30.1 C
Bhubaneswar
Thursday, April 25, 2024
Homeଖେଳମହିଳା କ୍ରିକେଟ୍‌:ଆଜିଠାରୁ ଇଂଲଣ୍ଡ-ଭାରତ ଦିନିକିଆ ସିରିଜ୍‌

ମହିଳା କ୍ରିକେଟ୍‌:ଆଜିଠାରୁ ଇଂଲଣ୍ଡ-ଭାରତ ଦିନିକିଆ ସିରିଜ୍‌

ହୋଭ: ସମ୍ପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ଟି-୨୦ ସିରିଜ୍‌ରେ ୧-୨ରେ ପରାସ୍ତ ହେବା ପରେ ରବିବାରଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଏହି ସିରିଜ୍ ସକାଶେ ଘରୋଇ ଦଳର ନେତୃତ୍ୱ ହିଦର୍ ନାଇଟ୍‌ଙ୍କ ସ୍ଥାନରେ ୱିକେଟ୍‌କିପର୍‌-ବ୍ୟାଟ୍ସଓମ୍ୟାନ୍ ଆମି ଜୋନ୍ସ ନେବେ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ସିରିଜ୍ ସକାଶେ ଏକ ୧୫ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଆଲାଇସ୍ କ୍ୟାପ୍‌ସି ଓ ଫ୍ରେୟା କେମ୍ପ୍‌ଙ୍କୁ ପ୍ରଥମ ଥର ପାଇଁ ସାମିଲ୍ କରାଯାଇଛି । ନାଇଟ୍ ସର୍ଜରୀ କରାଇଥିବାରୁ ଏହି ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ଏହାଛଡ଼ା କାମଚଳା ଅଧିନାୟିକା ନାତାଲି ସ୍କିଭର୍ ମଧ୍ୟ ମାନସିକ ଚାପ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ସିରିଜ୍‌ରୁ ଓହରିସାରିଛନ୍ତି । କ୍ୟାପ୍‌ସି ଓ କେମ୍ପ୍ ଗତ ଟି-୨୦ ସିରିଜ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ଫଳରେ ସେମାନଙ୍କୁ ଦିନିକିଆ ସିରିଜ୍‌ରେ ଡେବ୍ୟୁ କରିବାର ସୁଯୋଗ ଦିଆଯାଇଛି । ଟି-୨୦ ସିରିଜ୍ ଜିତିବା ପରେ ଘରୋଇ ଇଂଲଣ୍ଡ ଦିନିକିଆ ସିରିଜ୍‌ରେ ତା’ର ବିଜୟ ଧାରା କାଏମ ରଖିବା ଲକ୍ଷ୍ୟରେ ଥିବା ବେଳେ ଭ୍ରମଣକାରୀ ଦଳ ପ୍ରତ୍ୟାବର୍ତ୍ତନ ଉଦ୍ଦେଶ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଉଭୟ ଦଳ ପରସ୍ପରକୁ ଇତିମଧ୍ୟରେ ୭୨ ଥର ଦିନିକିଆ ଫର୍ମାଟ୍‌ରେ ଭେଟିସାରିଥିବା ବେଳେ ଏଥିରେ ଇଂଲଣ୍ଡର ପଲା ଭାରୀ ରହିଛି । ଦଳ ୩୯ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଭାରତ ୩୧ଟିରେ ବିଜୟୀ ହୋଇଛି । ଅନ୍ୟ ଦୁଇଟି ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି । ଟି-୨୦ ସିରିଜ୍‌ରେ ଓପନର ସୋଫିଆ ଡଙ୍କଲି ଓ ସୋଫି ଏକ୍ଲେଷ୍ଟୋନ୍ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂରେ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଏପରିକି ନାଇଟ୍ ଓ ସ୍କିଭର୍‌ଙ୍କ ପରି ଅନୁଭବୀ ଖେଳାଳିଙ୍କ ଅନୁପସ୍ଥିତିର ପ୍ରଭାବ ଟି-୨୦ ସିରିଜ୍‌ରେ ଦେଖିବାକୁ ମିଳି ନଥିଲା । ତେବେ ଦିନିକିଆ ସିରିଜ୍‌ରେ ଇଂଲିଶ୍ ଖେଳାଳିମାନେ ଟି-୨୦ର ସଫଳତା ଦୋହରାଇପାରୁଛନ୍ତି କି ନାହିଁ, ତା’ ଦେଖିବାର କଥା । ଅନ୍ୟପକ୍ଷରେ ଇଂଲଣ୍ଡ ଦଳକୁ ଚାଲେଞ୍ଜ୍ ଦେବାକୁ ହେଲେ ଭାରତୀୟ ବ୍ୟାଟ୍ସଓମ୍ୟାନ୍‌ମାନଙ୍କୁ ସେମାନଙ୍କ ଦକ୍ଷତାନୁସାରେ ପ୍ରଦର୍ଶନ କରିବାକୁ ପଡ଼ିବ । ଅଭିଜ୍ଞ ଝୁଲନ୍ ଗୋସ୍ୱାମୀଙ୍କ ଉପସ୍ଥିତି ବୋଲିଂ ଲାଇନ୍‌କୁ ନିଶ୍ଚିତ ଭାବେ ସୁଦୃଢ଼ କରିବ । ଗତ ଟି-୨୦ ସିରିଜ୍‌ରେ ହରମନ୍‌ପ୍ରୀତ୍ କୌର୍‌, ଦୀପ୍ତି ଶର୍ମା, ଶେଫାଳୀ ବର୍ମାଙ୍କ ପରି ତାରକା ଖେଳାଳି ଭଲ ପ୍ରଦର୍ଶନ କରିପାରିନାହାନ୍ତି । ସେମାନେ ଦିନିକିଆ ସିରିଜ୍‌ରେ କମ୍‌ବ୍ୟାକ୍ କରିବେ ବୋଲି ଆଶା କରାଯାଉଛି । ସେହିପରି ଏହି ସିରିଜ୍ ଶେଷରେ ଝୁଲନ୍ ଅବସର ନେବାକୁ ଯାଉଥିବାରୁ ଏହି ସିରିଜ୍‌ର ଗୁରୁତ୍ୱ ଭାରତ ପାଇଁ ଯଥେଷ୍ଟ ଅଧିକ ରହିଛି ।
ସମ୍ଭାବ୍ୟ ଇଂଲିଶ ଦଳ: ଟାମି ବିଉମଣ୍ଟ୍‌, ଏମ୍ମା ଲ୍ୟାମ୍ବ୍‌, ସୋଫିଆ ଡଙ୍କ୍‌ଲି, ମାଇଆ ବାଉଚିର୍‌, ଆଲାଇସ୍ କ୍ୟାପ୍‌ସି, ଡାନିଏଲ୍ ୱାଟ୍‌, ଆମି ଜୋନ୍ସ (ଅଧିନାୟିକା/ୱିକେଟ୍‌କିପର୍‌), ସୋଫି ଏକ୍ଲେଷ୍ଟୋନ୍‌, କେଟ୍ କ୍ରସ୍‌, ଇସି ଓଙ୍ଗ୍ ଓ ଫ୍ରେୟା ଡେଭିଜ୍ ।
ସମ୍ଭାବ୍ୟ ଭାରତୀୟ ଦଳ: ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଏସ. ମେଘନା, ଦୟାଲନ୍ ହେମଲତା, ହରମନ୍‌ପ୍ରୀତ୍ କୌର୍ (ଅଧିନାୟିକା), ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍‌କିପର୍‌), ପୂଜା ବସ୍ତ୍ରାକାର, ଝୁଲନ୍ ଗୋସ୍ୱାମୀ, ସ୍ନେହ ରାଣା ଓ ରେଣୁକା ଠାକୁର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking