39.1 C
Bhubaneswar
Tuesday, April 23, 2024
Homeଓଡିଶାସୁପର୍‌ସ୍ପ୍ରେଡର୍‌ଙ୍କ ପ୍ରତି କଡ଼ା ନଜର ରହିବ : ଜିଲ୍ଲାପାଳ

ସୁପର୍‌ସ୍ପ୍ରେଡର୍‌ଙ୍କ ପ୍ରତି କଡ଼ା ନଜର ରହିବ : ଜିଲ୍ଲାପାଳ

ଛତ୍ରପୁର: ଗାଁକୁ ଫେରିଛନ୍ତି ପ୍ରବାସୀ ଶ୍ରମିକ । ଏଯାବତ୍ ବାହାର ରାଜ୍ୟରେ କାମ କରୁଥିବା ପ୍ରାୟ ୩୪ ହଜାର ବ୍ୟକ୍ତି ଗାଁକୁ ଫେରିଛନ୍ତି । ଅଧିକାଂଶ ହୋମ୍ କ୍ୱାରେଣ୍ଟାଇନ ଅବଧି ଶେଷ କରିଛନ୍ତି । କିନ୍ତୁ କେତେକ ବ୍ୟକ୍ତି ନିର୍ଦ୍ଦେଶ ମାନୁନାହାନ୍ତି । ଗାଁରେ ଖୋଲାମେଲାରେ ବୁଲୁଥିବା ଦେଖାଯାଇଛି । ତେଣୁ ସେମାନଙ୍କ ପ୍ରତି ଅଧିକ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନପ୍ରତିନିଧି ଓ ଗାଁ କମିଟି ଦାୟିତ୍ୱ ନେବାକୁ ହେବ । ଗ୍ରାମାଞ୍ଚଳରେ ସୁପର ସ୍ପ୍ରେଡରଙ୍କ ପ୍ରତି କଡା ନଜର ରଖନ୍ତୁ । କୌଣସି ବ୍ୟକ୍ତି କୋଭିଡ୍ ନିୟମ ଉଲ୍ଲଂଘନ କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋଭିଡ୍ ପରିଚାଳନା ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି ।

ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରନ୍ତୁ । କୋଭିଡ କମିଟି ବୈଠକ କଲେ ଗ୍ରାମାଞ୍ଚଳର ସମସ୍ତ ଅସୁବିଧା  ସହଜରେ ସମାଧାନ ହୋଇପାରିବ । ଏଣୁ ବୈଠକ କରିବାକୁ ଗୁରୁତ୍ୱ ଦିଅନ୍ତୁ । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିହାତି ଭାବରେ ୧୦ଟି ଶଯ୍ୟାରେ ଅକ୍ସିଜେନ ସୁବିଧା ଥାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଲୋକ ସାମାନ୍ୟ ଅସୁସ୍ଥ ହେଲେ ବ୍ରହ୍ମପୁର ଏମକେସିଜିକୁ ଆସନ୍ତୁ ନାହିଁ । ଅତି ଆବଶ୍ୟକ ହେଲେ ସଂକ୍ରମିତ ଲୋକଙ୍କୁ ଡାକ୍ତର ରେଫର କଲେ ଏମକେସିଜିକୁ ଉଚ୍ଚ ଚିକିତ୍ସା ନିମନ୍ତେ ଆସିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ବ୍ରହ୍ମପୁର ଏମକେସିଜିର ଡାକ୍ତରଙ୍କୁ ନେଇ ଚିକିତ୍ସା ପଦ୍ଧତିକୁ ମାର୍ଜିତ କରିବା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଗଠିତ କମିଟି ବୈଠକ କରି ଆଲୋଚନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କରୋନା ସ୍ଥିତି ଯୋଗୁଁ ଲୋକଙ୍କ ଜୀବିକାକୁ ପ୍ରାଧାନ୍ୟ ଦେବା ଜରୁରୀ । ଲକଡାଉନ ସମୟରେ ଜିଲ୍ଲାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଚାଲୁ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ।

ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀଙ୍କ ଘରକୁ ଚାଉଳ ଯୋଗାଇବା ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ ସମୟରେ ସହରାଞ୍ଚଳରେ ପଶୁମାନଙ୍କୁ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଇବେ । ରାଜସ୍ୱ ବିଭାଗ ଦେଉଥିବା ସମସ୍ତ ସେବା ବ୍ୟବସ୍ଥା “ରାଜସ୍ୱ ରଥ‘ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ । ରାତ୍ରି କାଳୀନ ସଫେଇ, ଚାରା ରୋପଣ କାର୍ଯ୍ୟ ତ୍ୱରାନ୍ୱିତ କରନ୍ତୁ । ଗ୍ରାମାଞ୍ଚଳରେ ବିଭିନ୍ନ ଗୋଷ୍ଠୀଙ୍କୁ ସାମିଲ କରି କରୋନା କାର୍ଯ୍ୟ ପରିଚାଳନା କରାଯିବ । ସମସ୍ତ ଅଞ୍ଚଳ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଜାରି ରଖନ୍ତୁ । ରେଡ୍‌ଜୋନ ଅଞ୍ଚଳକୁ ଗ୍ରୀନ ଜୋନରେ ପରିଣତ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ଅଧିକାରୀଙ୍କୁ କହିଥିଲେ ।

ବ୍ରହ୍ମପୁର ସହରରେ ଟିକାକାରଣ ବ୍ୟବସ୍ଥା ଉତ୍ତମ ମାନର ହୋଇଥିବା ଯୋଗୁଁ ମହାନଗର ନିଗମକୁ ଜନସାଧାରଣ ପ୍ରଶଂସା କରୁଥିବା ଜିଲ୍ଲାପାଳ କହିଥିଲେ ।  ଆରଆରଟି ସଭ୍ୟ ଠିକ କାର୍ଯ୍ୟ କରି ଲୋକଙ୍କୁ ସଚେତନ କରାଇଲେ ଅନେକ ସମସ୍ୟାର ସମାଧାନ ପ୍ରାଥମିକ ସ୍ତରରେ ହୋଇଯିବ । ଏଣୁ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥିଲେ । ମନ୍ଦିର ଖୋଲାଯାଉଥିବା ନଜରକୁ ଆସିଲେ ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ସିଲ୍ କରିଦିଆଯିବ ।  ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଓ ଲିନା କୁମାରୀ ଖେସ, ବ୍ରହ୍ମପୁର ଉନ୍ନୟନ ସଂସ୍ଥା ସଚିବ ସମ୍ବିତ ରାଉତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା ଯୋଜନା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking