କଣ ପାଇଁ ପାଳନ କରାଯାଏ କୁମାର ପୂର୍ଣ୍ଣିମା

ଭୁବନେଶ୍ୱର : ଆଜି କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । ତେବେ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ଭଳି ଭାରତର ଅନ୍ୟାନ୍ୟ ରାଜ୍ୟରେ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ପ୍ରାନ୍ତରେ ଖୁବ୍ ଆଡ଼ମ୍ବର ସ‌ହକାରେ ପାଳନ କରାଯାଇଥାଏ ।

ଭୋରୁ କୁମାରୀମାନେ ଉଠି ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା କରିଛନ୍ତି, ଆଞ୍ଜୁଳି ଟେକିଛନ୍ତି । ତା ସହିତ ବୃନ୍ଦାବତୀଙ୍କ ନିକଟରେ ଘର ପରିବାରର ମଙ୍ଗଳ ମନାସିଛନ୍ତି। ନିଜ ଆରାଧ୍ୟ ଦେବତାଙ୍କ ଉଦ୍ଦେଶ୍ୟରେ ଖଇ ଥାଳି ଟେକି ଦେଇ ଝିଅମାନେ ପ୍ରିୟଜନଙ୍କ ସୁଖ ଓ ସମୃଦ୍ଧି କାମନା କରନ୍ତି । ନୂଆ ବସ୍ତ୍ର ପରିଧାନ କରିବା ସହ କୁଙ୍କୁମ ଚନ୍ଦନରେ ନିଜକୁ ସଜେଇ ଝିଅମାନେ କୁମାର ଉତ୍ସବ ପାଳନ କରନ୍ତି । ସଂଧ୍ୟାରେ ଚାନ୍ଦ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ଚଳିତ ବର୍ଷ କରୋନା କଟକଣା ପାଇଁ ବିଭିନ୍ନ ଅଂଚଳରେ କୁମାର ଉତ୍ସବ ଫିକା ପଡି ଯାଇଥିଲେ ସୁଦ୍ଧା ପରମ୍ପରା ରକ୍ଷା କରିବାକୁ ଭୁଲି ନାହାନ୍ତି ।

LEAVE A REPLY

Please enter your comment!
Please enter your name here