରତ ବିଜୟୀ ହୋଇଥିଲା ।
ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଥିବାରୁ ଅଷ୍ଟ୍ରେଲିଆ-ଏ’ର ଖେଳାଳିମାନେ ଦ୍ୱିତୀୟ ମ୍ୟାଚ୍ରେ ଦୃଢ଼ ଆତ୍ମବିଶ୍ୱାସ ସହ ପଡ଼ିଆକୁ ଓହ୍ଲାଇଥିଲେ । ପ୍ରାରମ୍ଭିକ ସମୟରେ ସେମାନେ ବଲ୍କୁ ନିଜ କବ୍ଜାରେ ରଖିବାରେ ମଧ୍ୟ ସକ୍ଷମ ହୋଇଥିଲେ । କିନ୍ତୁ ଡିଫେନ୍ସରେ ଗୁରଜିତ୍ କୌର୍ ବେଶ୍ ଦୃଢ଼ ରହିବା ଫଳରେ ଅଷ୍ଟ୍ରେଲିଆ-ଏ’ର ଖେଳାଳିମାନେ ଭାରତୀୟ ସର୍କଲ୍ରେ ପ୍ରବେଶ କରିପାରି ନଥିଲେ । ବରଂ ଭାରତ କ୍ରମାଗତ ଭାବେ ୩ଟି ପେନାଲ୍ଟି କର୍ଣ୍ଣର୍ ପାଇ ଅଷ୍ଟ୍ରେଲିଆ-ଏ’ ଉପରେ ଚାପ ବଢ଼ାଇଥିଲା । ଦଶମ ମିନିଟ୍ରେ ଏହି ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ ଦେଇ ନବନୀତ କୌର୍ ଦଳକୁ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ପ୍ରଦାନ କରିଥିଲେ । ତାଙ୍କ ରିଭର୍ସ ଶଟ୍କୁ ପ୍ରତିପକ୍ଷ ଗୋଲ୍କିପର୍ ରୋକିବାରେ ବିଫଳ ହୋଇଥିଲେ । ପ୍ରଥମ କ୍ୱାର୍ଟର୍ ଶେଷ ସୁଦ୍ଧା ଭାରତ ତା’ର ଅଗ୍ରଣୀକୁ କାଏମ ରଖିଥିଲା ।
ଦ୍ୱିତୀୟ କ୍ୱାର୍ଟର୍ରେ ଅଷ୍ଟ୍ରେଲିଆ-ଏ’ କାଉଣ୍ଟର୍ ଆଟାକ୍ କରିଥିଲା । କିନ୍ତୁ ଅଭିଜ୍ଞ ଗୋଲକିପର୍ ତଥା ଅଧିନାୟିକା ସବିତା ଏକାଧିକ ଆକ୍ରମଣକୁ ରୋକିପାରିଥିଲେ । କିନ୍ତୁ ୨୨ତମ ମିନିଟ୍ରେ ଘରୋଇ ଦଳ ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ ସ୍କୋର୍ କରି ସ୍ଥିତି ବରାବର କରିଥିଲା । ଏହି ଗୋଲ୍ଟି ଅବିଗେଲ୍ ୱିଲ୍ସନ୍ଙ୍କ ଷ୍ଟିକ୍ରୁ ଆସିଥିଲା । ତେବେ ଏହି ସ୍ଥିତି ବେଶୀ ସମୟ କାଏମ ରହି ପାରିନଥିଲା । କାରଣ ୨୫ତମ ମିନିଟ୍ରେ ଭାରତ ତା’ର ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲା । ପେନାଲ୍ଟି କର୍ଣ୍ଣର୍ରୁ ଦୀପ୍ ଗ୍ରେସ୍ ଏହି ଗୋଲ୍ଟି ସ୍କୋର୍ କରିଥିଲେ । ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧ ଖେଳର ପ୍ରାରମ୍ଭରେ ବନ୍ଦନା କଟାରିୟାଙ୍କ ଉଦ୍ୟମରେ ଦଳକୁ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । କିନ୍ତୁ ଅଷ୍ଟ୍ରେଲିଆ-ଏ’ର ଡିଫେଣ୍ଡର୍ମାନେ ଏହି ବିପଦକୁ ଟାଳିଦେଇଥିଲେ ।
ନେହା ଗୋୟଲ୍ଙ୍କ ନେତୃତ୍ୱରେ ଭାରତୀୟ ଆଟାକର୍ମାନେ ଅଷ୍ଟ୍ରେଲିଆ-ଏ’ ଡିଫେନ୍ସ ବିଭାଗ ଉପରେ କଡ଼ା ଚାପ ପ୍ରୟୋଗ କରିଥିଲେ । ତୃତୀୟ କ୍ୱାର୍ଟର୍ ଶେଷ ସୁଦ୍ଧା ମଧ୍ୟ ଭାରତ ତା’ର ଅଗ୍ରଣୀ ଜାରି ରହିଥିଲା । ଅନ୍ତିମ କ୍ୱାର୍ଟର୍ ପ୍ରାରମ୍ଭରେ ବନ୍ଦନା ଏକାଧିକ ବାର ସର୍କଲ୍ରେ ପ୍ରବେଶ କରି ଚାପକୁ କାଏମ ରଖିଥିଲେ । ଅଷ୍ଟ୍ରେଲିଆ-ଏ’ ସ୍ଥିତି ବରାବର ପାଇଁ ଭରପୂର ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଦଳକୁ ସଫଳତା ମିଳି ନଥିଲା । ବରଂ ଅନ୍ତିମ ଭାଗରେ ଭାରତ ପାଖରେ ଅଗ୍ରଣୀକୁ ବଢ଼ାଇବାର ସୁଯୋଗ ଉପନୀତ ହୋଇଥିଲା । କିନ୍ତୁ ଦଳର ଏକାଧିକ ପେନାଲ୍ଟି କର୍ଣ୍ଣର୍କୁ ଅଷ୍ଟ୍ରେଲିଆ-ଏ’ ଡିଫେନ୍ସ ବିଭାଗର ଖେଳାଳିମାନେ ଅକାମୀ କରିଦେଇଥିଲେ । ଅନ୍ତିମ କିଛି ସମୟ ବଲ୍କୁ ନିଜ କବ୍ଜାରେ ରଖି ଭାରତ ବିଜୟ ସହ ସିରିଜ୍ ଶେଷ କରିଥିଲା ।