27.1 C
Bhubaneswar
Thursday, April 25, 2024
Homeଖେଳୱିମ୍ବଲଡନ୍ ଓପନ୍‌: ୨ୟ ରାଉଣ୍ଡ୍‌ରେ ଜାବିଉର୍‌, ଜୋକୋଭିଚ୍‌ଙ୍କ କଷ୍ଟସାଧ୍ୟ ବିଜୟ

ୱିମ୍ବଲଡନ୍ ଓପନ୍‌: ୨ୟ ରାଉଣ୍ଡ୍‌ରେ ଜାବିଉର୍‌, ଜୋକୋଭିଚ୍‌ଙ୍କ କଷ୍ଟସାଧ୍ୟ ବିଜୟ

ଲଣ୍ଡନ: ସୋମବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ୱିମ୍ବଲଡନ୍ ଓପନ୍‌ର ପ୍ରଥମ ରାଉଣ୍ଡ୍‌ରେ ଟପ୍ ସିଡ୍ ନୋଭାକ୍ ଜୋକୋଭିଚ୍ କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି । ସର୍ବିୟାର ଏହି ପୂର୍ବତନ ଏକ ନମ୍ବର ଖେଳାଳି ଜଣଙ୍କୁ ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡ୍ ମୁକାବିଲାରେ ୮୧ତମ ର‌୍ୟାଙ୍କ୍‌ର କୋରିଆ ଖେଳାଳି କ୍ୱୋନ୍ ସୁନ୍‌-ଉ’ କଡ଼ା ଚାଲେଞ୍ଜ୍ ଦେଇଥିଲେ । ଅବଶ୍ୟ ଶେଷରେ ଏଠାରେ କ୍ରମାଗତ ଚତୁର୍ଥ ଟାଇଟଲ୍ ଅପେକ୍ଷାରେ ଥିବା ଜୋକୋଭିଚ୍ ୬-୪, ୩-୬, ୬-୩, ୬-୪ରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି । ୨୪ ବର୍ଷୀୟ କ୍ୱୋନ୍ ପ୍ରଥମେ ସେଟ୍‌ରେ ପରାସ୍ତ ହୋଇଥିଲେ ହେଁ ଦ୍ୱିତୀୟ ସେଟ୍‌ର ଚତୁର୍ଥ ଗେମ୍‌ରେ ଜୋକୋଭିଚ୍‌ଙ୍କ ସର୍ଭିସ୍ ବ୍ରେକ୍ କରିଥିଲେ ।

ପରେ ଡ୍ରପ୍ ଶଟ୍ ଓ ଶକ୍ତିଶାଳୀ ସର୍ଭିସ୍ ମାଧ୍ୟମରେ କ୍ୱୋନ୍ ଦ୍ୱିତୀୟ ସେଟ୍‌କୁ ଜିତି ମ୍ୟାଚ୍‌କୁ ବରାବର କରିଥିଲେ । ତେବେ ଏଠାରେ ୨୧ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ପାଇଁ ଖେଳୁଥିବା ୩୫ ବର୍ଷୀୟ ଜୋକୋଭିଚ୍ ତାଙ୍କ ବିଶାଳ ଅଭିଜ୍ଞତାର ଉପଯୁକ୍ତ ଉପଯୋଗ କରି କ୍ୱୋନ୍‌ଙ୍କୁ ମାତ୍ ଦେଇଥିଲେ । ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ସୋମବାର ଟୁନିସିଆର ତୃତୀୟ ସିଡ୍ ଖେଳାଳି ଓନ୍ସ ଜାବିଉର୍ ସିଧାସଳଖ ସେଟ୍‌ରେ ବିଜୟ ଲାଭ କରି ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ସେ ସ୍ୱିଡେନ୍‌ର ମିରଜାମ୍ ବିଜୋର୍କଲୁଣ୍ଡ୍‌ଙ୍କୁ ୬-୧, ୬-୩ରେ ପରାସ୍ତ କରିଛନ୍ତି। ଗତ ସପ୍ତାହରେ କ୍ୟାରିୟର୍ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ଗତବର୍ଷ ଏଠାରେ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିବା ଜାବିଉର୍ ୧୨୫ତମ ର‌୍ୟାଙ୍କ୍‌ର ଖେଳାଳି ବିଜୋର୍କଲୁଣ୍ଡ୍‌ଙ୍କ ବିପକ୍ଷ ମୁକାବିଲାରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ।

ଫଳସ୍ୱରୂପ ଚଳିତ ବର୍ଷ ଏହି ଗ୍ରାସ୍‌କୋର୍ଟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍‌ରେ ଡେବ୍ୟୁ କରିଥିବା ୨୩ ବର୍ଷୀୟା ବିଜୋର୍କଲୁଣ୍ଡ୍‌ଙ୍କୁ ପ୍ରଥମ ରାଉଣ୍ଡ୍‌ରୁ ହିଁ ବିଦାୟ ନେବାକୁ ପଡ଼ିଥିଲା । ବର୍ଲିନ୍‌ଠାରେ ଗ୍ରାସ୍‌କୋର୍ଟ ଟୁର୍ଣ୍ଣାମେଣ୍ଟ୍‌ରେ ଟାଇଟଲ୍ ଜିତିବା ପରେ ଏଠାକୁ ଆସିଥିବା ଜାବିଉର୍ ପ୍ରଥମ ସେଟ୍‌ରେ ୩ ଥର ସର୍ଭିସ୍ ବ୍ରେକ୍ କରିଥିଲେ । ପ୍ରଥମ ଦିନରେ ଏଠାରେ ବର୍ଷା କାରଣରୁ ଏକାଧିକ ମ୍ୟାଚ୍ ବାଧାପ୍ରାପ୍ତ ହୋଇଛି । ପୁରୁଷ ସିଙ୍ଗଲ୍ସରେ ଅନ୍ୟ ଏକ ମ୍ୟାଚ୍‌ରେ ଗତ ଫ୍ରେଞ୍ଚ୍ ଓପନ୍ ରନର୍ସଅପ୍ ନରୱେର କ୍ୟାସ୍‌ପର୍ ରୁଡ୍ ସ୍ପେନ୍‌ର ଆଲବର୍ଟ ଭିନୋଲାସ୍‌ଙ୍କୁ ୭-୬(୧),୭-୬(୯),୬-୨ ସେଟ୍‌ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking