28.1 C
Bhubaneswar
Thursday, March 28, 2024
Homeଖେଳମହିଳା କ୍ରିକେଟ୍‌: ୮୮ ରନ୍‌ରେ ଇଂଲଣ୍ଡ ପରାସ୍ତ, ୨୩ ବର୍ଷ ପରେ ସିିରିଜ୍ ଜିତିଲା ଭାରତ

ମହିଳା କ୍ରିକେଟ୍‌: ୮୮ ରନ୍‌ରେ ଇଂଲଣ୍ଡ ପରାସ୍ତ, ୨୩ ବର୍ଷ ପରେ ସିିରିଜ୍ ଜିତିଲା ଭାରତ

କ୍ୟାଣ୍ଟରବରି : ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଭ୍ରମଣକାରୀ ଭାରତ ୨-୦ରେ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍‌କୁ ବେଶ୍ ସହଜରେ ଜିତିଥିବା ହରମନ୍‌ପ୍ରୀତ୍ କୌର୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବୁଧବାର ଏଠାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ୮୮ ରନ୍‌ରେ ବିଜୟୀ ହୋଇ ଇଂଲଣ୍ଡ ବିପକ୍ଷରେ ୧୯୯୯ ପରେ ପ୍ରଥମ ଥର ପାଇଁ ଦିନିକିଆ ସିରିଜ୍ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ ପାଇଁ ଆହ୍ୱାନ ପାଇଥିବା ଭାରତ ଅଧିନାୟିକା ହରମନ୍‌ପ୍ରୀତଙ୍କ ବିସ୍ଫୋରକ ୧୪୩³ ରନ୍‌ର ଇନିଂସ ସହାୟତାରେ ୫ ୱିକେଟ୍ ବିନିମୟରେ ୩୩୩ ରନ୍ କରିଥିଲା । ଏହାର ଜବାବ ଦେବାକୁ ଯାଇ ଇଂଲଣ୍ଡ ୪୪.୨ ଓଭର୍‌ରେ ୨୪୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା ।
ଭାରତୀୟ ଦଳର ସ୍କୋର୍ ୯୯ରେ ପହଞ୍ଚିଲା ବେଳକୁ ଦୁଇ ଓପନର ଶେଫାଳୀ ବର୍ମା (୮) ଓ ସ୍ମୃତି ମନ୍ଧାନା (୪୦ ରନ୍‌, ୪ ଚୌକା, ୧ ଛକା)ଙ୍କ ସହ ୟାସ୍ତିକା ଭାଟିଆ (୨୬ ରନ୍‌, ୪ ଚୌକା) ଆଉଟ୍ ହୋଇସାରିଥିଲେ । ତେବେ ହରମନ୍‌ପ୍ରୀତ୍ ଓ ହର୍ଲିନ୍ ଦେଓଲ୍ ଚତୁର୍ଥ ୱିକେଟ୍‌ରେ ୧୧୩ ରନ୍ ଯୋଡ଼ିବା ଫଳରେ ଭାରତୀୟ ଦଳର ସ୍କୋର୍ ୨ ଶହ ଅତିକ୍ରମ କରିଥିଲା । ଦେଓଲ୍ ୫ଟି ଚୌକା ଓ ୨ଟି ଛକା ସହ ୫୮ ରନ୍ କରି ଆଉଟ୍ ହୋଇଥିଲେ ହେଁ ହରମନ୍‌ପ୍ରୀତ୍ ତାଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ସେ ୧୧୧ଟି ବଲ୍‌ର ସମ୍ମୁଖୀନ ହୋଇ ୧୮ଟି ଚୌକା ଓ ୪ଟି ଛକା ସହାୟତାରେ ୧୪୩ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରାକାର ୩ଟି ଚୌକା ସହ ୧୮ ଓ ଦୀପ୍ତି ଶର୍ମା ୨ଟି ଚୌକା ସହ ଅପରାଜିତ ୧୫ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଲୌରେନ୍ ବେଲ୍‌, କେଟ୍ କ୍ରସ୍‌, ଫ୍ରେୟା କେମ୍ପ୍‌, ଚାର୍ଲଟ୍ ଡିନ୍ ଓ ସୋଫି ଏକ୍ଲେଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ବୃହତ୍ ଟାର୍ଗେଟ୍‌ର ଚାପ ଘରୋଇ ଇଂଲଣ୍ଡ ଦଳର ବ୍ୟାଟିଂ ଉପରେ ପଡ଼ିଥିଲା । ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବାକୁ ଯାଇ ଦଳ ଜଣକ ପରେ ଜଣେ ବ୍ୟାଟ୍ସଓମ୍ୟାନ୍‌ଙ୍କୁ ହରାଇବା ଫଳରେ ଭାରତର ବିଜୟ ବେଶ୍ ସହଜସାଧ୍ୟ ହୋଇଥିଲା । ଓପନର ଟାମି ବିଉମାଣ୍ଟ୍ ଓ ଏମ୍ମା ଲ୍ୟାମ୍ବ୍ ଯଥାକ୍ରମେ ୬ ଓ ୧୫ ରନ୍ କରିଥିବା ବେଳେ ସୋଫିଆ ଡଙ୍କ୍‌ଲି ମାତ୍ର ୧ ରନ୍ କରିଥିଲେ । ଆଲାଇସ୍ କ୍ୟାପ୍‌ସି ୬ଟି ଚୌକା ସହ ୩୯, ଡାନିଏଲ୍ ୱାଟ୍ ୬ଟି ଚୌକା ସହ ୬୫ ଏବଂ ଅଧିନାୟିକା ଆମି ଜୋନ୍ସ ୩ଟି ଚୌକା ଓ ଗୋଟିଏ ଛକା ସହ ୩୯ ରନ୍ କରିଥିଲେ । ଏହାଛଡ଼ା ଡିନ୍ ୩ଟି ଚୌକା ସହ ୩୭ ରନ୍ କରିଥିବା ବେଳେ କ୍ରସ୍ ୧୪, ବେଲ୍ ଅପରାଜିତ ୧୧, କେମ୍ପ୍ ୧୨ ଓ ଏକ୍ଲେଷ୍ଟୋନ୍ ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ପେସର୍ ରେଣୁକା ସିଂହ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଏହାଛଡ଼ା ଦୟାଲନ୍ ହେମଲତା ୨ଟି ଏବଂ ଦୀପ୍ତି ଓ ଶେଫାଳୀ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ହରମନ୍‌ପ୍ରୀତ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସିରିଜ୍‌ର ତୃତୀୟ ତଥା ଅନ୍ତିମ ଦିନିକିଆ ଆସନ୍ତା ଶନିବାର ଲର୍ଡ୍ସଠାରେ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking