30.1 C
Bhubaneswar
Thursday, April 25, 2024
Homeଓଡିଶା୫ବର୍ଷ ହେଲା ମିଳୁନି ବିଧବା ଭତ୍ତା : ଭଙ୍ଗା କୁଡ଼ିଆରେ ବିତୁଛି ବେକାର ପୁଅ ସହ...

୫ବର୍ଷ ହେଲା ମିଳୁନି ବିଧବା ଭତ୍ତା : ଭଙ୍ଗା କୁଡ଼ିଆରେ ବିତୁଛି ବେକାର ପୁଅ ସହ ଜୀବନ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍ ପ୍ରଶାସନର ଦାୟିତ୍ୱହୀନତା ଓ କର୍ତ୍ତବ୍ୟରେ ଚରମ ଅବହେଳା ଯୋଗୁଁ ଓଥକା ଗ୍ରାମର ଜଣେ ବିଧବା ଓ ତାଙ୍କର ଏକମାତ୍ର ବେକାର ପୁଅ ଏକ ଭଙ୍ଗା କୁଡ଼ିଆରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ଅଭିଯୋଗ ହୋଇଛି । ରାଜନୈତିକ ତଞ୍ଚକତା ଓ ପକ୍ଷପାତିତା ହେତୁ ସେମାନଙ୍କ ପାଇଁ ଆବାସ ଯୋଜନା ସାତସପନ ହୋଇପଡ଼ିଛି । ସେହିପରି କରୋନା ଜନିତ ଲକ୍ ଡାଉନ୍‌ରେ କୌଣସି ସରକାରୀ ସହାୟତା ମିଳିନଥିବାରୁ ଅର୍ଦ୍ଧାହାରରେ କାଳାତିପାତ କରୁଛନ୍ତି । ପାରିବାରିକ କଳହ ଯୋଗୁଁ ଗତ ୨୦୧୫ ଏପ୍ରିଲରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ଓଥକା ଗ୍ରାମର ଭୂମିହୀନ ଓ ଗରିବ ସୁରେନ୍ଦ୍ର କୁମାର ମହାପାତ୍ର ବିଷପିଇ ଆତ୍ମହତ୍ୟା କରିଥିଲେ । ଏବେ ଘରେ ମାନସିକ ବିକାରଗ୍ରସ୍ତ ବିଧବା ପତ୍ନୀ ବାସନ୍ତୀ (୬୦ବର୍ଷ) ଓ ଏକମାତ୍ର ପୁଅ ଅଜୟ (୨୬ବର୍ଷ) ଅଛନ୍ତି । ଇତିମଧ୍ୟରେ ତାଙ୍କ ମୃତ୍ୟୁକୁ ୫ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ବାସନ୍ତୀଙ୍କୁ ଏପର୍ଯ୍ୟନ୍ତ ବିଧବା ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଏପରିକି ବେକାର ପୁଅ ଅଜୟ ମା’ଙ୍କ ନିମନ୍ତେ ଏକ ବିଧବା ଭତ୍ତା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରିନାହାନ୍ତି । ତାଙ୍କର ଆବେଦନ ପ୍ରଶାସନର ନାଲି ଫାଇଲି ତଳେ ଚାପି ହୋଇ ରହିଯାଇଛି । ବ୍ଲକରେ ବହୁ ଥିଲାବାଲା ବିଭିନ୍ନ ଭତ୍ତା ପାଉଥିବାର ନଜିର ଥିଲାବେଳେ ରାଜନୈତିକ ବାଛବିଚାର ଯୋଗୁଁ ବାସନ୍ତୀ ଭତ୍ତା ପାଇନଥିବା ଅଭିଯୋଗ ହୋଇଛି । ଏକମାତ୍ର ପୁଅ ଦିନେ କାମକୁ ନଗଲେ ହାଣ୍ଡି ଚୁଲିକୁ ଯାଏ ନାହିଁ । ଏପରି ଆର୍ଥିକ ଅନଟନ ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବା ନିମନ୍ତେ ସେମାନଙ୍କୁ ଏକ ସ୍ଥାୟୀ ପକ୍କାଘର ମଧ୍ୟ ମିଳିପାରି ନାହିଁ । ଏକ ଭଙ୍ଗା କୁଡିଆରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ମା’-ପୁଅ କାଳାତିପାତ କରୁଛନ୍ତି । ଏହି ପଞ୍ଚାୟତରେ ବହୁ ଥିଲାବାଲା ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ହାତେଇଥିବା ବେଳେ ସ୍ଥାନୀୟ ରାଜନେତା ଓ କୁଜିନେତାଙ୍କ ଚକ୍ରାନ୍ତ ଯୋଗୁଁ ତାଙ୍କୁ ଏହି ଯୋଜନାରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ହୋଇଛି । ଆବାସ ଯୋଜନାରେ ଗୃହଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାହା ପ୍ରଶାସନର ନାଲିଫିତା ତଳେ ଚାପିହୋଇ ରହିଯାଇଛି । ତେବେ ଏହି ପରିବାରକୁ କେବଳ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅନୁଯାୟୀ ରାସନ୍ କାର୍ଡରେ ୧୦କେଜି ଚାଉଳ ପ୍ରଦାନ କରାଯାଉଛି । ପ୍ରଶାସନ ତରଫରୁ ଏହାର ତଦନ୍ତ କରାଯାଇ ତୁରନ୍ତ ଏହି ଅସହାୟ ମହିଳାଙ୍କୁ ବିଧବା ଭତ୍ତା ଓ ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking